ରାଜ୍ୟରେ କୋଇଲା ସଙ୍କଟ : ୫ ହଜାର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ଭବିଷ୍ୟତ ଅନ୍ଧାର

ଭୁବନେଶ୍ୱର : ଆର୍ଥିକ ବର୍ଷ (୨୦୨୧-୨୨)ରେ ମହାନଦୀ କୋଲଫିଲ୍ଡ ଲିମିଟେଡ (ଏମସିଏଲ) ଦେଶର ସର୍ବାଧିକ କୋଇଲା ଉତ୍ପାଦନକାରୀ କମ୍ପାନୀ ଭାବେ ବିବେଚିତ ହୋଇଛି। ଚଳିତ ମାସ ୧୨ ତାରିଖ ସୁଦ୍ଧା ଏମ୍‍ସଏଲ୍‍ ୧୫୭.୭ ନିୟୁତ ଟନ କୋଇଲା ଉତ୍ପାଦନ କରିଛି, ଯାହା ପୂର୍ବବର୍ଷ ତୁଳନାରେ ପ୍ରାୟ ୧୬% ଅଧିକ। ଏହା ସତ୍ତ୍ବେ ଓଡ଼ିଶାରୁ ଉତ୍ପାଦିତ କୋଇଲାରୁ ରାଜ୍ୟର ଶିଳ୍ପ ସଂସ୍ଥାଗୁଡ଼ିକୁ କୋଇଲା ମିଳିବା ସମ୍ଭବ ହେଉନାହିଁ। ଓଡ଼ିଶାରୁ କୋଇଲା ସାରା ଦେଶକୁ ରପ୍ତାନୀ ହେଉଛି। କେନ୍ଦ୍ର ସରକାରଙ୍କ ସୂଚନା ଅନୁସାରେ ରାଜ୍ୟରୁ ଉତ୍ପାଦିତ କୋଇଲାର ୫୪% ଅନ୍ୟ ରାଜ୍ୟର ତାପଜ ବିଦ୍ୟୁତ୍‍ କେନ୍ଦ୍ର ଓ ଶିଳ୍ପ ସଂସ୍ଥାକୁ ଚାଲାଣ ହେଉଛି। ମାତ୍ର ରାଜ୍ୟର ଶିଳ୍ପସଂସ୍ଥାକୁ କୋଇଲା ଯୋଗାଇବା ପାଇଁ କୋଇଲା ମନ୍ତ୍ରଣାଳୟ ଓ ଏମ୍‍ସିଏଲ୍‍ ଟାଳଟୁଳ ନୀତି ଅବଲମ୍ବନ କରୁଛି। ଯାହାଫଳରେ ରାଜ୍ୟର ୫ହଜାର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗୋଟିଏ ପଟେ ରାଜ୍ୟର କୋଇଲା ଭିତ୍ତିକ ଶିଳ୍ପାନୁଷ୍ଠାନଗୁଡ଼ିକ ନିଜ ହକ୍‍ ପାଇବାରୁ ବଞ୍ଚିତ ହେଉଥିବା ବେଳେ ଅନ୍ୟପଟରେ କୋଇଲା ବାବଦରେ ଓଡ଼ିଶାର ହକ୍‍ ବାବଦ ରାଜସ୍ୱ ପ୍ରଦାନ କରିବାକୁ କେନ୍ଦ୍ର ଉଚିତ୍‍ ମଣୁନାହିଁ। ୨୦୧୭ ମସିହାରୁ ରାଜ୍ୟ ସରକାର ନିଜର ହକ୍‍ ମୁତାବକ କୋଇଲା ରୟାଲଟିରେ ସଂଶୋଧନ ସହ ବୃଦ୍ଧି କରିବାକୁ କେନ୍ଦ୍ର ନିକଟରେ ବାରମ୍ବାର ଦାବି କରି ଆସୁଛନ୍ତି। ମାତ୍ର କେନ୍ଦ୍ର ଏନେଇ କର୍ଣ୍ଣପାତ କରୁନଥିବା ବେଳେ ଓଲଟା ଓଡ଼ିଶା କୋଇଲାର ସିଂହଭାଗ ନେଇଯାଉଛି। ବିଡ଼ମ୍ବନା ହେଉଛି କୋଇଲାରୁ ସଂଗୃହୀତ ସେସ୍‍ରୁ ମଧ୍ୟ ଓଡ଼ିଶା ଟଙ୍କାଟିଏ ବି ଭାଗ ପାଉନାହିଁ। ଯାହାଫଳରେ ରାଜ୍ୟ ପ୍ରତିବର୍ଷ ପାଖାପାଖି ୫ ହଜାର କୋଟି ଟଙ୍କା କ୍ଷତି ସହୁଛି। ଉଭୟ ଦିଗରୁ ଓଡ଼ିଶା କ୍ଷତିଗ୍ରସ୍ତ ହେଉଥିବା ବେଳେ ଅନ୍ୟରାଜ୍ୟ ଏବଂ କେନ୍ଦ୍ର ସରକାର ଓଡ଼ିଶାର କୋଇଲାରୁ ନିଜ ଫାଇଦା ହାସଲ କରୁଛନ୍ତି। ଓଡ଼ିଶା ପ୍ରତି କେନ୍ଦ୍ରର ଏପ୍ରକାର ବୈମାତୃକ ମନୋଭାବ କେତେଦିନ ଚାଲିବ ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠିଲାଣି। ନିକଟରେ ଓଡ଼ିଶା ଆସେମ୍ବଲି ଅଫ୍‍ ସ୍ମଲ ଏଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ(ଓଏଏସଏମଇ) ପକ୍ଷରୁ ରାଜ୍ୟରେ ଗୁରୁତର କୋଇଲା ସଙ୍କଟ ନେଇ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲା।

