ପୁଣି କାୟା ମେଲିଲା କରୋନା : ନିୟନ୍ତ୍ରଣ ବାହାରେ ଦେଶର ୨୫ ଜିଲ୍ଲା

ନୂଆଦିଲ୍ଲୀ : କରୋନା ମହାମାରୀ ପୁଣିଥରେ ଦେଶରେ କାୟା ମେଲାଇଛି। ବିଭିନ୍ନ ରାଜ୍ୟରେ ସଂକ୍ରମଣ ସହିତ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ସକ୍ରିୟ ରୋଗୀସଂଖ୍ୟା ଗତ ଏକ ମାସ ମଧ୍ୟରେ ୬୯.୫୪୯ ପ୍ରତିଶତ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଏପ୍ରିଲ ୨ରେ ଦେଶରେ ୧୧,୨୮୭ ରୋଗୀ ଚିକିତ୍ସାଧୀନ ଥିଲେ। ଏହା ମେ’ ୨ ବେଳକୁ ୧୯, ୧୩୭ରେ ପହଞ୍ଚି ଯାଇଛି। ଯଦି ସଂକ୍ରମଣର ଏହି ଧାରା ଜାରି ରହେ ତେବେ ଆଗାମୀ ଦିନର ସ୍ଥିତି ଅଧିକ ଖରାପ ହୋଇପାରେ।

ଗତ ଏକ ସପ୍ତାହ ଅର୍ଥାତ ଏପ୍ରିଲ ୨୬ରୁ ମେ’୨ ମଧ୍ୟରେ ସକ୍ରିୟ ରୋଗୀସଂଖ୍ୟା ୨୫୨୦ ବୃଦ୍ଧି ପାଇଛି। ଏହା ପୂର୍ବରୁ ଏପ୍ରିଲ ୧୯ରୁ ୨୫ ମଧ୍ୟରେ ଏହା ୨୬୬୭, ଏପ୍ରିଲ ୧୨ରୁ ୧୮ ମଧ୍ୟରେ ୧୧୭୨ ବୃଦ୍ଧି ପାଇଥିଲା। ଏବେ ପ୍ରତିଦିନ ସକ୍ରିୟ ରୋଗୀସଂଖ୍ୟା ୨୦୦ରୁ ୬୦୦ ବୃଦ୍ଧି ପାଉଛି। ଦିନ ଦୁଇ ଦିନ ସକ୍ରିୟ ରୋଗୀସଂଖ୍ୟା ବିଯୁକ୍ତାତ୍ମକ ରହିଥିଲା। ପ୍ରତି ସପ୍ତାହରେ ସକ୍ରିୟ ରୋଗୀସଂଖ୍ୟା ହାରାହାରି ୨୧୧୯ ବୃଦ୍ଧି ପାଇଥିଲା। ସଂକ୍ରମଣ ଗତି ନ କମିଲେ ଏବଂ ଏହି ହାରରେ ସକ୍ରିୟ ରୋଗୀସଂଖ୍ୟା ବଢି ଚାଲିଲେ ଜୁନ୍‌ ଶେଷ ସପ୍ତାହ ସୁଦ୍ଧା ଏହି ସଂଖ୍ୟା ୩୬ ହଜାର ପାର କରିପାରେ।

ଦୈନିକ ସଂକ୍ରମଣ ଏବଂ ମୃତ୍ୟୁରେ ଭାରତ ଏବେ ୧୭ ନଂ ସ୍ଥାନରେ ରହିଛି। ବର୍ତ୍ତମାନ ଆମେରିକାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏଠାରେ ପ୍ରତ୍ୟେକ ଦିନ ୪୦ରୁ ୫୦ ହଜାର ରୋଗୀ ସଂକ୍ରମିତ ହେଉଛନ୍ତି। ସେହିପରି ମୃତ୍ୟୁ ମାମଲାରେ ଜର୍ମାନୀ ଏବଂ ଫ୍ରାନ୍ସ ଆଗରେ ରହିଛି। ଏଠାରେ ଦିନକୁ ୧୫୦ରୁ ୨୦୦ ଲୋକ ପ୍ରାଣ ହରାଉଛନ୍ତି। ଗତ ୨୪ ଘଣ୍ଟାରେ ଭାରତରୁ ୨୫୬୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୦ ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏଥିସହିତ ମୋଟ ମୃତ୍ୟୁସଂଖ୍ୟା ୫,୨୩, ୨୮୯କୁ ଏବଂ ସଂକ୍ରମିତଙ୍କ ସଂଖ୍ୟା ୪, ୩୦, ୮୪, ୯୧୩କୁ ବୃଦ୍ଧି ପାଇଛି। ଆଶ୍ବସ୍ତିର ବିଷୟ ଏହି କି ଯେ ଏ ପର୍ଯ୍ୟନ୍ତ ୪ କୋଟି ୨୫ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ସୁସ୍ଥ ହୋଇ ଘରକୁ ଫେରିଲେଣି। ତେବେ ଦେଶର ୨୫ ଜିଲ୍ଲାରେ ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଏଠାରେ ସଂକ୍ରମଣ ହାର ୫ ରୁ ୪୨ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଯାଇଛି। ମିଜୋରାମ ସେରଚିପରେ ସଂକ୍ରମଣ ହାର ୪୨.୩୨ ପ୍ରତିଶତ, ସିତୋଲରେ ୩୮.୬୧ ପ୍ରତିଶତ, ଆସାମର ଲଖିମପୁରରେ ୨୦ ପ୍ରତିଶତ, ହରିୟାଣାର ଗୁରୁଗ୍ରାମରେ ୧୪.୯୩ ପ୍ରତିଶତ, ଫରିଦାବାଦରେ ୧୧.୩୮ ପ୍ରତିଶତ, ହିମାଚଳ ପ୍ରଦେଶର ଲାହୋଲ ସ୍ପିତିରେ ୨୫ ପ୍ରତିଶତ, ଦିଲ୍ଲୀରେ ୫ ପ୍ରତିଶତରୁ ଊର୍ଦ୍ଧ୍ବ, ନୋଏଡାରେ ୧୦.୮୬ ପ୍ରତିଶତ ରହିଛି।

Leave a comment