ପ୍ରେମିକର ଆତ୍ମହତ୍ୟାକୁ ସହିପାରିଲାନି ପ୍ରେମିକା, ଗଛରେ ଓଢ଼ଣୀ ବାନ୍ଧି କଲେ ଆତ୍ମହତ୍ୟା

ଦିଗପହଣ୍ଡି : ପ୍ରେମ ସତ୍ୟ, ଶାସ୍ୱତ ଓ ଚିରନ୍ତନ। ହେଲେ ଏବେ ଏହି ପ୍ରେମର ଭାଷା ଯୁବପିଢ଼ିଙ୍କ ପାଇଁ ବଦଳି ଯାଇଛି। ମୋର ହେଲୁନି ତ, ଆଉ କାହାର ହେବୁନି ନୀତି ଆପଣାଉଛନ୍ତି ସେମାନେ। କେଉଁଠି ପ୍ରେମିକ ହତାଶ ହୋଇ ପ୍ରେମିକାର ଜୀବନ ନେଉଛି ତ, ଆଉ କେଉଁଠି କିଏ ପ୍ରେମ ପାଇଁ ଟ୍ରେନ୍‍ ଲାଇନ୍‍ ଆଗକୁ ଡେଇଁ ଆତ୍ମହତ୍ୟା କରୁଛନ୍ତି। ଆଉ କେଉଁଠି ପ୍ରେମକୁ ଘରଲୋକ ସମର୍ଥନ କରିବାକୁ ଆତ୍ମହତ୍ୟା କରୁଛନ୍ତି ପ୍ରେମିକ-ପ୍ରେମିକା।  ଯୁବପିଢ଼ିଙ୍କ ମଧ୍ୟରେ ଏଭଳି ମାନସିକତା ପାଇଁ ଅନେକ ଘର ଉଜୁଡ଼ି ଯାଉଛି। କିଏ ରୋଜଗାରିଆ ପୁଅକୁ ହରାଉଛି ତ ଆଉ କିଏ ଉଚ୍ଚଶିକ୍ଷିତ ଝିଅକୁ ହରାଉଛି।

ରାଜ୍ୟରେ ଗତକିଛି ଦିନ ମଧ୍ୟରେ ଆତ୍ମହତ୍ୟା ଘଟଣା ବଢିବାରେ ଲାଗିଛି। ଆଉ ଏପରି ସ୍ଥଳେ ଆଜି ଗଞ୍ଜମା ଜରଡା ଥାନା ଅନ୍ତର୍ଗତ ସାମନ୍ତରାୟପୁର ଏକ ଅଭାବନୀୟ ଘଟଣା ସମ୍ନାକୁ ଆସିଛି। ଯେଉଁଠି ପ୍ରେମ ପାଇଁ ଉଭୟ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଛନ୍ତି। ବଞ୍ଚିବା ଏକାଠି, ମରିବା ବି ଏକାଠି, ତୁମ ବିନା ମୁଁ ଏକା କିପରି ବଞ୍ଚିବି କହି ପ୍ରେମିକର ଆତ୍ମହତ୍ୟା ପରେ ପ୍ରେମିକା ମଧ୍ୟ ଆତ୍ମହତ୍ୟା କରିଛନ୍ତି।

ମିଳିଥିବା ସୂଚନାଅନୁସାରେ ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ସାମନ୍ତରାପୁର ଗ୍ରାମର ସୋନୁ ବେହେରା ସେହି ଗାଁର ସୁନିତା ପ୍ରଧାନଙ୍କୁ ଭଲ ପାଉଥିଲେ। ହେଲେ ଉଭୟଙ୍କ ପ୍ରେମକୁ ସୋନୁଙ୍କ ପରିବାର ଗ୍ରହଣ କରୁନଥିଲେ। କିନ୍ତୁ ପ୍ରେମୀଯୁଗଳ ତାଙ୍କ ପ୍ରେମ ପାଇଁ ଘର ଛାଡି ନିଜ ସଂସାର ଗଢିବା ପାଇଁ କଥା ହୋଇଥିଲେ। ହେଲେ ଆଜି ସକାଳୁ ପ୍ରେମିକ ସୋନୁର ଝୁଲନ୍ତା ଶବ ଆମ୍ବ ତୋଟାରେ ଦେଖିବାକୁ ମିଳିଥିଲା। ଏ ଖବର ପ୍ରସାରିତ ହେବା ପରେ ଆମ୍ବ ତୋଟାରେ ପହଞ୍ଚି  ପ୍ରେମିକା ସୁନିତା ବାହୁନି ବାହୁନି କାନ୍ଦିଥିଲା। ପ୍ରେମିକ ସୋନୁର ଝୁଲନ୍ତା ମୃତଦେହର ଗୋଡକୁ ଧରି ଏପରି କାହିଁକି କଲ, ଆମେ ବହୁ ଦୂରକୁ ଯାଇ ଆମ ସଂସାର ଗଢିଥାନ୍ତେ କିନ୍ତୁ ଏସବୁ ପୂର୍ବରୁ କଣ ପାଇଁ ମତେ ଏକା କରି ଛାଡିଗଲ, ମୁଁ ତୁମ ବିନା ଏକା କିପରି ବଞ୍ଚିବି ଏପରି କହି କାନ୍ଦୁଥିଲା।

ପ୍ରେମିକା ସୁନିତା ସୋନୁର ଝୁଲନ୍ତା ଶବ ପାଖରେ କାନ୍ଦୁଥିବା ବେଳେ ସୋନୁର ଘର ଲୋକ ସୁନିତାକୁ ଗାଳି ଗୁଲଜ କରିଥିଲେ। ଆମ ପୁଅ ତୋ ପାଇଁ ଆତ୍ମହତ୍ୟା କରିଛି, ତା ମୃତ୍ୟୁ ପାଇଁ ତୁ ଦାୟୀ….ଏପରି ବହୁ କଟୁ କଥା କହି ଗାଳିଗୁଲଜ କରିଥିଲେ। ଏସବୁ ଶୁଣି ପ୍ରେମିକା ସୁନିତା ନିଜ ଘରକୁ ଚାଲିଯାଇଥିଲେ। ହେଲେ କିଛି ସମୟ ପରେ ସୁନିତା ଘରେ ନଥିବା ଘର ଲୋକୁ ଜାଣିବାକୁ ପାଇଥିଲେ। ସୁନିତାକୁ ଘର ଲୋକ ଖୋଜିବା ବେଳେ ସୋନୁ ଆତ୍ମହତ୍ୟା କରିଥିବା ଆମ୍ବ ତୋଟାର ସେହି ଗଛର କିଛିଟା ଗଛ ଛାଡି ପ୍ରେମିକା ସୁନିତାର ଝୁଲନ୍ତା ଶବ ଦେଖିବାକୁ ମିଳିଥିଲା। ସୁନୀତା ଏକ ଗଛରେ ଓଢ଼ଣୀ ବାନ୍ଧି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଗାଁରେ ଶୋକାକୁଳ ପରିବେଶ ଦେଖାଦେଇଛି । ଘଟଣାସ୍ଥଳରେ ଜରଡ଼ା ଥାନା ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Leave a comment