ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଛଟପଟ ମଧ୍ୟବିତ୍ତ : ମହଙ୍ଗା ହେଲା ଘର ନିର୍ମାଣ, ବର୍ଷକରେ ସିମେଣ୍ଟ ଓ ଲୁହାଛଡ଼ ମୂଲ୍ୟ ଦୁଇ ଗୁଣ ମହଙ୍ଗା

ଭୁବନେଶ୍ବର : ସମ୍ପ୍ରତି ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିର ପ୍ରଭାବ ପ୍ରାୟତଃ ସବୁ କ୍ଷେତ୍ର ଉପରେ ପଡିଛି। ରିଅଲ ଇଷ୍ଟେଟ୍‌ ବା ନିର୍ମାଣ କ୍ଷେତ୍ର ଏଥିରୁ ବାଦ୍‌ ଯାଇନି। ତେଲ ଦର ବୃଦ୍ଧି ଯୋଗୁ ପରିବହନ ଭଡ଼ା ବଢ଼ିବାରେ ଲାଗିଛି। ଯାହାର ପରୋକ୍ଷ ପ୍ରଭାବ ନିର୍ମାଣ କ୍ଷେତ୍ର ଉପରେ ପଡିଛି। ଏହାର ଫଳସ୍ବରୂପ ବଜାରରେ ଲୁହାଛଡ, ସିମେଣ୍ଟ, ଇଟା ଓ ବାଲି ଭଳି ନିର୍ମାଣ ସାମଗ୍ରୀ ଦର ଢ଼େର ବଢ଼ିଯାଇଛି। ଏମିତିକି ମାତ୍ର ବର୍ଷକ ମଧ୍ୟରେ ଲୁହାଛଡ ଏବଂ ସିମେଣ୍ଟ ମୂଲ୍ୟ ଦୁଇ ଗୁଣ ମହଙ୍ଗା ହୋଇଛି। ତେବେ ଏଥିରୁ ବାଦ୍‌ ପଡିନି ଇଟା ଏବଂ ବାଲି ଦର।

କରୋନା ମହାମାରୀ ପରଠାରୁ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଦେଶର ନିର୍ମାଣ କ୍ଷେତ୍ରରେ ସୁଧାର ଆସିବାରେ ଦୁଇ ମାସ ନ ପୁରଣ ହୋଇଥିବାବେଳେ ତେଲ ତାତିର ଚଡ଼କ କ୍ଷେତ୍ରକୁ ପୁଣି ଅଧିକ ସମସ୍ୟା ଆଡକୁ ଠେଲିଦେଇଛି। କ୍ଷେତ୍ରର ଏଭଳି ମାନ୍ଦାବସ୍ଥା ସମୟରେ ବଜାରରେ ଉଚ୍ଚ ଋଣ ସୁଧହାର ଏବେ ଡେଭଲପରଙ୍କ ଉପରେ ଚଡକ ପକାଇଛି। ଏହାବ୍ୟତୀତ ରୁଷ-ୟୁକ୍ରେନ୍‌ ଯୁଦ୍ଧର ପରୋକ୍ଷ ପ୍ରଭାବ ବଜାରରେ ମାନ୍ଦାସ୍ଥିତି ସଅଷ୍ଟି କରିଛି। ଏଥିଯୋଗୁ ରିଅଲ ଇଷ୍ଟେଟ୍‌ କ୍ଷେତ୍ରର ଡେଭଲପରମାନେ ଖୁବ୍‌ ଶୀଘ୍ର ଘର ମୂଲ୍ୟ ବୃଦ୍ଧି କରିବା ନେଇ ସଙ୍କେତ ଦେଇସାରିଲେଣି। ଯାହା ଫଳରେ ବର୍ତ୍ତମାନ ସାରା ଦେଶରେ ରିଅଲ୍ ଇଷ୍ଟେଟ୍ ବା ଘର ମୂଲ୍ୟ ୧୦-୧୫% ବୃଦ୍ଧି ଘଟିବାକୁ ଯାଉଛି। ଯଦି ଏଭଳି ହୁଏ ନ ତେବେ ମଧ୍ୟବିତ୍ତ ଆଉ ନିମ୍ନ ମଧ୍ୟବିତ୍ତଙ୍କ ଘର କିଣିବା ସ୍ବପ୍ନ ଭାଙ୍ଗିଯିବ।

