ଦେଶର ପ୍ରଥମ ମହିଳା ଇଞ୍ଜିନିୟର୍
ଦିନେ ଇଞ୍ଜିନିୟରିଂ ପଢ଼ାରେ ମହିଳାମାନଙ୍କୁ ଦେଖିବାକୁ ମିଳୁ ନ ଥିଲା। କାରଣ ସେସମୟରେ ସମାଜରେ ଶିକ୍ଷା ଓ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ମହିଳାଙ୍କ ପ୍ରବେଶ ଥିଲା। ମାତ୍ର ଲଳିତା ଇଞ୍ଜିନିୟରିଂ ଭଳି ଏକ ବୈଷୟିକ ବିଦ୍ୟାରେ ନିଜକୁ ସାମିଲ କରିଥିଲେ। ପୁଅଙ୍କ ଗହଣରେ ଇଞ୍ଜିନିୟରିଂ ପଢ଼ିଲେ। ତା’ ସହ ସେ ହାସଲ କଲେ ଭାରତର ପ୍ରଥମ ମହିଳା ଇଞ୍ଜିନିୟରର ଗୌରବ। ପରବର୍ତ୍ତୀ ସମୟରେ ତାଙ୍କୁ ଦେଖି ଅନ୍ୟ ମହିଳା ଏ କ୍ଷେତ୍ରରେ ଆଗକୁ ଆସିଲେ।
୧୯୧୯ ଅଗଷ୍ଟ ୨୭ରେ ଚେନ୍ନାଇର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଲଳିତା। ତାଙ୍କ ପୂରା ନାଁ ହେଉଛି ଅୟୋଲାସୋମାୟାଜୁଲା ଲଳିତା। ତାଙ୍କ ବାପା ଥିଲେ ଏକ ଇଞ୍ଜିନିୟରିଂ କଲେଜର ପ୍ରଫେସର। ଲଳିତାଙ୍କ ୩ ଭାଇ ବି ଥିଲେ ଇଞ୍ଜିନିୟର। ମାତ୍ର ୧୫ ବର୍ଷ ବୟସରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଲଳିତା। ବିବାହ ବେଳକୁ ତାଙ୍କର ମାଟ୍ରିକ୍ ପଢ଼ା ଶେଷ ହୋଇଯାଇଥିଲା। ୧୮ ବର୍ଷରେ ସେ କନ୍ୟା ସନ୍ତାନର ଜନନୀ ହେଲେ। ଏହାର ଚାରି ମାସ ପରେ ସେ ତାଙ୍କ ସ୍ବାମୀଙ୍କୁ ହରାଇଲେ। ପୁଣି ଥରେ ପଢ଼ିବା ପାଇଁ ଲଳିତାଙ୍କ ମନୋବଳ ବଢ଼ାଇଲେ ତାଙ୍କ ବାପା। ଏପରିକି ନିଜ ଗୋଡ଼ରେ ନିଜେ ଛିଡ଼ା ହୋବ ପାଇଁ ସାହସ ଦେଲେ। ଲଳିତା ଥିଲେ ମେଧାବୀ ଛାତ୍ରୀ। ଅନ୍ୟମାନଙ୍କ ଭଳି ଡାକ୍ତର ହେବା ଲକ୍ଷ୍ୟ ରଖିଥିଲେ ଲଳିତା। ମାତ୍ର ବାପାଙ୍କ ପରାମର୍ଶରେ ସେ ଇଞ୍ଜିନିୟରିଂ ପଢ଼ାେର ନିଜକୁ ସାମିଲ କଲେ।
ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇବା ବେଳେ ଜଣେ ବି ଝିଅ ପଢ଼ୁ ନ ଥିଲେ। ମାତ୍ର ପୁଅମାନଙ୍କ ଗହଣରେ ପଢ଼ାସାରି ସେ ସାଜିଲେ ପରିବର୍ତ୍ତନର ସୂତ୍ରଧର। ଖାସ୍ ତାଙ୍କ ପାଇଁ କଲେଜରେ ସ୍ବତନ୍ତ୍ର ହଷ୍ଟେଲ ବ୍ୟବସ୍ଥା କରାଗଲା। ଅାଉ ବର୍ଷକ ପରେ ତାଙ୍କ ଦେଖା ଦେଖି ଅନ୍ୟ କେତେଜଣ ଝିଅ ଇଞ୍ଜିନିୟରିଂରେ ନାମ ଲେଖାଇଲେ। ଅନ୍ୟପଟେ ତାଙ୍କ ଝିଅ ତାଙ୍କ ଭାଇଙ୍କ ଘରେ ରହୁଥିବାରୁ ସେ ସପ୍ତାହକୁ ଥରେ ତାକୁ ଭେଟିବାକୁ ଯାଉଥିଲେ। ଇଞ୍ଜିନିୟରିଂରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ନେଇ ସେ ଦିନ ରାତି ପରିଶ୍ରମ କରୁଥିଲେ।
ତାଙ୍କର ଏହି ପ୍ରଚେଷ୍ଟା ୧୯୪୩ରେ ସଫଳ ହେଲା। ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ମିଳିବାରୁ ସେ ଦେଶର ପ୍ରଥମ ମହିଳା ଇଞ୍ଜିନିୟର୍ର ପରିଚୟ ହାସଲ କଲେ। ଏହା ପରେ ତାଙ୍କୁ ଏକାଧିକ ସ୍ଥାନରେ ଚାକିରି କରିବାର ଅପୂର୍ବ ସୁଯୋଗ ଜୁଟିଲା। ଦେଶ ବିଦେଶର ବଡ଼ ବଡ଼ ଇଞ୍ଜିନିୟରିଂ ସଂସ୍ଥା ସହ ଯୋଡ଼ି ହେେଲ। ଏପରିକି ଦେଶର ସେ ସବୁଠୁ ବୃହତ୍ ଭାକ୍ରା ନଙ୍ଗଲ ନଦୀବନ୍ଧ ପରିଯୋଜନାରେ କାମ କରିବାର ସୁଯୋଗ ପାଇଛନ୍ତି।
୧୯୭୭ରେ ଚାକିରିରୁ ଅବସର ଗ୍ରହଣ କଲେ। ଏହାର ଦୁଇ ବର୍ଷ ପରେ ୧୯୭୯ରେ ୬୦ ବର୍ଷ ବୟସରେ ଆଖି ବୁଜିଲେ। ଅବଶ୍ୟ ସେ ଅନ୍ୟ ମହିଳାଙ୍କୁ ଶିଖାଇ ଦେେଲ ଯେ ନିଜ ଉପରେ ବିଶ୍ବାସ ରଖିଲେ ସବୁ କିଛି କରିବା ସମ୍ଭବ। ତା’ସହ ବୃତ୍ତିର ଯେଉଁ ଧାରାଟି ଦେଖାଇ ଦେଲେ ତାହା ଅନୁସରଣ କରି ଆଜି ଦେଶର ଅସଂଖ୍ୟ ମହିଳା ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି।