ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିପର୍ଯ୍ୟୟ ମୁକାବିଲା ପାଇଁ ନବୀନଙ୍କ ସ୍ବତନ୍ତ୍ର ଖସଡ଼ା

ଭୁବନେଶ୍ୱର: ବାତ୍ୟା ‘ୟସ୍’ର କ୍ଷତ ଲିଭିନାହିଁ। ରାଜ୍ୟ ସରକାର କ୍ଷୟକ୍ଷତି ବାବଦରେ ଚୂଡ଼ାନ୍ତ ରିପୋର୍ଟ କେନ୍ଦ୍ରକୁ ଦେଇଥିଲେ ହେଁ, ଏହା ଉପରେ କେନ୍ଦ୍ର ଗୃହମନ୍ତ୍ରୀ କି ନିଷ୍ପତ୍ତି ନେବେ, ତାହା ଜଣାପ଼ଡ଼ିନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ଏଭଳି ବିପର୍ଯ୍ୟୟର ଭୟାବହତା ଲକ୍ଷ୍ୟ ରଖି ପୁଣି ଗୋଟିଏ ବଡ଼ ନିଷ୍ପତ୍ତି ନେଇଛନ୍ତି। ଗୋଟିଏ କି ଦୁଇଟି ନୁହେଁ; ଉପକୂଳ ଅଞ୍ଚଳରେ ୫୫ଟି ବାତ୍ୟା/ ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ ଲାଗି ପାଗ ଭି଼ଡିଛନ୍ତି। ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଏ ବାବଦ ଅର୍ଥ ଖର୍ଚ୍ଚ କରାଯିବ। ଗୋଟିଏ ଗୋଟିଏ ବାତ୍ୟା ଆଶ୍ରୟସ୍ଥଳରେ ଏକ କୋଟିରୁ ଦେଢ଼ କୋଟି ଲେଖାଏଁ ଖର୍ଚ୍ଚ କରାଯିବାକୁ ଯୋଜନା ହୋଇଛି।

ରାଜ୍ୟ ସରକାରଙ୍କର ଜଣେ ଅଧିକାରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ମୁକାବିଲାକୁ ଏବେ ସର୍ବାଦୌ ଗୁରୁତ୍ବ ଦେଉଛନ୍ତି। ନିୟମିତ ବ୍ୟବଧାନରେ ଏ ନେଇ ତନାଘନା କରାଯାଉଛି। ଗୋଟିଏ ପଟେ କୁହାଯାଇଛି ଯେ ଘରେ ଘରେ ଯୋଦ୍ଧା ତିଆରି କରାଯିବ। ଏଥିପାଇଁ ପ୍ରକଳ୍ପ ପ୍ରସ୍ତାବ ତିଆରି ଚାଲିଛି। ଖୁବ୍ ଶୀଘ୍ର ଏହା ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଉପସ୍ଥାପନ କରାଯିବ। ଏହା ପରେ ଓ୍ବାର୍ଡ ମେମ୍ବରଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଶିକ୍ଷଣ ନେବେ। ସେହିଭଳି ପ୍ରତି ଘରେ ଘରେ ମଧ୍ୟ ଏହି ପ୍ରଶିକ୍ଷଣ କାର୍ଯ୍ୟ ଆରମ୍ଭ ହେବ। ଏହାକୁ ମିସନ୍ ମୋଡ୍‌ରେ କରାଯିବାକୁ ଆପାତତଃ ଯୋଜନା ହୋଇଛି। ନିକଟରେ କ୍ୟାବିନେଟ୍‌ରେ ସରକାର ଏ ସଂକ୍ରାନ୍ତରେ ସଂକଳ୍ପ ପାରିତ କରିଥିଲେ। କେବଳ ସେତିକି ନୁହେଁ; ବାତ୍ୟା ପ୍ରଭାବିତ ଅଞ୍ଚଳକୁ କିଭଳି ନିରାପଦ ଭାବେ ରଖାଯାଇପାରିବ, କ୍ଷୟକ୍ଷତି କମ୍ ହେବ ସେ ନେଇ ବି ବଡ଼ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆନ୍ତର୍ଜାତିକ ସଂସ୍ଥା ‘ସିଡିଆରଆଇ’ର ସହଯୋଗ ଓଡ଼ିଶା ସରକାର ନେଇଥିଲେ। ଇତିମଧ୍ୟରେ ସଂପୃକ୍ତ ସଂସ୍ଥାର ଅଧିକାରୀମାନେ ଉପକୂଳ ବୁଲି ଦେଖିଛନ୍ତି।

