ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେନ୍ଦ୍ର ଶୁଣିଲାନି; ନିଜ ସମ୍ବଳରୁ ରାଜ୍ୟସରକାର ନିର୍ମାଣ କରିବେ ବାତ୍ୟା ପ୍ରତିରୋଧୀ ଲୁଣାବନ୍ଧ, ଜୁଆର ମାଡ଼ରୁ ବଞ୍ଚିବ ଉପକୂଳ

ଭୁବନେଶ୍ୱର: ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସବୁବେଳେ ସମ୍ମୁଖୀନ ହେଉଥିବା ଓଡ଼ିଶାରେ ବାତ୍ୟା ପ୍ରତିରୋଧୀ ଲୁଣାବନ୍ଧ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ନିକଟରେ ଦାବି କରି ଆସିଛନ୍ତି। ରାଜ୍ୟର ଏହି ଦାବି ପ୍ରତି କେନ୍ଦ୍ର ସରକାର କର୍ଣ୍ଣପାତ କରୁନଥିବା ବେଳେ ନିଜ ସମ୍ବଳରେ ଲୁଣାବନ୍ଧ ସୁଦୃଢ଼ୀକରଣ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଗତ ଅଗଷ୍ଟ ୧୨ ତାରିଖରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏଥିପାଇଁ ୭୬୩.୭୮ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ଅର୍ଥକୁ କିପରି ବିନିଯୋଗ କରାଯିବ ଏଥିପାଇଁ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଯୋଜନାରେ ମୋଟ ୩୬ଟି ବାତ୍ୟା ପ୍ରତିରୋଧୀ ଲୁଣାବନ୍ଧ ପ୍ରକଳ୍ପ ନିର୍ମାଣ ହେବ ଓ ସମସ୍ତ କାର୍ଯ୍ୟ ୨୦୨୪-୨୫ ଆର୍ଥିକ ବର୍ଷ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଏହି ଯୋଜନା ଅଧୀନରେ ରାଜ୍ୟର ୪ଟି ଉପକୂଳବର୍ତ୍ତୀ ଜିଲ୍ଲା ଯଥା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ପ୍ରାୟ ୧୯୮.୮୧ କିଲୋମିଟର ବାତ୍ୟା ପ୍ରତିରୋଧୀ ଲୁଣାବନ୍ଧ ପ୍ରକଳ୍ପ ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ବାତ୍ୟା ସମୟରେ ଏହି ୪ ଜିଲ୍ଲାରେ ସମୁଦ୍ର ଲୁଣା ଜୁଆର ମାଡ଼ି ଆସେ। ଏହାଦ୍ୱାରା ବହୁ ଚାଷଜମି କ୍ଷୟକ୍ଷତି ହୁଏ। ତେଣୁ ଉପକୂଳ ସୁରକ୍ଷା ନିମନ୍ତେ ଏହି ବନ୍ଧଗୁଡ଼ିକୁ ନିର୍ମାଣ କରାଯିବ। ଏହାଦ୍ୱାରା ବନ୍ୟା ଓ ସମୁଦ୍ର ଜୁଆରରୁ ଚାଷ କ୍ଷେତଗୁଡ଼ିକୁ ସୁରକ୍ଷିତ ରଖାଯାଇପାରିବ। ପ୍ରାଥମିକ ଭାବେ ଚଳିତ
ଆର୍ଥିକ ବର୍ଷରେ ପ୍ରକଳ୍ପ ପାଇଁ ମୋଟ ୧୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ବଳକା ୬୬୩ କୋଟି ୪୮ ଲକ୍ଷ ଟଙ୍କା ୨୦୨୩-୨୪ ଏବଂ ୨୦୨୪-୨୫ ଆର୍ଥିକ ବର୍ଷରେ ଖର୍ଚ୍ଚ ହେବ। ଏହି ପ୍ରକଳ୍ପ ସହ ବିଭିନ୍ନ ବିଭାଗ ସମ୍ପୃକ୍ତ ରହୁଥିବାର ପ୍ରକଳ୍ପର ସଠିକ୍‌‌ କାର୍ଯ୍ୟନ୍ୱୟନ ପାଇଁ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଷ୍ଟିୟରିଂ କମିଟି ଗଠନ କରାଯିବ। ଏହି କମିଟିରେ ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ, ୪ ଜିଲ୍ଲାର ଜିଲ୍ଲାପାଳ, ସ୍ୱତନ୍ତ୍ର ରିଲିଫ୍‌‌ କମିଶନର ଓ ଓଡ଼ିଶା ରାଜ୍ୟ ବିପର୍ଯୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପ୍ରତିନିଧି, ଉପକୂଳ ରାଜପଥ କର୍ତ୍ତୃପକ୍ଷଙ୍କ ପ୍ରତିନିଧି,ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପ୍ରତିନିଧି ପ୍ରମୁଖ ସଦସ୍ୟ ରହିବେ। ଏହି କମିଟି ପ୍ରତି ୩ ମାସରେ ଥରେ ବୈଠକ କରିବା ସହ ବିଭିନ୍ନ ସମସ୍ୟା ତଥା ପ୍ରକଳ୍ପର କାର୍ଯ୍ୟନ୍ୱୟନ ସମ୍ପର୍କରେ ଅନୁଧ୍ୟାନ କରିବ। ସେହିପରି ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ପ୍ରତି ମାସ ସମୀକ୍ଷା କରିବେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶାରେ ସମୁଦ୍ର ତଟ ସୁରକ୍ଷା ଓ ଲୁଣିବନ୍ଧ ସୁଦୃଢ଼ୀକରଣ ପାଇଁ ରାଜ୍ୟ ସରକାର ଏବଂ ରାଷ୍ଟ୍ରୀୟ ପ୍ରାଦ୍ୟୋଗିକ ସଂସ୍ଥାନ(ଏନଆଇଓଟି) ମଧ୍ୟରେ ଏକ ବୁଝାମଣା ପତ୍ର ଗତ ଅଗଷ୍ଟ ମାସ ୧୦ ତାରିଖରେ ସ୍ୱାକ୍ଷରିତ ହୋଇଥିଲା। ବୁଝାମଣା ପତ୍ର ଅନୁଯାୟୀ ଏନଆଇଓଟି ଏଥିପାଇଁ ବୈଷୟିକ ସହାୟତା ଏବଂ ଆଧୁନିକ ଜ୍ଞାନକୌଶଳ ଯୋଗାଇଦେବ। ଏହା ଫଳରେ ରାଜ୍ୟର ୬ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଏହି ଏମଓୟୁ ବେଶ୍‌‌ ସହାୟକ ହୋଇପାରିବ।

Leave A Reply

Your email address will not be published.