ବିପର୍ଯ୍ୟୟରେ ମହାମେରୁ; ମନ୍ତ୍ର ‘ଶୂନ୍ୟ ଜୀବନ ହାନି’

ମନ୍ତ୍ର ‘ଶୂନ୍ୟ ଜୀବନ ହାନି’
ବାତ୍ୟା ଆସୁଛି, ବାତ୍ୟା ଯାଉଛି। ମାତ୍ର ଆଉ ପୂର୍ବପରି ଓଡ଼ିଶା ବାତ୍ୟାକୁ ଡରୁ ନାହିଁ। ଭୌଗୋଳିକ ଦୃଷ୍ଟିକୋଣରୁ ନିୟମିତ ଆଘାତ ଦେଉଥିବା ବାତ୍ୟାକୁ ନିଜର ସହଚର କରିଛି ଓଡ଼ିଶା। ନିଜ ପ୍ରଥମ ପାଳି ସରକାରରୁ ବାତ୍ୟା ମୁକାବିଲା ପାଇଁ ଯେଉଁ ଛୋଟ ବିହନଟି ପୋତା ଯାଇଥିଲା ତାହା ଏବେ ମହାଦ୍ରୁମରେ ପରିଣତ ହୋଇଛି। ଏକଦା ବାତ୍ୟା ବେଳେ ସହାୟତା ନିମନ୍ତେ ଅନ୍ୟ ରାଜ୍ୟ ନିକଟରେ ଅନୁନୟ ହେଉଥିବାବେଳେ ଏବେ ଅନ୍ୟକୁ ସହାୟତାର ହାତ ବଢ଼଼ାଇବାକୁ ସକ୍ଷମ ହୋଇଛି। ୧୯୯୯ ମସିହା ମହାବାତ୍ୟା ସମୟରେ ଆନ୍ଧ୍ର, ପଶ୍ଚିମବଙ୍ଗ ସମେତ ପଡ଼ୋଶୀ ରାଜ୍ୟର ସରକାରମାନେ ଓଡ଼ିଶାକୁ ସହାୟତାର ହାତ ବଢ଼଼ାଇଥିଲେ। ମାତ୍ର ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀଭାବେ ନବୀନ ପଟ୍ଟନାୟକ ଶପଥ ନେବା ପରେ ମୁକାବିଲା କ୍ଷେତ୍ରରେ ଆରମ୍ଭ ହୋଇଥିବା ସ୍ୱର୍ଣ୍ଣିମ ଅଧ୍ୟାୟ। ବାତ୍ୟା ମୁକାବିଲା କ୍ଷେତ୍ରରେ ଆରମ୍ଭ ହୋଇଥିଲା ଦୀଘସୂତ୍ରୀ ଯୋଜନା। ଫାଇଲିନ୍, ଫନି ଓ ଅମ୍ଫନ ଭଳି ଶକ୍ତୀଶାଳୀ ବାତ୍ୟା ନିଜର ଫଁ ଦେଖାଇଛନ୍ତି। କିନ୍ତୁ ଦୂରଦୃଷ୍ଟି ସମ୍ପନ୍ନତା, ନୂତନ ଜ୍ଞାନକୌଶଳ ଓ ଗୋଷ୍ଠୀ ସହଭାଗିତାକୁ ଆଧର କରି ରାଜ୍ୟ ସରକାର ଏହାକୁ ଚଟାଣ ଭଳି ସାମନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ‘ଶୂନ୍ୟ ଜୀବନହାନି’ ମନ୍ତ୍ର ଏବେ ରାଜ୍ୟ ପ୍ରଶାସନର ଅସ୍ଥିମଜ୍ଜାଗତ ହୋଇଯାଇଛି। ନବୀନଙ୍କ ବିପର୍ଯ୍ୟୟ ମୁକାବିଲାକୁ ଶ୍ରେଷ୍ଠ ବୋଲି ଜାତିସଂଘ ମାନ୍ୟତା ଦେଇଛି। ବିରୋଧୀ ବି ଏହାକୁ ସ୍ୱୀକାର କରିବାକୁ ବାଧ୍ୟ ହୋଇଛନ୍ତି।
ମଞ୍ଜି ଏବେ ମହାଦ୍ରୁମ
