ସେବାରେ କନ୍ଧମାଳର ୮୦୦ ସ୍ଵେଚ୍ଛାସେବୀ
ପେସାରେ କିଏ ଏଏନ୍ଏମ୍ ତ କିଏ ଡାକ୍ତର, ପୁଣି କିଏ ଗ୍ରାମାଞ୍ଚଳରେ କାମ କରୁଥିବା ଯୁବକଯୁବତୀ ତ ଆଉ କିଏ ସ୍ୱେଚ୍ଛାସେବୀ ସଙ୍ଗଠନର ସଦସ୍ୟ | ହେଲେ କରୋନା ମୁକ୍ତ ଅଭିଯାନରେ ଏମାନେ ଏକାଠି । କନ୍ଧମାଳ ଜିଲ୍ଲା ପ୍ରଶାସନକୁ କରୋନା ନିୟନ୍ତ୍ରଣ କରିବାରେ ଏମାନଙ୍କ ଅବଦାନ ନିଶ୍ଚିତ ଭାବେ ଅନ୍ୟକୁ ପ୍ରେରଣା ଦେବ । ୧୯୮୫ ମସିହାରୁ ଫୁଲବାଣୀ ଆକ୍ସନ୍ ଗ୍ରୁପ୍ ନାମରେ କିଛି ସ୍ଵେଚ୍ଛାସେବୀଙ୍କୁ ନେଇ ତିଆରି ହୋଇଥିଲା ଏହି ସଂଗଠନ। ଯାହାକି ସ୍ୱେଚ୍ଛାକୃତ ଭାବେ ଜିଲ୍ଲାର ବିକାଶ କାମରେ ଶ୍ରମ ଦାନ କରନ୍ତି। ନିଜ ଜିଲ୍ଲାର କଲ୍ୟାଣ ପାଇଁ ଏମାନେ ସବୁବେଳେ ଆଗଭର ହୁଅନ୍ତା। ପୂର୍ବରୁ ମଧ୍ୟ ବିଭିନ୍ନ କାମରେ ଏମାନେ ଜିଲ୍ଲା ପ୍ରଶାସନକୁ ସାହାଯ୍ୟ କରିଆସୁଥିବା ବେଳେ କରୋନାର ହିତୀୟ ଲହର ସେମାନଙ୍କ ସେବା ମନୋଭାବକୁ ସ୍ଵତନ୍ତ୍ର ସ୍ବୀକୃତି ଦେଇଛି। ଯାହାକି ଅନେକ ନୂଆ ସ୍ଵେଚ୍ଛାସେବୀଙ୍କୁ ଆଗକୁ ଆସିବାକୁ ଉତ୍ସାହିତ କରିଛି।
କରୋନା ଦ୍ଵିତୀୟ ଲହରର ଆଦ୍ୟପର୍ବରେ ଯେତେବେଳେ ସାରା ରାଜ୍ୟ ଚିନ୍ତାରେ ସଙ୍କୁଚିତ ହୋଇଥିଲା ସେତେବେଳେ ଜିଲ୍ଲା ପ୍ରଶାସନକୁ ସହଯୋଗର ହାତ ବଢ଼ାଇଥିଲେ ସଂଗଠନର କର୍ମକର୍ତ୍ତା। ଏଥିପାଇଁ ସେମାନେ ଏକ ଭବ୍ଲ୍ୟୁଆଲ୍ ମିଟ୍ କରି ବିଭିନ୍ନ ବର୍ଗର ଲୋକଙ୍କୁ ଏକାଠି ହେବାର ଆହ୍ବାନ ଦେଇଥିଲେ | ଜିଲ୍ଲାରେ କରୋନା ପରିଚାଳନା କିପରି ଭାବେ କରାଯିବ ସେଥିପାଇଁ ଏକ ଗୁଗଲ୍ ଫର୍ମ କରାଯାଇ ଲୋକଙ୍କଠାରୁ ସ୍ବେଚ୍ଛାକୃତ ସେବା ପଇଁ ଦରଖାସ୍ତ ଗ୍ରହଣ କରାଯାଇଥିଲା । ଯେଉଁମାନେ ସ୍ବେଚ୍ଛାକୃତ ଭାବେ ଶ୍ରମଦାନ କରିବାକୁ ସ୍ବୀକୃତି ଭରିଥିଲେ ସେମାନଙ୍କୁ ହିଁ ନେଇ ପ୍ରଥମେ ଆରମ୍ଭ ହୋଇଥିଲା କାମ | ଆଉ ଏବେ ସେଥ୍ରେ ୮୦୦ରୁ ଅଧିକ ସ୍ୱେଚ୍ଛାସେବୀ।