ବିଦ୍ୟୁତ କ୍ଷେତ୍ରକୁ ପ୍ରଥମେ ସରକାର ହାତକୁ ନେଇଛନ୍ତି। ରାଜ୍ୟ ସରକାର ସ୍ଥିର କରିଛନ୍ତି ଯେ ଯେଉଁସବୁ ଅଞ୍ଚଳ ବାତ୍ୟାପ୍ରବଣ, ସେଠାରେ ବିଦ୍ୟୁତ୍ ତାର ଅଣ୍ଡରଗ୍ରାଉଣ୍ଡ ବା ମାଟିତଳେ ନିଆଯିବ। ଅନ୍ୟଥା ଏଚ୍‌ ପୋଲ୍ ବ୍ୟବହାର କରାଯିବ। ଏହା ଅଧିକ ବ୍ୟୟବହୁଳ ହୋଇଥିଲେ ହେଁ, ସୁରକ୍ଷିତ ବୋଲି ଏକାଧିକବାର ପ୍ରମାଣିତ ହୋଇଛି। ୨୦୧୩ ଫାଇଲିନ୍ ବାତ୍ୟା ପରଠାରୁ ରାଜ୍ୟ ସରକାର ଏଚ୍‌ ପୋଲ୍ (ଖୁଣ୍ଟ) ବ୍ୟବହାର ନେଇ ଯୋଜନା କରିଥିଲେ।

ସେହିଭଳି ସିଡିଆରଆଇ ଅଧିକାରୀମାନେ କହିଛନ୍ତି ଯେ ବନ୍ୟାପ୍ରବଣ ଅଞ୍ଚଳରେ ଟ୍ରାନସ୍‌ଫର୍ମର ସ୍ଥାନାନ୍ତର ହେବ। ସେସବୁ ଅଞ୍ଚଲରେ ଟ୍ରାନ୍‌ସଫର୍ମରକୁ ଅତି ଉଚ୍ଚସ୍ଥାନକୁ ନିଆଯିବ। ଏଲ୍‌ ଟି ଲାଇନକୁ ସରକାର ଟିକେ ଉପରେ ନେବେ। ଯେତେ ବନ୍ୟା ଆସିଲେ ବି ତାହା ଯେଭଳି ବିପଜ୍ଜନକ ହେବନାହିଁ, ସେ ନେଇ ପ୍ରସ୍ତୁତି ଚାଲିଛି। କେନ୍ଦ୍ର ସରକାର ଯାହା ସହାୟତା ଦେବେ ଦେବେ, ବାକି ଅର୍ଥ ରାଜ୍ୟ ସରକାର ପ୍ରଦାନ କରି ବିପର୍ଯ୍ୟୟମୁକ୍ତ ଅଞ୍ଚଳ ଭାବେ ଓଡ଼ିଶା ଉପକୂଳକୁ ପ୍ରସ୍ତୁତ କରିବେ। ରାଜ୍ୟ ସରକାରଙ୍କର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ କହିଛନ୍ତି ଯେ ଓଡ଼ିଶା ଉପକୂଳକୁ ତିନି ଭାଗରେ ବିଭକ୍ତ କରାଯାଇଛି। ପ୍ରଥମେ ସମୁଦ୍ରକୂଳ ଠାରୁ ଅର୍ଥାତ୍ ଶୂନରୁ ଷାଠିଏ କିଲୋମିଟର ଅଞ୍ଚଳକୁ ଅତି ସମ୍ବେଦନଶୀଳ ବୋଲି ବିଚାର କରାଯାଉଛି। ଏଠାରେ ସବୁଠାରୁ ଅଧିକ ପ୍ରସ୍ତୁତି କରାଯିବ। ଦ୍ବିତୀୟ ପର୍ଯ୍ୟାୟରେ ୬୦ରୁ ୧୦୦ କିଲୋମିଟର ଏବଂ ତୃତୀୟ ପର୍ଯ୍ୟାୟରେ ୧୦୦ରୁ ୧୫୦ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳ ଲାଗି ପ୍ରସ୍ତୁତି ହେବ। ଯଦିଓ ଏବେ ଦେଖାଯାଉଛି ଯେ ବାତ୍ୟା ପରବର୍ତ୍ତୀ ବର୍ଷା ମଧ୍ୟ ଅଧିକ କ୍ଷତି କରୁଛି; ତଥାପି ରାଜ୍ୟ ସରକାର ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ନିକଟରେ ବାତ୍ୟା ‘ତାଉତେ’ ପ୍ରଭାବରେ ଦିଲ୍ଲୀରେ ଯେଭଳି ମୂଷଳ ଧାରାରେ ବର୍ଷା ହେଲା, ତାହାକୁ ବିଚାରକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି।

ଗତ ଶନିବାର ଦିନ ଓସ୍‌ଡମା କାର୍ଯ୍ୟାଳୟ ପରିସରରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ଏଥିରେ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ନିର୍ଦେଶ ଦେଇଛନ୍ତି ଯେ ଅଧିକାରୀମାନେ ଏବେ ନିରବରେ ନ ବସି ରାଜ୍ୟର ସମସ୍ତ ବାତ୍ୟା ଆଶ୍ରୟସ୍ଥଳ ଠାରୁ ପରିଦର୍ଶନ କରିବେ। ସେଠାରେ ସ୍ଥିତି ଯା଼ଞ୍ଚ କରିବେ। କେବଳ ସେତିକି ନୁହେଁ; କାଳେ କେତେବେଳେ ବିପର୍ଯ୍ୟୟ ଆସିଯିବ, ସେଥିପାଇଁ ସବୁ ପ୍ରସ୍ତୁତିର ସରଜମିନ୍ ଅନୁଧ୍ୟାନ କରି ରିପୋର୍ଟ ଦେବା ଲାଗି ନିର୍ଦେଶ ଦିଆଯାଇଛି। ବିପର୍ଯ୍ୟୟ ପ୍ରସ୍ତୁତି ସଂପର୍କରେ ପ୍ରତି ଶନିବାର (ଛୁଟିଦିନ ସତ୍ତ୍ବେ) ସେ ସ୍ବତନ୍ତ୍ର ସମୀକ୍ଷା ବୈଠକ ନେବେ ବୋଲି ସୂଚନା ମିଳିଛି।

ଏଠାରେ ଉଲ୍ଲେଖଥାଉକି, ଓଡ଼ିଶା ଉପକୂଳରେ ‘ୟସ୍’ ମାଡ଼ ପରେ ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ପ୍ରଶଂସା କରିଥିଲା ଜାତିସଂଘ। ଜାତିସଂଘର ବରିଷ୍ଠ ଅଧିକାରୀ ମାନି ମିଜୁ ତୋରି ଗଣମାଧ୍ୟମକୁ ସେବେ କହିଥିଲେ, ବିପର୍ଯ୍ୟୟ ମୁକାବିଲା ପାଇଁ କେମିତି ସଠିକ୍‌ ପରିଚାଳନା, ସୁଚିନ୍ତିତ ଯୋଜନା ଏବଂ ପୂର୍ବ ପ୍ରସ୍ତୁତି କରାଯାଏ ତାହା ନବୀନ ପଟ୍ଟନାୟକଙ୍କ ସରକାର ଠାରୁ ଶିଖିବା କଥା। ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡ଼ିଶା ଉଦାହରଣ ସୃଷ୍ଟି କରିଛି।

ସେ ଆହୁରି କହିଥିଲେ ଯେ ସମ୍ବଳର ସୁବିନିଯୋଗ ଏବଂ ସଠିକ୍ ପରିଚାଳନା ଯୋଗୁଁ ବାତ୍ୟା ଭଳି ବିପର୍ଯ୍ୟୟକୁ ଠିକ୍ ଢଙ୍ଗରେ ଓଡ଼ିଶା ମୁକାବିଲା କରିପାରିଥିଲା। ୧୯୯୯ ମହାବାତ୍ୟା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମତାକୁ ଆସିଥିଲେ। ସେ ସମୟରେ ୧୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା ବୋଲି ମଧ୍ୟ ଜାତିସଂଘ ଅଧିକାରୀଜଣକ ମନେ ପକାଇଥିଲେ। ପୂର୍ବରୁ ୨୦୧୩ ମସିହାରେ ଫାଇଲିନ୍ ବାତ୍ୟା ସମୟରେ ଓଡ଼ିଶାର ବିପର୍ଯ୍ୟୟ ମୁକାବିଲାକୁ ଜାତିସଂଘ ପ୍ରଶଂସା କରିଥିଲା। ଫାଇଲିନ୍ ପ୍ରଭାବ ବି ଭୟଙ୍କର ଥିଲା ଓ ଏହା ଓଡ଼ିଶାରେ ବେଶ୍ କ୍ଷତି ପହଞ୍ଚାଇଥିଲା। ଧନଜୀବନ ରକ୍ଷା କରିବାରେ ସରକାର ସଫଳ ହୋଇଥିଲେ।

Leave A Reply

Your email address will not be published.