ଏଥିସହିତ ପଢ଼ନ୍ତୁ

ଏନେଇ ଚିଠିରେ ସେମାନେ ଦର୍ଶାଇଥିଲେ ଯେ ଦେଶର ମୋଟ କୋଇଲାର ୨୫ ଭାଗ ଓଡ଼ିଶାରେ ଗଚ୍ଛିତ ଥିବାବେଳେ ଏମଏସିଏଲରୁ ଉତ୍ପାଦିତ କୋଇଲାର ମୋଟ ୫୪ ପ୍ରତିଶତ ଅନ୍ୟ ରାଜ୍ୟକୁ ଯୋଗାଣ କରାଯାଉଛିି। ମାତ୍ର ୪୬ ପ୍ରତିଶତ କୋଇଲା ରାଜ୍ୟର ସ୍ଥାନୀୟ ଶିଳ୍ପାନୁଷ୍ଠାନଗୁଡ଼ିକୁ ଯୋଗାଇ ଦିଆଯାଉଛି। ସ୍ଥାନୀୟ ସିପିପି(କ୍ୟାପ୍ଟିଭ ପାୱାର ପ୍ଲାଣ୍ଟ) ପାଇଁ ୬୫ ପ୍ରତିଶତ କୋଇଲାର ଆବଶ୍ୟକତା ରହିଥିବାବେଳେ ତାହା ସଠିକ୍‍ ଭାବେ ଆପୂର୍ତ୍ତି ହୋଇପାରୁ ନାହିଁ। କୋଇଲାର ଏପରି ଗୁରୁତର ସଙ୍କଟ ରାଜ୍ୟର ଉତ୍ପାଦନ କ୍ଷେତ୍ରକୁ ଗୁରୁତର ଭାବେ ପ୍ରଭାବିତ କରୁଥିବା ବେଳେ ଏମଏସଏମଇ ଗୁଡ଼ିକ ବନ୍ଦ ହେବା ପରିସ୍ଥିତିକୁ ଆସିଲାଣି। ଯଦି ପରିସ୍ଥିତିକୁ ସଠିକ୍‍ ସମୟରେ ଆୟତ୍ତ କରାନଯାଏ ତାହେଲେ ରାଜ୍ୟର ପ୍ରାୟ ୫୦୦୦ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପାନୁଷ୍ଠାନ ବନ୍ଦ ହୋଇଯିବାର ସମ୍ଭାବନା ରହିଛି। ତେଣୁ ପ୍ରଧାନମନ୍ତ୍ରୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଉଭୟ କୋଇଲା ଏବଂ କୋଲ ରେକ୍‍ର ଯେପରି ଶତ ପ୍ରତିଶତ ଯୋଗାଣ ହୋଇପାରିବ ସେନେଇ ଦୃଷ୍ଟି ଦେବାକୁ ଦାବି ଓଏଏସଏମଇ ପକ୍ଷରୁ ଅନୁରୋଧ କରାଯାଇଛି।