ଅପରପକ୍ଷେ କଞ୍ଚାମାଲ ଦର ବୃଦ୍ଧି ଜନିତ ଚାପରୁ ନିର୍ମାଣ କ୍ଷେତ୍ରକୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାର ତୁରନ୍ତ ଦ୍ରବ୍ୟ ଏବଂ େସବା ଟିକସ (ଜିଏସ୍‌ଟି)ରେ ଛାଡ କରିବାକୁ କ୍ରେଡାଇ ଭୁବନେଶ୍ୱର ଫାଉଣ୍ଡେସନ ଦାବି କରିଛି। ମହାମାରୀ ପରେ ସରକାର ପାୱାର ଅଫ୍‌ ଆଟର୍ଣ୍ଣି ଏବଂ ଏଫ୍‌ଆର୍‌ ଏରିଆରେ ବୃଦ୍ଧି ଭଳି କେତେକ ନିୟମକୁ କୋହଳ କରିବା ପରେ ଦେଶର ନିର୍ମାଣ କ୍ଷେତ୍ରରେ ଚାହିଦା ବଢ଼ିଥିଲା। ଗତ ଜାନୁଆରୀ ଏବଂ ଫେବୃଆରୀ ମାସରେ ବିଲ୍ଡରମାନଙ୍କୁ ଭଲ ଇନ୍‌କ୍ବାରୀ ସହ ଘର ବୁକିଂ ମିଳିଥିଲା। ଯାହା ଦୀର୍ଘ ଦିନ ହେବ ମାନ୍ଦାପଡିଥିବା ରିଅଲ ଇଷ୍ଟେଟ୍‌ କ୍ଷେତ୍ରରେ ପୂର୍ବ ଚମକ ଫେରାଇ ଆଣୁଥିବାବେଳେ ବର୍ତ୍ତମାନ ଲୁହାଛଡ, ସିମେଣ୍ଟ, ଇଟା ଓ ବାଲି ଭଳି ନିର୍ମାଣ ସାମଗ୍ରୀ ଦର ବଢ଼ିବା କ୍ଷେତ୍ର ଉପରେ ‘ବୋଝ ଉପରେ ନଳିତା ବିଡା’ ସଦୃଶ ହୋଇଛି। ଗତବର୍ଷକ ମଧ୍ୟରେ ଲୁହା ଛଡା ମୂଲ୍ୟ ମେଟ୍ରିକ୍ ଟନ୍ ପିଛା ୪୫,୦୦୦ ରୁ ୯୦,୦୦୦ ଟଙ୍କାକୁ ବୃଦ୍ଧି ପାଇଛି।

ସେହିପରି ସିମେଣ୍ଟ ମୂଲ୍ୟ ପ୍ୟାକେଟ୍‌ ପିଛା ବର୍ଷକ ମଧ୍ୟରେ ୨୪୦ରୁ ୪୦୦ ଟଙ୍କା ଛୁଇଁଛି। ସେହିଭଳି ଫ୍ଲାଏ ଆଶ୍‌ ଇଟା ମୂଲ୍ୟ ମାତ୍ର ୬ ମାସ ମଧ୍ୟରେ (୧୦୦ ପିସ୍‌) ୪୫୦ରୁ ୫୫୦ ଟଙ୍କାକୁ ବୃଦ୍ଧି ହୋଇଛି। ଏଥିରୁ ବାଦ୍‌ ପଡ଼ିନି ବାଲି ମୂଲ୍ୟ। ବାଲି ପ୍ରତି ଟ୍ରିପ୍‌ ପିଛା ୬୫୦୦ରୁ ୮୦୦୦ ଟଙ୍କାକୁ ବୃଦ୍ଧି ପାଇଛି। ଯାହା ଫଳରେ କେବଳ ବିଲ୍ଡର ନୁହଁନ୍ତି ଘରୋଇ ନିର୍ମାତା ଏଭଳି କଥାମାଲ ଦରବୃଦ୍ଧିକୁ ନେଇ ବେଶ ଚିନ୍ତିତ। ଦୀର୍ଘ ଦିନ ହେବ ସଞ୍ଚିତ ଅର୍ଥରେ ପରିବାର ପାଇଁ ଘରଟିଏ ନିର୍ମାଣ କରିବା ଏବେ ସ୍ବପ୍ନ ପାଲଟିଯାଇଛି। ଏ ସମ୍ପର୍କରେ ନୃସିଂହ ନାଥ କୁହନ୍ତି , ଲୁହାଛଡ, ସିମେଣ୍ଟ, ଇଟା ଓ ବାଲି ଭଳି ନିର୍ମାଣ ସାମଗ୍ରୀ ବହୁଗୁଣ ବଢ଼ିଯାଇଛି। ଏହା ସହ ମିସ୍ତ୍ରୀ ଆଉ ମୁଲିଆ ମଜୁରି ଦେଇ ଘର କାମ କରିବା କଷ୍ଟକର ହୋଇପଡିଲାଣି। ଆମଭଳି ନିମ୍ନ ମଧ୍ୟବିତ୍ତ ଲୋକଙ୍କୁ ଏହା ଖୁବ୍‌ ବାଧୁଛି । ଲାଗୁନାହିଁ ମୁଁ ଏ ଘର ନିର୍ମାଣ ଏବେ ଶେଷ କରିପାରିବି।

