ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୋଳ ପୂର୍ଣ୍ଣିମା ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଏଥିପାଇଁ ଉତ୍ସବମୁଖର ହୋଇଛି ଗାଁଠୁ ସହର । ଆଜି ଦୋଳ ପୂର୍ଣ୍ଣିମା ଦୋଳ ମେଲଣ ପାଇଁ ଚାରିଆାଡେ ପ୍ରସ୍ତୁତ କରାଯାଇଛି । ବିମାନରେ ବିଜେ ହୋଇ ଗାଁ ଗାଁ ବୁଲୁଛନ୍ତି ଠାକୁର । ସାହିକୁ ସାହି ବୁଲି ଭୋଗ ଖାଇବା ସହ ରଙ୍ଗ ବେରଙ୍ଗ ଅବିରରେ ହୋଲି ଖେଳିବେ ଦୋଳ ଗୋବିନ୍ଦ।

ଦୋଳ ପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି ‘ ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ଶ୍ରୀ ଦୋଳଗୋବିନ୍ଦଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧିରେ ପରିପୂର୍ଣ୍ଣ ହେଉ।’


ଅନ୍ୟପଟେ ଦୋଳ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି । ରାଜରାଜେଶ୍ବର ବେଶ ବା ସୁନାବେଶରେ ଆଜି ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି । ସୁନାବେଶରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବିଶେଷ ଧ୍ୟାନ ଦେଇଛି ପ୍ରଶାସନ । ଦୋଳ ପୂର୍ଣ୍ଣମୀ ଅବସରରେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୁଦେବୀ ଓ ଶ୍ରୀଦେବୀ ଦୋଳବେଦୀକୁ ବିମାନରେ ବିଜେ କରିବେ ।

ଉଲ୍ଲେଖଯୋଗ୍ୟ ଫାଲ୍‌ଗୁନ ମାସ ଶୁକ୍ଳ ପକ୍ଷ ଫଗୁ ଦଶମୀ ତିଥିରୁ ଓଡ଼ିଶାରେ ଆରମ୍ଭ ହୋଇଥାଏ ଦୋଳ ପର୍ବ। ଏହି ପର୍ବ ଅବସରରେ ପ୍ରଭୁ ଦୋଳଗୋବିନ୍ଦ ସୁସଜ୍ଜିତ ବିମାନରେ ଗାଁ ଗାଁ ପରିକ୍ରମା କରି ଦୁଆରେ ଦୁଆରେ ଭୋଗ ଖାଇଥାନ୍ତି। ରାଧାକୃଷ୍ଣଙ୍କ ଯୁଗଳ ପ୍ରତିମାଙ୍କ ସହ ଦୋଳଗୋବିନ୍ଦ, ମହାଦେବ ଶିବ ଓ ହନୁମାନଙ୍କୁ ମଧ୍ୟ ଲୋକେ ନିଜ ଦୁଆରେ ଭୋଗ ଲାଗି କରିଥାନ୍ତି। ଏହି ଅବସରରେ ଠାକୁରଙ୍କୁ ଅବିର ଲାଗି କରିବା ଓ ‌ଗ୍ରାମବାସୀମାନେ ନିଜ ନିଜ ଭିତରେ ଅବିର ରଙ୍ଗ ବୋଳାବୋଳି ହୋଇ ହୋଲି ଖେଳିବା ଆରମ୍ଭ ହୋଇଗଲାଣି। ଏଭଳି ଦୃଶ୍ୟ ଆଜିକାଲି ସହରରେ ମଧ୍ୟ ଦେଖିବାକୁ ମିଳିଲାଣି।

Leave A Reply

Your email address will not be published.