କନ୍ଧମାଳ ଜିଲ୍ଲାର ୧୭୧ଟି ପଞ୍ଚାୟତରେ ଏବେ ସ୍ଵେଚ୍ଛାସେବୀମାନେ କାମ କରୁଛନ୍ତି। କୌଣସି ଆର୍ଥିକ ପ୍ରୋତ୍ସାହନ ଲୋଭରେ ନୁହେଁ କି ନାଁ କମାଇବାର ଲାଳସାରେ ନୁହେଁ; ବରଂ ନିଜ ଜିଲ୍ଲାରେ ନିଜ ଲୋକଙ୍କ ପାଇଁ ଅସବୁଧାରେ ଛିଡ଼ା ହେବାକୁ ଏହି ପ୍ରୟାସ । ଗ୍ରାମ୍ୟସ୍ତରରେ ଲୋକଙ୍କୁ କରୋନା ବାବଦରେ ସଚେତନତା କରିବା ପାଇଁ ସେମାନେ ପ୍ରଚାରପତ୍ର ବାଣ୍ଟିବା ସହ, ମାଇକ୍ ଲଗାଇ କରୋନା ସମ୍ପର୍କିତ ସୂଚନା ପ୍ରଦାନ କରୁଛନ୍ତି। ଏଥିରେ ସାମାନ୍ୟ ସମସ୍ୟା ଉପୁଜିବାକୁ ଏବେ ସ୍ଵେଚ୍ଛାସେବୀମାନେ ଘରକୁ ଘର ଯାଇ ଲୋକଙ୍କୁ କରୋନା ବାବଦରେ ବୁଝାଇବାକୁ ଚିନ୍ତା କରିଛନ୍ତି । କରୋନାର ହିତୀୟ ଲହରରେ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୩୭ଟି ଟିଏମ୍ସି ଓ ୭ଟି କୋଭିଡ କେୟାର ସେଣ୍ଟର ଥିବା ବେଳେ ଏବେ ଏସବୁର ପରିଚାଳନା ଦାୟିତ୍ବ ସ୍ଵେଚ୍ଛାସେବୀମାନେ ନିଜେ ନେଇଛନ୍ତି। ଟିଏମ୍ସି ଓ କୋଭିଡ କେୟାର ସେଣ୍ଟର ସଫା ସୁତୁରା କରିବାଠାରୁ ଆରମ୍ଭ କରି ରହୁଥିବା ରୋଗୀଙ୍କୁ ମାଗଣାରେ ଖାଦ୍ୟ ବଣ୍ଟନ, ସେମାନଙ୍କୁ କାଉନସିଲିଂ କରିବା, ଔଷଧ ଦେବା ଭଳି ସବୁ ଗୁରୁତ୍ବପୂର୍ଣ୍ଣ କାମ ଏମାନେ ସମ୍ଭାଳୁଛନ୍ତି | ଅଙ୍ଗନବାଡ଼ି ଦିଦି, ଆଶା ଦିଦି ଓ ଏଏନ୍ଏମ୍, ଆୟୁଷ ଡାକ୍ତରଙ୍କ ସହ ଗାଁ ଗାଁରେ ଯୁବକ ଯୁବତୀମାନେ ଏଭଳି ସହଯୋଗର ହାତ ବଢ଼ାଇଥିବାରୁ କରୋନା ପରିଚାଳନା ସଫଳ ହୋଇ ପାରିଛି।
