ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ବୟାନ ଯୁଦ୍ଧ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ବୟାନ ଯୁଦ୍ଧ ଆରମ୍ଭ ହୋଇଛି । କଂଗ୍ରେସ ନେତା ଉଦିତ ରାଜ ରାଷ୍ଟ୍ରପତିଙ୍କ ଏହି ବକ୍ତବ୍ୟ ଉପରେ କରିଥିବା ଟ୍ୱିଟକୁ ନେଇ ବିବାଦ ଆରମ୍ଭ ହୋଇଛି। ଉଦିତ ରାଜଙ୍କ ଟ୍ୱିଟ୍ ତାଙ୍କ ଆଦିବାସୀ ବିରୋଧୀ ମାନସିକତାକୁ ଦର୍ଶାଉଛି ବୋଲି ବିଜେପି କହିଥିବା ବେଳେ ଉଦିତ କହିଛନ୍ତି ଯେ, ଏହା ତାଙ୍କ ବ୍ୟକ୍ତିଗତ ମତ ଓ ଏହା ସହିତ ଦଳର କୌଣସି ସମ୍ପର୍କ ନାହିଁ ।

କଂଗ୍ରେସ ନେତା ଉଦିତ ରାଜ ଟ୍ବିଟ କରି ଲେଖିଛନ୍ତି ଯେ, ଏଭଳି ରାଷ୍ଟ୍ରପତି କୌଣସି ଦେଶକୁ ନମିଳୁ। ତେବେ ଉଦିତ ରାଜଙ୍କ ଏଭଳି ବିବାଦୀୟ ବୟାନ ପରେ ବିଜେପି ନେତା ସମ୍ଵିତ ପାତ୍ର ପାଲଟା ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ, ଉଦିତ ରାଜ ଯେଉଁଭଳି ଶବ୍ଦ ବ୍ୟବହାର କରିଛନ୍ତି ତାହା ଚିନ୍ତାଜନକ। ଏଭଳି ଶବ୍ଦ ବ୍ୟବହାର କରିଥିବା ଉଦିତ ରାଜ କଂଗ୍ରେସର ପ୍ରଥମ ନେତା ନୁହଁନ୍ତି। ତାଙ୍କ ପୂର୍ବରୁ ମଧ୍ୟ ବହୁ ନେତା ଏଭଳି ଅପଶବ୍ଦ ବ୍ୟବହାର କରିଛନ୍ତି। ତେବେ ଏହି ଘଟଣା ପରେ ରାଷ୍ଟ୍ରୀୟ ମହିଳା ଆୟୋଗ ଉଦିତ ରାଜଙ୍କୁ ନୋଟିସ୍ ପଠାଇ କ୍ଷମା ପ୍ରାର୍ଥନା କରିବାକୁ କହିଛି।

ତେବେ ଏନେଇ ଉଦିତ୍ ରାଜ କହିଛନ୍ତି ଯେ, ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଯାହା କହିଥିଲି ତାହା ବ୍ୟକ୍ତିଗତ। ଏଥିରେ କଂଗ୍ରେସର କୌଣସି ସମ୍ପର୍କ ନାହିଁ। ଆଦିବାସୀଙ୍କ ନାମରେ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଗଲା। ହେଲେ ରାଷ୍ଟ୍ରପତି ହେବା ପରେ ସେ କଣ ଆଉ ଆଦିବାସୀ ରହିଲେ ନାହିଁ। ସେ ଦେଶର ରାଷ୍ଟ୍ରପତି ହୋଇଥିଲେ ମଧ୍ୟ ଜଣେ ଆଦିବାସୀ। ଯେତେବେଳେ ଏସସି/ଏସଟି ନାମରେ ନିର୍ବାଚନ ଜିତନ୍ତି ଏବେ ଆସନ ମିଳିଯିବା ପରେ ଚୁପ୍ ହୋଇଯାଆନ୍ତି ତାହା ଖୁବ୍ କଷ୍ଟଦାୟକ।

ଏନେଇ ରାଷ୍ଟ୍ରୀୟ ମହିଳା ଆୟୋଗ ଅଧ୍ୟକ୍ଷ କହିଛନ୍ତି ଯେ, ଦେଶର ସର୍ବୋଚ୍ଚ ଶକ୍ତି ଏବଂ କଠିନ ପରିଶ୍ରମ କରି ଏହି ଏହି ଆସନରେ ପହଞ୍ଚିଥିବା ମହିଳାଙ୍କ ବିରୋଧରେ ଏଭଳି ଅପଶବ୍ଦ ବ୍ୟବହାର ଅଶୋଭନୀୟ। ଏଭଳି ଅପମାନଜନକ ପ୍ରତିକ୍ରିୟା ପାଇଁ ଉଦିତ ରାଜ୍ କ୍ଷମା ମାଗନ୍ତୁ।

ସୂଚନାଯୋଗ୍ୟ ଯେ, ନିକଟରେ ରାଷ୍ଟ୍ରପତି ମୁର୍ମୁ ଗୁଜୁରାଟ ଗସ୍ତରେ ଯାଇଥିଲେ । ଗୁଜୁରାଟରେ ସେ ସାବରମତୀ ଆଶ୍ରମକୁ ଯାଇ ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହାପରେ ଅନ୍ୟ ଏକ କାର୍ଯ୍ଯକ୍ରମରେ ଯୋଗ ଦେବା ଅବସରରେ ସେ କହିଥିଲେ ଯେ, ଦେଶର ୭୬ ପ୍ରତିଶତ ଲୁଣ ଗୁଜୁରାଟରେ ତିଆରି ହୋଇଥାଏ । ତେଣୁ ଏହି ଦୃଷ୍ଟିରୁ ପୁରା ଦେଶ ଗୁଜୁରାଟର ଲୁଣ ଖାଉଛି ବୋଲି କୁହାଯାଇପାରେ ।

 

Leave A Reply

Your email address will not be published.