ଘରୋଇ ପ୍ଲଟରେ ଆପାର୍ଟମେଣ୍ଟ ନିର୍ମାଣ, ଅନୁମୋଦନ ଦେଇ ବିଡିଏ ଚୁପ୍‌

ଭୁବନେଶ୍ୱର : ଭୁବନେଶ୍ୱରରେ ବେଆଇନ୍‍ ଆପାର୍ଟମେଣ୍ଟ ନିର୍ମାଣ ବଢ଼଼ି ଚାଲିଛି। ବିଡିଏର ଆଖିବୁଜା ଅନୁମତି ହେଉ କିମ୍ବା ବିନା ଅନୁମତିରେ ହେଉଥିବା ନିର୍ମାଣ ଯୋଗୁଁ ସହର ଏବେ ଆକ୍ତାମାକ୍ତା ହେବା ଅବସ୍ଥାରେ ପହଞ୍ଚିଛି। ବିଶେଷକରି ସରକାରୀ ପ୍ଲଟ ନେଉଥିବା ଲୋକମାନେ ଏବେ ସହର ପାଇଁ ବଡ଼ ଆହ୍ୱାନ ଠିଆ କରିଛନ୍ତି। ନିଜେ ରହିବା ପାଇଁ ଘର କରିବା ଆଳରେ ସରକାରଙ୍କଠାରୁ ପ୍ଲଟ୍‍ ନେଇ ଏଥିରେ ବ୍ୟବସାୟ ଉଦ୍ଦେଶ୍ୟରେ ଆପାର୍ଟମେଣ୍ଟ ତିଆରି କରାଯାଉଛି। ଯାହାକି ସମ୍ପୃକ୍ତ ଅଞ୍ଚଳର ଭାରସାମ୍ୟରେ ସମସ୍ୟା ସୃଷ୍ଟି କରିବା ସହିତ ସହର ବିନାଶର କାରଣ ସାଜୁଛି। ସରକାରୀ ପ୍ଲଟ୍‍ ନେଇଥିବା କିଛି ଜମି ମାଲିକ ନିଜେ ଏ କାର୍ଯ୍ୟ କରୁଥିବା ବେଳେ ଆଉ କିଛି ବିଲ୍ଡରଙ୍କ ଜରିଆରେ ଆପାର୍ଟମେଣ୍ଟ ତିଆରି କରୁଛନ୍ତି।

ଏ କ୍ଷେତ୍ରରେ ବିଡିଏ ଅନୁମତି ଦେବା ପାଇଁ କୌଣସି ନିୟମ କାନୁନର ତଦାରଖ କରୁ ନ ଥିବାରୁ ବେଆଇନ୍‍ ଆପାର୍ଟମେଣ୍ଟ ସଂଖ୍ୟା ବଢ଼଼ିବାରେ ଲାଗିଛି। ଅନ୍ୟପଟେ ବେଧଡ଼କ ଆପାର୍ଟମେଣ୍ଟ ନିର୍ମାଣ ଯୋଗୁଁ ବିଭିନ୍ନ ଅଞ୍ଚଳରେ ଥିବା ଛୋଟ ଛୋଟ ଏକ ମହଲା କିମ୍ୱା ଦୁଇ ମହଲା ଘରଗୁଡ଼ିକୁ ବାୟୂ ପ୍ରବେଶ ମଧ୍ୟ କଷ୍ଟକର ହୋଇପଡ଼ିଛି। ଆପାର୍ଟମେଣ୍ଟ ବ୍ୟବସାୟରେ ଲାଭ ଯୋଗୁଁ ସାଧାରଣ ପ୍ରଶାସନ ଠାରୁ ପ୍ଲଟ୍‍ ପାଇଥିବା ଲୋକେ ଏବେ ବିଲ୍ଡରମାନଙ୍କୁ ତାଙ୍କ ଜାଗା ଟେକି ଦେଉଛନ୍ତି। ଏହା ବଦଳରେ ବିଲ୍ଡରମାନେ ସମ୍ପୃକ୍ତ ଆପାର୍ଟମେଣ୍ଟରେ ବିନା ମୂଲ୍ୟରେ ୩-୪ ଟି ଫ୍ଲାଟ୍‍ ଜାଗାମାଲିକଙ୍କୁ ଦେଇ ଅନ୍ୟଗୁଡ଼ିକୁ ବିକ୍ରି କରିଦେଉଛନ୍ତି। ଯାହାକି ସମ୍ପୂର୍ଣ୍ଣ ବେଆଇନ୍‍ ଭାବେ ଚାଲିଛି। ସାଧାରଣ ପ୍ରଶାସନ କିମ୍ବା ବିଡିଏଠାରୁ ରାଜଧାନୀରେ ଜମି ଖଣ୍ଡେ ପାଇବା ପାଇଁ ବହୁ କସରତ କରିବାକୁ ପଡ଼ୁଛି।

