ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଦଳିବ ଗ୍ରାମାଞ୍ଚଳରେ ଗମନାଗମନ ବ୍ୟବସ୍ଥା : ଜୁନ୍‌‌ ସୁଦ୍ଧା ସରିବ ୫୫ଟି ବସ୍‌‌ଷ୍ଟାଣ୍ଡର ନିର୍ମାଣ, ଦ୍ୱିତୀୟ ପର୍ଯ୍ୟାୟରେ ହେବ ଆଉ ୧୦୦ଟି ବସ୍‌‌ଷ୍ଟାଣ୍ଡ

ଭୁବନେଶ୍ୱର : ଚଳିତ ବର୍ଷ ଜୁନ୍‌‌ ମାସ ସୁଦ୍ଧା ରାଜ୍ୟର ୨୨ଟି ଜିଲ୍ଲାରେ ୫୫ଟି ନୂଆ ବସ୍‌‌ ଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ଶେଷ ହେବ। ଏହି ପ୍ରକଳ୍ପ ପାଇଁ ବ୍ୟୟ ଅଟକଳ ଏବେ ଦୁଇ ଗୁଣା ବୃଦ୍ଧି କରାଯାଇଛି। ତେବେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌‌ଆରଟିସି) ଆଉ ୧୦୦ଟି ସ୍ଥାନରେ ବସ୍‌‌ ଷ୍ଟାଣ୍ଡ ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ଗ୍ରାମାଞ୍ଚଳରେ ଗମନା ଗମନ ଭିତ୍ତିଭୂମିକୁ ସୁଦୃଢ଼ କରି ଲୋକଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଗତ ଡିସେମ୍ବର ମାସରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ପାଇଁ ଶୀଳାନ୍ୟାସ କରିଥିଲେ। ନିର୍ଦ୍ଧାରିତ ସମୟ ଭିତରେ ବସ୍‌‌ଷ୍ଟାଣ୍ଡ ନିର୍ମାଣ ଶେଷ କରିବା ଉପରେ ପରିବହନ ବିଭାଗ ଗୁରୁତ୍ୱାରୋପ କରୁଛି।

ସୂଚନା ଅନୁସାରେ ୫୯ଟି ବସ୍‌‌ ଷ୍ଟାଣ୍ଡ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ସେଥିରୁ ୫୫ଟିର ନିର୍ମାଣ ଆରମ୍ଭ ହୋଇଛି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌‌ଆରଟିସି) ୧୧ଟି ବସ୍‌‌ ଷ୍ଟାଣ୍ଡର ନିର୍ମାଣ କରୁଥିବା ବେଳେ ଓଡ଼ିଶା ରାଜ୍ୟ ପୁଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ୪୩ଟି ଏବଂ ଗୋଟିଏ ପୂର୍ତ୍ତ ବିଭାଗ ନିର୍ମାଣ କରୁଛି। ସେଥିରୁ ଚଳିତ ମାସ ଶେଷ ସୁଦ୍ଧା ଓଏସ୍‌‌ଆରଟିସି ୧୧ଟି ବସ୍‌‌ ଷ୍ଟାଣ୍ଡର ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖିଛି। ଆସନ୍ତା ଜୁନ୍‌‌ ମାସ ସୁଦ୍ଧା ସମସ୍ତ ୫୫ଟି ବସ୍‌‌ ଷ୍ଟାଣ୍ଡର ନିର୍ମାଣ ଶେଷ ହେବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି।

୨୦୨୨-୨୩ ବର୍ଷ ପାଇଁ ସରକାର ଏଥିପାଇଁ ୧୮୫ କୋଟି ଟଙ୍କା ମଞ୍ଜୁର କରିଥିଲେ ସୁଦ୍ଧା ଜାନୁଆରୀ ୧୧ ତାରିଖ ସୁଦ୍ଧା ପରିବହନ ବିଭାଗ ଏହି ଅର୍ଥ ପ୍ରଦାନ କରି ନାହିଁ। ୨୦୨୦ ସେପ୍ଟେମ୍ବର ୧ ତାରିଖରେ ଅର୍ଥ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଇଏଫ୍‌‌ସି ବୈଠକରେ ୫୯ ନୂଆ ବସ୍‌‌ ଷ୍ଟାଣ୍ଡ ନିର୍ମାଣ ପାଇଁ ୧୦୭ କୋଟି ୩୬ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ତେବେ ବର୍ତ୍ତମାନ ବ୍ୟୟ ଅଟକଳ ୨୭୨ କୋଟି ଟଙ୍କାରେ ପହଞ୍ଚିଲାଣି। ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୦୦ଟି ସ୍ଥାନରେ ନୂଆ ବ୍ଲକ ସ୍ତରୀୟ ବସ୍‌‌ ଷ୍ଟାଣ୍ଡ ନିର୍ମାଣ ପାଇଁ ଓଏସ୍‌‌ଆରସିଟି ପକ୍ଷରୁ ପଦକ୍ଷେପ ନିଆଯାଉଛି। ଲୋକଙ୍କ ଆବଶ୍ୟକତା ଓ ଯାତ୍ରୀ ସଂଖ୍ୟାକୁ ଦୃଷ୍ଟିରେ ରଖି ନୂଆ ବସ୍‌‌ଷ୍ଟାଣ୍ଡ ନିର୍ମାଣ ପାଇଁ ସ୍ଥାନ ଚୟନ କରାଯିବ। ବସ୍‌‌ ଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଏହାର ବିସ୍ତୃତ ତଥ୍ୟ ବିଭାଗର ପୋର୍ଟାଲରେ ଅପଲୋଡ୍‌‌ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗତ ୧୨ ତାରିଖରେ ପରିବହନ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ସୂଚନା ଦିଆଯାଇଛି।

ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ବିକାଶ କରିଥିବା ବେଳେ ଦ୍ରୁତ ଶିଳ୍ପାୟନ ଦିଗରେ ରାଜ୍ୟ ଅଗ୍ରସର ହେଉଛି। ଏପରିସ୍ଥଳେ ଉତ୍ତମ ଯୋଗାଯୋଗ ବ୍ୟବସ୍ଥା ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ନୂଆ ବସ୍‌‌ ଷ୍ଟାଣ୍ଡ ନିର୍ମାଣ ପାଇଁ ପଦକ୍ଷେପ ନେଉଛନ୍ତି। ଓଏସ୍‌‌ଆରଟିସିକୁ ଆର୍ଥିକ କ୍ଷତିରୁ ଉଦ୍ଧାର କରିବା ପାଇଁ ପରିବହନ ବିଭାଗ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ନୂଆ ବସ୍‌‌ ଷ୍ଟାଣ୍ଡ ଗ୍ରାମାଞ୍ଚଳର ଗମନାଗମନ ବ୍ୟବସ୍ଥାକୁ ସୁଧାରିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.