ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ୨ ପଦକ : ପ୍ରିୟଙ୍କା ଗୋସ୍ୱାମୀ ଓ ଅବିନାଶ ମୁକୁନ୍ଦ ଜିତିଲେ ରୌପ୍ୟ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଆଜି ଭାରତକୁ ଆଉ ଦୁଇ ପଦକ ମିଳିଛି। ଭାରତ ପାଇଁ ମହିଳା ୧୦ ହଜାର ମିଟର ଚାଲିବା ପ୍ରତିଯୋଗିତାରେ ପ୍ରିୟଙ୍କା ଗୋସ୍ୱାମୀ ଜିତିଛନ୍ତି ରୌପ୍ୟ ପଦକ। ସେ ଆଜିର ମାରାଥନ ରେସରେ ଦମଦାର ପ୍ରଦର୍ଶନ କରିଛନ୍ତି। ଏଥିସହ ସହ ନିଜର ବ୍ୟକ୍ତିଗତ ପ୍ରଦର୍ଶନ ଠାରୁ ଭଲ ଟାଇମିଂରେ ରେସ ଶେଷ କରିଛନ୍ତି। ଏଥି ସହିତ ୩୦୦୦ ମିଟର ଷ୍ଟପଲଚେଜ୍‌ରେ ଦେଶ ପାଇଁ ରୌପ୍ୟ ପଦକ ଜିତିଛନ୍ତି ଅବିନାଶ ମୁକୁନ୍ଦ ସାବଲେ। ଅବିନାଶ ପ୍ରଥମ ଭାରତୀୟ ଭାବେ ଷ୍ଟିପଲଚେଜ୍‌ ଇଭେଣ୍ଟରେ ଏପରି ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି। ସେ ମାତ୍ର ୫ ସେକେଣ୍ଡ ପାଇଁ ସ୍ୱର୍ଣ୍ଣ ପଦକ ହରାଇଥିଲେ ମଧ୍ୟ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି।


୧୦ ହଜାର ମିଟର ଚାଲିବା ପ୍ରତିଯୋଗିତାରେ ପ୍ରିୟଙ୍କା ଗୋସ୍ୱାମୀ ଏହି ରେସ୍‌କୁ ରେକର୍ଡ ୪୯ ମିନିଟ ୩୮ ସେକେଣ୍ଡରେ ପାର କରିଛନ୍ତି।ପ୍ରିୟଙ୍କା ଭାରତର ପ୍ରଥମ ମହିଳା ଭାବେ ରେସ ୱାକ ବା ଚାଲିବା ଇଭେଣ୍ଟରେ ପଦକ ଜିତିଛନ୍ତି। ସେହିପରି ସେ ଦ୍ୱିତୀୟ ଭାରତୀୟ ଯିଏ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାର ଏହି ଇଭେଣ୍ଟରେ ପୋଡିୟମରେ ନିଜର ଅଭିଯାନ ଶେଷ କରିଛନ୍ତି। ଏହାପୂର୍ବରୁ ହରମିନ୍ଦର ସିଂହ ୨୦ କିମି ରେସ ୱାକରେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ।


ଆଜିର ପ୍ରତିଯୋଗିତାରେ ପ୍ରିୟଙ୍କା ୪୦୦୦ ମିଟର ଅର୍ଥାତ ୪ କିମି ଯାଏ ୧ ନଂ ସ୍ଥାନରେ ରହିଥିଲେ। କିନ୍ତୁ ଏହାପରେ ଅଷ୍ଟ୍ରେଲିଆର ଜେମିମା ମୋଣ୍ଟାଗ ଓ କେନିୟାର ଇମଲୀ ଏନଗି ତାଙ୍କୁ ପଛରେ ପକାଇ ଦେଇଥିଲେ। ୮କିମି ଦୂରତା ଶେଷ ହେବା ବେଳକୁ ପ୍ରିୟଙ୍କା ତୃତୀୟ ସ୍ଥାନରେ ରହିଥିଲେ। କିନ୍ତୁ ଶେଷ ୨ ହଜାର ମିଟର ରେସରେ ସେ ଜବରଦସ୍ତ କମବ୍ୟାକ୍‌ କରି ଦେଶ ପାଇଁ ରୌପ୍ୟ ପଦକ ଜିତିଥିଲେ। ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ଅନ୍ୟତମ ଭାରତୀୟ ଭାବନା ଜାଟ ୮ମ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି।

ସେହିପରି ଅବିନାଶ ମୁକୁନ୍ଦ ସାବଲେ ନ୍ୟାଶନାଲ ରେକର୍ଡ ସହ ୮.୧୧.୨୦ ଟାଇମିଂ ସହ ୩୦୦୦ ମିଟର ଦୂରତାକୁ ଅତିକ୍ରମ କରିଛନ୍ତି। କେନିୟାର ଆବ୍ରାହମ କିବିୱଟ ୮.୧୧.୧୫ ଟାଇମିଂ ସହ ସ୍ୱର୍ଣ୍ଣ ଜିତିଥିବା ବେଳେ ସେହି କେନିୟାର ଅମୋସ ସେରୁମ ୮.୧୬.୮୩ ସେକେଣ୍ଡ ଟାଇମିଂ ସହ ବ୍ରୋଞ୍ଜ ପଦକ ଜିତିଛନ୍ତି। ବିଶ୍ୱ ଚାମ୍ପିୟନଶିପରେ ଅବିନାଶ ୧୧ତମ ସ୍ଥାନରେ ରହି ନିଜର ଅଭିଯାନ ଶେଷ କରିଥିଲେ। ହେଲେ ଆଜି ସେ ନିଜର ଦମ ଦେଖାଇ ରୌପ୍ୟ ପଦକ ହାସଲ କରିଛନ୍ତି। ଅବିନାଶ ପଦକ ଜିତିବା ପରେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦୌଡ଼କୁଦ ଇଭେଣ୍ଟରେ ଭାରତର ପଦକ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ତାଙ୍କ ପୂର୍ବରୁ ମହିଳା ୧୦୦୦ ମିଟର ରେସ ୱାକରେ ପ୍ରିୟଙ୍କା ଗୋସ୍ୱାମୀ ରୌପ୍ୟ, ଉଚ୍ଚ ଡିଆଁରେ ତେଜସ୍ୱିନ ଶଙ୍କର ବ୍ରୋଞ୍ଜ ଓ ଲମ୍ବ ଡିଆଁରେ ମୁରଲୀ ଶ୍ରୀଶଙ୍କର ରୌପ୍ୟ ପଦକ ଜିତିଥିଲେ।

Leave A Reply

Your email address will not be published.