ଏନେଇ ଓଏଏସଏମଇର ସେକ୍ରେଟାରୀ ଜେନେରାଲ ସାତ୍ତ୍ୱିକ ସ୍ୱାଇଁ କହିଛନ୍ତି ରାଜ୍ୟକୁ ଶିଳ୍ପ ସମୃଦ୍ଧ ଭାବେ ଗଢ଼ିତୋଳିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ରାଜ୍ୟରେ ପ୍ରତିବର୍ଷ କୋଇଲା ଉତ୍ପାଦନରେ ରେକର୍ଡ ପରେ ରେକର୍ଡ ସୃଷ୍ଟି ହୋଇଚାଲିଛି। ମାତ୍ର ଦୁଃଖର ବିଷୟ ଏହିକି ଯେ ଆମ ରାଜ୍ୟର କୋଇଲା ଆମ ରାଜ୍ୟର ଶିଳ୍ପାନୁଷ୍ଠାନକୁ ମିଳିପାରୁ ନାହିଁ। ଆମେ ଭିକ ମାଗିଲା ପରି କୋଇଲା ପାଇଁ ଭିକଥାଳି ଧରି ବୁଲୁଛୁ। ଯାହାଫଳରେ ସ୍ଥାନୀୟ କୋଇଲା ଭିତ୍ତିକ ଶିଳ୍ପାନୁଷ୍ଠାନ ବନ୍ଦ ହେବାକୁ ବସିଲାଣି। ତେଣୁ ସରକାରଙ୍କୁ ଏତକ ଅନୁରୋଧ, ରାଜ୍ୟର ଶିଳ୍ପାନୁଷ୍ଠାନଗୁଡ଼ିକ ପାଇଁ ବାର୍ଷିକ ଆବଶ୍ୟକତା ଅନୁଯାୟୀ ଏକ ବାର୍ଷିକ କୋଟା ନିର୍ଦ୍ଧାରଣ କରାଯାଉ। ତଦନୁଯାୟୀ କୋଇଲା ଅଗ୍ରାଧିକାର ଭିତ୍ତିରେ ରାଜ୍ୟକୁ ଯୋଗାଇ ଦିଆଯାଉ। ସେହିପରି କୋଇଲା ଦରକୁ ମଧ୍ୟ ନିୟନ୍ତ୍ରଣ କରିବାକୁ ସେ ଦାବି କରିଛନ୍ତି। ଅପରପକ୍ଷେ ତଥ୍ୟଭିତ୍ତିକ ମହଲ ଏପରି ଘଟଣାରେ ଉଦ୍‍ବେଗ ପ୍ରକାଶ କରିବା ସହ ତୁରନ୍ତ ରାଜ୍ୟର ଶିଳ୍ପାନୁଷ୍ଠାନଗୁଡ଼ିକୁ ନିରନ୍ତର କୋଇଲା ଯୋଗାଣ ନିଶ୍ଚିତ ସରକାର ପଦକ୍ଷେପ ନେବାକୁ ଦାବି କରିଛନ୍ତି।

Leave a comment