ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ୱାସ୍ଥ୍ୟ ସେବାଠୁ ଆଇନଶୃଙ୍ଖଳା; ଖୋଜା ପଡ଼ନ୍ତି ବାପୁନ

ବାରିପଦା: ସଂପ୍ରତି ସ୍ଵାସ୍ଥ୍ୟ ବିପର୍ଯ୍ୟୟ ଦେଇ ଗତି କରୁଛି ସାରା ବିଶ୍। ଏଠି ଖାଇବା ମିଳିବା ସହଜ; ହେଲେ ଅମ୍ଳଜାନ କି ଜରୁରୀକାଳୀନ ସ୍ବାସ୍ଥ୍ୟ ସେବା ପାଇଁ ମଣିଷ ଡହଳବିକଳ। କରୋନାର ଏହି କରୁଣ ପରିସ୍ଥିତିରେ ଜନମାନସ ଛଟପଟ ହେଉଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ପାଇଁ ଅଭୟ ଆଶ୍ବାସନାର ଠିକଣା ପାଲଟିଛନ୍ତି ବାପୁନ ଭାଇ। ପୂରା ନାମ ସୁଶାନ୍ତ କୁମାର ଦାସ। ସେ କୌଣସି ପ୍ରାଶାସନିକ ଅଧିକାରୀ ନୁହଁନ୍ତି କି କୌଣସି ବରିଷ୍ଠ ପଦପଦବିରେ ବି ନାହାଁନ୍ତି। ହେଲେ ଜିଲ୍ଲାରେ ଜରୁରୀକାଳୀନ ସ୍ବାସ୍ଥ୍ୟସେବାର ୱାନ୍‌ଟାଇମ୍ ସଲ୍ୟୁସନ୍ ହେଲେ ବାପୁନ। ଯାହାଙ୍କ ଉପସ୍ଥିତ ବୁଦ୍ଧି ଓ କର୍ମନିଷ୍ଠ ଦକ୍ଷତା ଯୋଗୁଁ ଜିଲ୍ଲା କରୋନା ଭଳି ମହାମାରୀରେ ବି ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବାରେ ସଫଳ ହୋଇପାରିଛି।

ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ଚିକିତ୍ସାଳୟରେ ଯେ କୌଣସି କାମ ହେଲେ ଖୋଜାପଡ଼ନ୍ତି ବାପୁନ । ପୁଲିସ କନେଷ୍ଟବଳ ଭାବରେ ମେଡିକାଲ ଫାଣ୍ଡିରେ ୪ବର୍ଷର ଚାକିରି କାଳରେ ସେ ଲୋକଙ୍କର ଏତେ ନିଜର ହୋଇଯାଇଛନ୍ତି ଯେ ସାମାନ୍ୟ ଅସୁବିଧା ହେଲେ ଲୋକେ ବାପୁନଙ୍କୁ ଖୋଜୁଛନ୍ତି। କେବଳ ସାଧାରଣ ଲୋକ ନୁହଁନ୍ତି; ଯେଉଁଠି ପ୍ରଶାସନ ବି ହାରିଯାଏ ସେଠାରେ ବାପୁନ ହିଁ ତ୍ରାଣକର୍ତ୍ତା ଭଳି ଉଭା ହୁଅନ୍ତି। ନିଜର ନିଃସ୍ବାର୍ଥପର ସେବା ପାଇଁ ସେ ଉଭୟ ସ୍ବାସ୍ଥ୍ୟ ଓ ଆଇନଶୃଙ୍ଖଳା କ୍ଷେତ୍ରରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କେବଳ ବାରିପଦା ସହର ପାଇଁ ନୁହେଁ; ବରଂ ପୂରା ଜିଲ୍ଲାବାସୀଙ୍କର ପିଆର୍‌ଏମ୍ ମେଡିକାଲରେ ଯେକୌଣସି ପ୍ରକାର କାମ ପଡ଼ିଲେ ବାପୁନଙ୍କୁ ଲୋଡ଼ାହୁଏ। ସକାଳୁ ରାତି ଯାଏଁ ୨୪ ଘଣ୍ଟା ସେ କରୋନା ରୋଗୀଙ୍କ ସେବାରେ |