ଅପରପକ୍ଷେ ଏହି ପ୍ରସଙ୍ଗରେ କ୍ରେଡାଇ ଭୁବନେଶ୍ୱର ଫାଉଣ୍ଡେସନର ସାଧାରଣ ସମ୍ପାଦକ ଇଂ ଉମେଶ ପଟ୍ଟନାୟକ କହିଛନ୍ତି ଯେ କଞ୍ଚାମାଲ ମୂଲ୍ୟ ବୃଦ୍ଧି ଯୋଗୁ ନିର୍ମାଣଧୀନ ପ୍ରକଳ୍ପର ମୂଲ୍ୟ ଏବେ ଆମ ପାଇଁ ଚିନ୍ତାର ବିଷୟ। ବର୍ତ୍ତମାନ ସମୟରେ ଗ୍ରାହକମାନଙ୍କ ଆଡୁ ନୂଆ ବୁକିଂ ବହୁତ କମ୍‌ ଆସୁଛି। ଯଦିବା ଇନ୍‌କ୍ବାରୀ ଆସୁଛି ଗ୍ରାହକମାନେ ଏବେ ନୂଆ ବୁକିଂ କରିବେ କି ନାହିଁ ତାହା ନିଷ୍ପତ୍ତି ନେଇପାରୁନାହାନ୍ତି। ଯାହା ଫଳରେ ନୂଆ ଘର ବୁକିଂ ୫୦ ପ୍ରତିଶତ କମିଯାଇଛି। ନିକଟରେ ବ୍ୟାଙ୍କ ଏମ୍‌ସିଏଲ୍‌ଆର୍‌ରେ ବୃଦ୍ଧି ଘଟାଇବା ଯୋଗୁ ଗୃହ ଋଣ ମହଙ୍ଗା ହୋଇଯାଇଛି। ଏହାର ପ୍ରଭାବ ଗ୍ରାହକଙ୍କ ଇଏମଆଇ ଉପରେ ସିଧାସଳଖ ଭାବେ ପଡିବ। ଏଭଳି ସ୍ଥିତି ନିର୍ମାଣ କ୍ଷେତ୍ର ପାଇଁ ଅଧିକ କ୍ଷତିକାରକ ହୋଇଛି। ତେଣଶୁ ଏଭଳି ସମୟରେ ନିର୍ମାଣ କ୍ଷେତ୍ରକୁ ବଞ୍ଚାଇବାକୁ ହେଲେ କେନ୍ଦ୍ର ସରକାର ନିର୍ମାତାଙ୍କୁ ତୁରନ୍ତ ଜିଏସ୍‌ଟିରେ ରିଆତି ଦିଅନ୍ତୁ। ସରକାର ଲୁହାଛଡ ଉପରେ ୧୮ % ଏବଂ ସିମେଣ୍ଟ ଉପରେ ୨୮% ଜିଏସ୍‌ଟି ନେଉଛନ୍ତି। ଏବେ କଞ୍ଚାମାଲ ମୂଲ୍ୟରେ ଦୁଇ ଗୁଣ ବୃଦ୍ଧି ପରେ କେନ୍ଦ୍ର ସରକାରଙ୍କ ଜିଏସ୍‌ଟି ବାବଦ ରାଜସ୍ବ ଆୟ ଦୁଇ ଗୁଣ ହୋଇଯାଇଛି। ଏଭଳି ସମୟରେ ସରକାର ନିଜ ରାଜସ୍ବ ଭାଗରୁ କିଛି ଦେଇ ଡେଭଲପରଙ୍କୁ ଜିଏସ୍‌ଟି ରିଆତି ଦେଇ କ୍ଷେତ୍ରକୁ ବଞ୍ଚାଇପାରିବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Leave A Reply

Your email address will not be published.