ଟିଏମ୍ସି ଓ କୋଭିଡ୍ କେୟାର ସେଣ୍ଟରକୁ ଛାଡ଼ିଦେଲେ ଅଙ୍ଗନବାଡି ଦିଦି ଓ ଆଶାଦିଦିଙ୍କ ସହ ଲୋକଙ୍କ ଘରକୁ ଘର ବୁଲି ଅକ୍ସିମିଟିର ସାହାଯ୍ୟରେ ଅମ୍ଳଜାନ୍ ମାତ୍ରା ମାପିବା ଓ ଥର୍ମାଲ ସ୍କ୍ରିନିଂ କରିବା ଭଳି କାମ ବି ଏମାନେ କରୁଛନ୍ତି। କରୋନାରେ କୌଣସି ରୋଗୀର ମୃତ୍ୟୁ ହେଲେ ଏମାନେ ମାଗଣାରେ ଶବ ସତ୍କାର ଭଳି ଗୁରୁ ଦାୟିତ୍ୱ ବି ନିଭାଉଛନ୍ତି । ଜିଲ୍ଲାରେ କରୋନା ଟିକା ପାଇଁ ଏବେ ସମସ୍ୟା ଦେଖାଦେଉଥିବା ବେଳେ ସ୍ଥାନୀୟ ଲୋକଙ୍କୁ ଏଥିପାଇଁ ବୁଝାଇବା ସବୁଠାରୁ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ତେଣୁ ସ୍ଵେଚ୍ଛାସେବୀ ମାନେ ଘରକୁ ଘର ବୁଲି ଏସବୁ କାମ ବି କରିବା ଆରମ୍ଭ କରି ଦେଇଛନ୍ତି। ପିଲାମାନଙ୍କ ମାନସିକ ସ୍ଥିତିକୁ ଆଖୁ ଆଗରେ ରଖୁ । ସେମାନଙ୍କୁ ଯୋଗ ଓ ଅନ୍ୟାନ୍ୟ ବିଷୟରେ ଶିକ୍ଷା ବି ଦେଉଛନ୍ତି । ଗର୍ଭବତୀ ମହିଳା ଓ ପ୍ରସୂତିଙ୍କୁ ବି କିପରି ନିଜ ଦେହର ଯତ୍ନ ନେବେ ସେ ବାବଦରେ ବୁଝାଉଛନ୍ତି।
ଏ ବାବଦରେ ସ୍ଵେଚ୍ଛାସେବୀ କୈଳାସ ଦଣ୍ଡପାଟ କହିଛନ୍ତି ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳରେ କିପରି କରୋନା ସଚେତନତା କଥା ପହଞ୍ଚିବ ଏଥିପାଇଁ ସ୍ବେଚ୍ଛାସେବୀମାନେ ଦିନ ରାତି ପରିଶ୍ରମ କରୁଛନ୍ତି। ଆମ ପାଇଁ ଏବେ ସବୁଠୁ ବେଶୀ ସମସ୍ୟା ଫେରୁଥିବା ପ୍ରବାସୀ। କାରଣ ଏମାନଙ୍କ ପାଖରେ ଯେଉଁ ସ୍ମାର୍ଟଫୋନ୍ ରହୁଛି ତାହା କରୋନା ବାବଦରେ ଅନେକ ମିଥ୍ୟା କଥାର ପ୍ରଚାର କରୁଛି। ତେଣୁ ଜିଲ୍ଲାରେ ଅନେକ ଲୋକ ଟିକା ନେବାକୁ ରାଜି ହେଉନାହାଁନ୍ତି । ଏଥପାଇଁ ଆମେ ଏବେ ଘରକୁ ଘର ବୁଲି ସେମାନଙ୍କୁ ଟିକା ପାଇଁ ବୁଝାଇବାକୁ ଚିନ୍ତା କରୁଛୁ । କିଛି କିଛି ଜାଗାରେ ଏଥପାଇଁ କାମ ବି ଆରମ୍ଭ ହୋଇଛି।