ରାତିରେ ଶୋଇବାକୁ ଯିବା ପୂର୍ବରୁ ସଙ୍ଗରୋଧ ୱାର୍ଡରୁ କୋଭିଡ୍ ହସ୍ପିଟାଲକୁ ରୋଗୀ ସ୍ଥାନାନ୍ତର ପ୍ରକ୍ରିୟାରେ ନିଜକୁ ସାମିଲ କରୁଥିବା ବେଳେ ପ୍ରତିଦିନ ଭୋରରେ କରୋନା ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ମ୍ୟୁନିସିପାଲିଟି ଗାଡ଼ି ବ୍ୟବସ୍ଥା କରିବା ଯାଏଁ ସବୁ କାମ ନିଜେ କରନ୍ତି। ଜନସାଧାରଣଙ୍କ ଠାରୁ ଖବର ପାଇ ଆମ୍ବୁଲାନ୍ସ ପଠାଇବା ହେଉ କି କାଜୁଆଲଟିରେ ରୋଗୀଙ୍କୁ ଭର୍ତ୍ତି କରିବା, ଡାକ୍ତରଙ୍କ ନିକଟକୁ ରୋଗୀକୁ ପହଞ୍ଚାଇବା, ରୋଗୀର ବିଭିନ୍ନ ସ୍ଵାସ୍ଥ୍ୟ ପରୀକ୍ଷା କରାଇବା, ଔଷଧ ଯୋଗାଣ, ରୋଗୀ ଓ ସହାୟକଙ୍କ ଖାଇବା ବ୍ୟବସ୍ଥା ବୁଝିବା ଭଳି ଟିକିନିକି କାମରେ ବାପୁନ ହିଁ ଏକମାତ୍ର ଭରସା।

କରୋନା ପ୍ରଥମ ଲହରରେ ବାପୁନ ନିଜେ ସଂକ୍ରମିତ ହୋଇ ସାରିଛନ୍ତି। ଏଥରେ ତାଙ୍କ ଫୁସ୍‌ଫୁସ୍ ୭୦ପ୍ରତିଶତ ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ସେପ୍ଟେମ୍ବର ମାସ ୧୯ ତାରିଖରେ ମୟୂରଭଞ୍ଜ ଏସ୍‌ପିସ୍ମିତ ପି ପରମାର୍‌ଙ୍କ ସ୍ଵତନ୍ତ୍ର ବ୍ୟବସ୍ଥାରେ ବାପୁନଙ୍କୁ ଭୁବନେଶ୍ବରସ୍ଥିତ କିମ୍ସ କୋଭିଡ୍ ହସ୍‌ପିଟାଲକୁ ପଠାଯାଇଥିଲା। ଅକ୍ସିଜେନ ଶଯ୍ୟା ସାହାଯ୍ୟରେ ସେ ୭ ଦିନ ରହିବା ପରେ ସେଠାରୁ ଆରୋଗ୍ୟ ହୋଇ ଫେରିଥିଲେ। ନିଜେ କରୋନାକୁ ହରାଇଥିବାରୁ କରୋନା ସହ ଯୁଦ୍ଧର କଷ୍ଟକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ବାପୁନ। ତେଣୁ କରୋନାର ହିତୀୟ ଲହରରେ ଲୋକଙ୍କ ପାଖେ ପାଖେ ରହି କରୋନା ରୋଗୀଙ୍କ ଟିକାକରଣ, ରୋଗୀ ସେବା ଠାରୁ ଆରମ୍ଭ କରି ସୁସ୍ଥ ରୋଗୀଙ୍କୁ ଘରକୁ ପଠାଇବା ଓ ମୃତକଙ୍କ ଅନ୍ତିମ ସଂସ୍କାର କରାଇବା ପ୍ରତିଟି କ୍ଷେତ୍ରରେ ନିଜର ପାରଙ୍ଗମତା ଦେଖାଇଛନ୍ତି ବାପୁନ। ବାପୁନ କାର୍ଯ୍ୟରେ ଥିବା ସମୟରେ ବହୁ ବଡ଼ବଡ଼ ସମସ୍ୟାକୁ ସମାଧାନ କରିବାର କ୍ଷମତା ରଖୁଥିବାରୁ ଜିଲ୍ଲାପାଳ, ଏସ୍‌ପିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କଠାରେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି।

୪୩ ବର୍ଷୀୟ ବାପୁନ ୧୯୯୯ ମସିହାରେ କନେଷ୍ଟବଳ ପରୀକ୍ଷାରେ ସମସ୍ତଙ୍କୁ ପଛରେ ପକାଇ ଚୟନ ତାଲିକାର ପ୍ରଥମ ସ୍ଥାନ ଅଧିକାର କରିଥିଲେ | ଜିଲ୍ଲା ରିଜର୍ଭ ପୁଲିସରୁ କାର୍ଯ୍ୟ ଆରମ୍ଭ କରି କୁଆମରା ଫାଣ୍ଡି ଓ ପରେ ମେଡିକାଲ ଫାଣ୍ଡିରେ କାର୍ଯ୍ୟ କରୁଛନ୍ତି ବାପୁନ। ସରଳ ଜୀବନ ଜିଉଁଥିବା ବାପୁନଙ୍କ ଏହି ସେବା ପଛରେ ପତ୍ନୀ ସସ୍ମିତା ଓ ପୁଅ ଆଦିତ୍ୟର ସମସ୍ତ । ସହଯୋଗ ରହିଛି ବୋଲି ବାପୁନ କହନ୍ତି |

Leave A Reply

Your email address will not be published.