ହେଲେ ଏହି ସରକାରୀ ଜମିରେ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ବିଡିଏ କିଭଳି ଅନୁମତି ଦେଉଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଡିଏର ଏହି ଅପରିପକ୍ୱତା କାର୍ଯ୍ୟ ପାଇଁ ବର୍ତ୍ତମାନ ବିଭିନ୍ନ ଅଞ୍ଚଳ ପାଇଁ ସ୍ୱେରେଜ, ରାସ୍ତାଘାଟ ଭଳି ମୌଳିକ ସୁବିଧା ସୃଷ୍ଟି କରିବାରେ ବାଧା ଉପୁଜିଛି। କାରଣ ଅନେକ ସ୍ଥାନରେ ଅଳ୍ପ କିଛି ଘର ସଂଖ୍ୟାକୁ ଦୃଷ୍ଟିରେ ରଖି ରଖି ସ୍ୱରେଜ, ରାସ୍ତାଘାଟ, ବିଦ୍ୟୁତ୍‍, ପାନୀୟଜଳ ଯୋଗାଣର ବ୍ୟବସ୍ଥା ହୋଇଛି। ହେଲେ ଏହି ସବୁ ବେଆଇନ୍‍ ନିର୍ମାଣ ଫଳରେ ସମ୍ପୃକ୍ତ ଅଞ୍ଚଳରେ ଆପାର୍ଟମେଣ୍ଟବାସୀଙ୍କ ସଂଖ୍ୟା ବଢ଼଼ୁଛି। ଫଳରେ ଉପରୋକ୍ତ ମୌଳିକ ସୁବିଧା ଯୋଗାଣରେ ସମସ୍ୟା ସୃଷ୍ଟି ହେବା ସହ ମୂଳବାସୀନ୍ଦାଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ଲୋକ ସଂଖ୍ୟା ବଢ଼଼ିବା କାରଣରୁ ସେମାନଙ୍କ ଗାଡ଼ି ମୋଟର ରଖିବାପାଇଁ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି।

ଆପାର୍ଟମେଣ୍ଟ ଅନୁମୋଦନ ନାଁରେ ବିଡିଏ ଲକ୍ଷଲକ୍ଷ ଟଙ୍କା ଆୟ କରି ଚୁପ୍‍ ବସିଯାଉଛି। ସାଧାରଣ ପ୍ରଶାସନ ଲିଜ୍‍ରେ ଦେଇଥିବା ଜମିରେ କୌଣସି ପ୍ରକାର ବ୍ୟବସାୟ ପାଇଁ ବାରଣ କରାଯାଇଥିବା ବେଳେ ବିଡିଏ ପକ୍ଷରୁ ଦିଆଯାଉଥିବା ଜମି ମଧ୍ୟ ବିକ୍ରି କରାଯାଇ ପାରିବ ନାହିଁ ବୋଲି ନିୟମ କରାଯାଇଛି। ହେଲେ ଏସବୁ ନିୟମକୁ ଜଳାଞ୍ଜଳି ଦେଇ ଘରୋଇ ପ୍ଲଟ୍‍ରେ ଆପାର୍ଟମେଣ୍ଟ ନିର୍ମାଣ ଜାରି ରହିଛି। ବିଡିଏ ପକ୍ଷରୁ ଏଥିରେ ନିୟନ୍ତ୍ରଣ ଲଗାଇବା ପାଇଁ କୌଣସି ବ୍ୟବସ୍ଥା ଆପଣାଯାଉ ନ ଥିବା ବେଳେ କେବଳ ନିୟମ କରି ବିଭାଗ ଚୁପ ବସିଯାଇଥିବା ଅଭିଯୋଗ ହୋଇଛି।

Leave a comment