ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସଡ଼କରୁ ସଂସଦ ସବୁଠି ଆଦାନୀ ତାତି : ସାରା ଦେଶରେ କଂଗ୍ରେସ କରୁଛି ବିକ୍ଷୋଭ, ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ମୁଲତବୀ

ନୂଆଦିଲ୍ଲୀ : ଆଦାନୀ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରି ରହିଛନ୍ତି ବିରୋଧୀ। ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀ ଗ୍ରୁପ୍‌କୁ ନେଇ ବିରୋଧୀ କେନ୍ଦ୍ରର ମୋଦୀ ସରକାରଙ୍କ କାଠଗଡାରେ ଛିଡା କରିବା ସହ ଆଦାନୀ ସ୍କାମ୍‌ ଉପରେ ତଦନ୍ତ କରିବାକୁ ଦାବି କରୁଛନ୍ତି। ଏହାରି ମଧ୍ୟରେ ଆଦାନୀ ପ୍ରସଙ୍ଗକୁ ନେଇ ଲାଗାତର ସଂସଦର ଉଭୟ ଗୃହରେ ବିରୋଧୀ ଜୋରଦାର ହଙ୍ଗାମା କରିବା ସହ ଗୃହକାର୍ଯ୍ୟ ଚଳାଇ ଦେଉନାହାନ୍ତି। ଯେଉଁଥି ପାଇଁ ଆଜି ମଧ୍ୟ ଗୃହକୁ ମୁଲତବୀ କରାଯାଇଛି। ସେପଟେ କଂଗ୍ରେସ  ଆଦାନୀ ପ୍ରସଙ୍ଗକୁ ନେଇ ସାରା ଦେଶରେ ରଣହୁଙ୍କାର ଦେଇଛି।

ଆଦାନୀ ପ୍ରସଙ୍ଗରେ ସଂସଦରେ ଆଲୋଚନା କରିବାକୁ କଂଗ୍ରେସ ସମେତ ବହୁ ବିରୋଧୀ ଦଳ ଦାବି କରିଥିଲେ ହେଁ ଏହାକୁ ଉଭୟ ଗୃହରେ ଅଗ୍ରାହ୍ୟ କରିଦିଆଯାଇଥିଲା। ତେଣୁ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ସୋମବାର ଦେଶବ୍ୟାପୀ ବିକ୍ଷୋଭ କରୁଛି। ସଂସଦ ଭବନ ପରିସର ଗାନ୍ଧୀ ମୂର୍ତ୍ତି ସମ୍ମୁଖରେ ସମସ୍ତ କଂଗ୍ରେସ ସାଂସଦ ବିକ୍ଷୋଭ କରୁଥିବା ବେଳେ ଜାତୀୟ ଯୁବ କଂଗ୍ରେସ ପକ୍ଷରୁ ସଂସଦ ଭବନ ନିକଟସ୍ଥ ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ଏହାଛଡ଼ା ଦେଶବ୍ୟାପୀ ସମସ୍ତ ଜୀବନ ବୀମା ନିଗମ ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ କଂଗ୍ରେସ କର୍ମୀ ଓ ନେତାମାନେ ବିକ୍ଷୋଭ କରୁଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଶିଳ୍ପପତି ବନ୍ଧୁମାନଙ୍କ ହାତରେ ଦେଶବାସୀଙ୍କ ସଞ୍ଚିତ ଧନ ଓଜାଡି ଦେଇଛନ୍ତି। ବ୍ୟାବସାୟିକ କ୍ଷେତ୍ରରେ ସେମାନଙ୍କୁ ସହାୟତା କରିବାକୁ ଏଲଆଇସି,ଷ୍ଟେଟ ବ୍ୟାଙ୍କ ଭଳି ବହୁ ରାଷ୍ଟ୍ରାୟତ୍ତ ସଂସ୍ଥାର ଅର୍ଥ ଯୋଗାଇ ଦିଆଯାଇଛି। ଆଦାନୀ ସ୍କାମ୍‌ ଏହାର ଏକ ଜ୍ବଳନ୍ତ ଉଦାହରଣ ବୋଲି କଂଗ୍ରେସ କହିଛି। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ କିମ୍ବା ଯୁଗ୍ମ ସଂସଦୀୟ କମିଟି ଦ୍ବାରା ଯାଞ୍ଚ କରିବାକୁ ଦାବି କରାଯାଇଥିଲେ ହେଁ କେନ୍ଦ୍ର ସରକାର ଏହାକୁ ଏଡାଇ ଯାଇଛନ୍ତି। କିନ୍ତୁ ଏହା ବିରୋଧରେ ଆମର ବିକ୍ଷୋଭ ଜାରି ରହିବ ବୋଲି କଂଗ୍ରେସ କହିଛି।

ଉଲ୍ଲେଖଯୋଗ୍ୟ ଯେ, ଆଦାନୀ ଗ୍ରୁପ୍‌ ବିରୋଧରେ ଆମେରିକୀୟ ରିସର୍ଚ୍ଚ ସଂସ୍ଥା ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ କଂଗ୍ରେସ ସମେତ ୧୬ ବିରୋଧୀ ଦଳ କେନ୍ଦ୍ରକୁ ଘେରିଥିଲେ। ଗତ ଗୁରୁବାର ଏବଂ ଶୁକ୍ରବାର ଦୁଇ ଦିନ ଧରି ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ବିରୋଧୀ ଦାବି କରିଥିଲେ ହେଁ ଏହାକୁ ଅଗ୍ରାହ୍ୟ କରିଦିଆଯାଇଥିଲା। ଯାହାକୁ ନେଇ ଉଭୟ ଗୃହରେ ବିରୋଧୀ ହଙ୍ଗାମା କରିଥିଲେ। ଫଳରେ ଗୁରୁବାର ଏବଂ ଶୁକ୍ରବାର ସଂସଦର କୌଣସି କାର୍ଯ୍ୟ ହୋଇପାରି ନଥିଲା ଏବଂ ଗୃହ ସୋମବାର ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା। ତେବେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଆଲୋଚନା ନ କରିବା ଯାଏଁ ବିରୋଧୀ ଦଳ ସେମାନଙ୍କ ଦାବିରୁ ହଟିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଏହିକ୍ରମରେ କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ବରେ ଟିଏମସି, ଡିଏମକେ, ଶିବସେନା, ସମାଜବାଦୀ ପାର୍ଟି ଭଳି ବହୁ ଦଳୀୟ ନେତା କେନ୍ଦ୍ର ବିରୋଧରେ ଏକାଠି ହୋଇଛନ୍ତି।

Leave A Reply

Your email address will not be published.