କମିସନରେଟ୍‍ ପୁଲିସର ସବୁଜ ସଙ୍କେତ: ରାଜଧାନୀର ୩୦ ସ୍ଥାନରେ ମିଳିବ ବାଣ, ଦୀପାବଳିରେ ୨ ଘଣ୍ଟା ବାଣ ଫୁଟାଇବା ଲାଗି ମିଳିଲା ଅନୁମତି

ଭୁବନେଶ୍ୱର: ରାଜଧାନୀରେ ବାଣ ଫୁଟାଇବା ଲାଗି ଏବେ ଠାରୁ ଉତ୍ସାହ। ବାଣ କିଣିବା ଲାଗି ଭିଡ଼ ଜମିଲାଣି। ୭ଟି ସ୍ଥାନରେ ବାଣ ବିକ୍ରି କରିବାକୁ ପ୍ରଶାସନ ଅନୁମତି ଦେଇଥିବା ବେଳେ ଏହାକୁ ବଢ଼ାଇ ଦିଆଯାଇଛି। ଏଥର ରାଜଧାନୀର ବିଭିନ୍ନ ଅଞ୍ଚଳର ୩୦ଟି ସ୍ଥାନରେ ବାଣ ବିକ୍ରି କରାଯିବ। ଏନେଇ ସବୁଜ ସଙ୍କେତ ଦେଇଛି କମିସନରେଟ୍‍ ପୁଲିସ। ଏସବୁ ସ୍ଥାନରେ ପୁଲିସ ଠାରୁ ଅନୁମତି ନେଇଥିବା ଲାଇସେନ୍ସପ୍ରାପ୍ତ ବାଣ ବ୍ୟବସାୟୀ ଦୋକାନ ଖୋଲିପାରିବେ। କେବଳ ସ୍ୱୀକୃତିପ୍ରାପ୍ତ ଦୋକାନୀ ବାଣ ବିକ୍ରି କରିବେ ବୋଲି ସ୍ପଷ୍ଟ ଭାବେ ଦର୍ଶାଯାଇଛି। ଯଦି କୌଣସି ବ୍ୟକ୍ତି ବେଆଇନ ବାଣ ବିକ୍ରି କରୁଥିବାର ନଜର ଆସେ, ତାହେଲେ ୭୦୭୭୭୯୮୧୧୧ ନମ୍ବରରେ ଯୋଗାଯୋଗ କରିବାକୁ ପୁଲିସ ପକ୍ଷରୁ କୁହାଯାଇଛି। ଏହାଛଡ଼ା ଅଗ୍ନିଶମ ନିୟମାବଳୀକୁ କଡ଼ାକଡ଼ି ମଧ୍ୟ ହୋଇଛି। ଦୁଇ ବର୍ଷ ପରେ ଆଲୋକର ପର୍ବ ଦୀପାବଳିରେ ବାଣ ଫୁଟାଇବାର ଅନୁମତି ମିଳିଛି, ଏଣୁ ଏହାକୁ ଶାନ୍ତି ଶୃଙ୍ଖଳାରେ ପାଳନ କରିବାକୁ ରାଜଧାନୀବାସୀଙ୍କୁ ଅନୁରୋଧ କରିଛି କମିସନରେଟ୍‍ ପୁଲିସ।

 

ସେହିପରି,  ଦୀପାବଳିରେ ୨ ଘଣ୍ଟା ବାଣ ଫୁଟାଇବା ଲାଗି ଅନୁମତି ଦେଇଛି କମିସନରେଟ୍‍ ପୁଲିସ। ଏଣୁ ପୁଲିସ ପକ୍ଷରୁ ଏକ ନିର୍ଦ୍ଦେଶାବଳୀ ଦିଆଯାଇଛି। ବାଣ ବିକ୍ରି ହେଉଥିବା ସ୍ଥାନଗୁଡ଼ିକରେ ଏସବୁ ନିୟମ ପାଳନ କରିବାକୁ କୁହାଯାଇଛି। ଏହାକୁ ଉଲ୍ଲଘଂନ କଲେ ଆଇନ୍‍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

-ରାତି ୮ଟାରୁ ୧୦ଟା ମଧ୍ୟର ବାଣ ଫୁଟାଇବାକୁ ଅନୁମତି

-ନିଷିଦ୍ଧାଞ୍ଚଳ ଯଥା ହସ୍ପିଟାଲ୍‍, ଶିକ୍ଷାନୁଷ୍ଠାନ ଓ କୋର୍ଟରେ ବାଣ ଫୁଟାଇବା ମନା

-ବାଣ ଦୋକାନଗୁଡ଼ିକ ପରସ୍ପରଠାରୁ ଅତି କମରେ ୩ ମିଟର ଦୂରତା

-ଦୋକାନଗୁଡ଼ିକ ପରସ୍ପରର ମୁହାଁମୁହିଁ ହେବେ ନାହିଁ

-ପ୍ରତ୍ୟେକ ଦୋକାନର ଚଟାଣ କ୍ଷେତ୍ର ୧୦-୧୨ ବର୍ଗ ମଧ୍ୟରେ ସୀମିତ

-ତେଲ ଜଳୁଥିବା ଦୀପ, ଗ୍ୟାସ୍‍ ଲ୍ୟାମ୍ପ, ମହମବତୀ ବ୍ୟବହାର କରାଯିବ ନାହିଁ

-ଦୋକାନ ଠାରୁ ୫୦ ମିଟର ମଧ୍ୟରେ ଆତସବାଜି ପ୍ରଦର୍ଶନ ଅନୁମତି ନାହିଁ

-ଗୋଟିଏ କ୍ଲଷ୍ଟରରେ ୫୦ରୁ ଅଧିକ ଦୋକାନ ଅନୁମତି ଦିଆଯିବ ନାହିଁ

-ଦୋକାନରେ ପର୍ଯ୍ୟାପ୍ତ ଅଗ୍ନି ନିର୍ବାପକ ଯନ୍ତ୍ର, ସୁବିଧା ଏବଂ ପ୍ରଥମ ସହାୟତା ଦୋକାନରେ ରଖାଯିବ

-କେବଳ ସବୁଜ କ୍ରାକର (ଯାହା କମ୍‍ ପ୍ରଦୂଷିତ)ଗୁଡ଼ିକ ବିକ୍ରୟ ପାଇଁ ଅନୁମତି

Leave a comment