ରାଜ୍ୟରେ ବିଜେଡି ସରକାର ଆସିବାର ପ୍ରଥମ ପଦକ୍ଷେପ ଭାବେ କେନ୍ଦ୍ର ସରକାରଙ୍କ ଏନ୍ଡିଆର୍ଏଫ୍ ଢାଞ୍ଚାରେ ଓଡ଼ିଶା ଡିଜାଷ୍ଟାର୍ ରାପିଡ୍ ଆକ୍ସନ ଫୋର୍ସ (ଓଡ୍ରାଫ୍) ଗଠନ ହୋଇଥିଲା। ବର୍ତ୍ତମାନ ୨୦ ଟି ଓଡ୍ରାଫ୍ ଟିମ୍ ବିଭିନ୍ନ ଜିଲ୍ଲାରେ ନିୟୋଜିତ ହୋଇଛନ୍ତି। ଏହା ବ୍ୟତୀତ ଓଡ଼ିଶାରେ ଉପକୂଳ ଜିଲ୍ଲାଗୁଡ଼ିକ ବାତ୍ୟା ଯୋଗୁଁ ବିଶେଷ କ୍ଷତିଗ୍ରସ୍ତ ହେଉଥିବା ବେଳେ ଧନ ଜୀବନ ମଧ୍ୟ ନଷ୍ଟ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର କୋଣ ଅନୁକୋଣରେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଥିଲେ। ଗୋଟିଏ ଦୁଇରୁ ଆରମ୍ଭ ହୋଇ ବର୍ତ୍ତମାନ ରାଜ୍ୟରେ ପ୍ରାୟ ୧ ହଜାରରୁ ଅଧିକ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି।
ଏହି ସମୟରେ ବିଦ୍ୟାଳୟଗୁଡ଼ିକୁ ମଧ୍ୟ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯାଉଛି। ସେହିପରି ନିକଟରେ ଯେଉଁ ୮୯ ଟି ଇନ୍ଡୋର୍ ଷ୍ଟାଡିୟମ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି, ତାହା ମଧ୍ୟ ଏକ ପ୍ରକାର ବାତ୍ୟା ଆଶ୍ରୟସ୍ଥଳୀ ଭାବେ ଉପଯୋଗ ହୋଇପାରିବ। ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବାର ୧୨ ଘଣ୍ଟା ପୂର୍ବରୁ ଲୋକଙ୍କୁ ଏହି ସବୁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି।
ଜନ ସହଭାଗିତାକୁ ଗୁରୁତ୍ୱ
ବନ୍ୟା ବାତ୍ୟା ସମୟରେ ରାଜ୍ୟରେ ସ୍ଥାନାନ୍ତର ପ୍ରକ୍ରିୟାକୁ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ପ୍ରଶାସନ ସହିତ ସ୍ଥାନୀୟ ଲୋକମାନଙ୍କୁ ମଧ୍ୟ ଜଡ଼ିତ କରାଯାଉଛି। ଗ୍ରାମ ସମୁଦାୟ, ପଞ୍ଚାୟତିରାଜ ବ୍ୟବସ୍ଥା ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ବିପର୍ଯ୍ୟୟ ମୁକାବିଲାରେ ସାମିଲ କରାଯାଇଛି ଓ ଲୋକମାନଙ୍କର ସକ୍ରିୟ ଅଂଶଗ୍ରହଣ ଏବଂ ସହଯୋଗ ଯୋଗୁଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନାରେ ମଡେଲ୍ ସାଜିଛି। ବାତ୍ୟା ସ୍ଥଳଭାଗ ଛୁଇଁବାର ପୂର୍ବ ୧୨ ଘଣ୍ଟା ରାଜ୍ୟର ସଚିବଙ୍କଠାରୁ ଆରମ୍ଭ କରି ୱାର୍ଡମେମ୍ବର ପର୍ଯ୍ୟନ୍ତ ସାମିଲ୍ ହୋଇ ଲୋକଙ୍କୁ ସ୍ଥାନାନ୍ତରକୁ ଗୁରୁତ୍ୱ ଦେଉଛନ୍ତି। ୨୦୧୩ ମସିହାରେ ଆସିଥିବା ବାତ୍ୟା ଫାଇଲିନ୍ ସମୟରେ ଓଡ଼ିଶାରେ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇପାରିଥିଲା। ଯାହାଦ୍ୱାରା ଗତ ୨୨ ବର୍ଷ ମଧ୍ୟରେ ବନ୍ୟା ଓ ବାତ୍ୟା ମୁକାବିଲାର ଉପଲବ୍ଧିକୁ ପ୍ରମାଣିତ କରିଛି।
ମୁକାବିଲା ତାଲିମ ଦେଉଛି ଓଡ଼ିଶା
ବାତ୍ୟା ମୁକାବିଲା କ୍ଷେତ୍ରରେ ଓଡ଼ିଶା ଏବେ ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରି ସାରିଛି। ଜାତିସଂଘ ମଧ୍ୟ ଓଡ଼ିଶାର ମୁକାବିଲା ଶୈଳୀକୁ ସ୍ୱୀକୃତି ଦେଇସାରିଛି। ତେବେ ଏହି ସବୁ ବ୍ୟବସ୍ଥାକୁ ମାଧ୍ୟମ କରି ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ଏବେ ବାତ୍ୟା ବେଳେ ଓଡ଼ିଶାକୁ ଖୋଜିବା ଆରମ୍ଭ କରିଛନ୍ତି। ପ୍ରଥମ ଥର ପାଇଁ ଅନ୍ୟ ରାଜ୍ୟଗୁଡ଼ିକୁ ମଧ୍ୟ ବିପର୍ଯ୍ୟୟ ପରିଚାଳନାର ଓଡ଼ିଶା ଶିକ୍ଷା ଦେଇଛି। ପୂର୍ବରୁ ବିଭିନ୍ନ ରାଜ୍ୟର ଅଧିକାରୀମାନେ ଲାଲ୍ ବାହାଦୁର ଶାସ୍ତ୍ରୀ ପ୍ରଶାସନିକ ଏକାଡେମୀରେ ବିପର୍ଯ୍ୟୟ ପରିଚାଳନା ଶିକ୍ଷା ନେଉଥିଲେ। କିନ୍ତୁ ଏହି ସଂସ୍ଥା ପକ୍ଷରୁ ଗତ ବର୍ଷ ଓଡ଼ିଶାକୁ ବିପର୍ଯ୍ୟୟ ପରିଚାଳନା ଶିକ୍ଷା ଦେବା ପାଇଁ ମନୋନୀତ କରାଯାଇଛି। ଗତ ବର୍ଷ ଦେଶର ୯ ଟି ପ୍ରମୁଖ ରାଜ୍ୟ ସହିତ ୪ ଟି କେନ୍ଦ୍ର ଶାସିତ ଅଞ୍ଚଳର ଅଧିକାରୀମାନେ ଓଡ଼ିଶା ଆସି ବାତ୍ୟା ମୁକାବିଲାର ତାଲିମ ନେବା ସହ ରାଜ୍ୟ ସରକାର ନେଇଥିବା ପଦକ୍ଷେପମାନ ଦେଖିଛନ୍ତି।
ସ୍କୁଲ ବହିରେ ବିପର୍ଯ୍ୟୟ ମୁକାବିଲା ପାଠ
କରୋନା ମହାମାରୀରୁ ମିଳିଥିବା ଶିକ୍ଷା ସହିତ ପ୍ରତିବର୍ଷ ଓଡ଼ିଶା ଭୋଗୁଥିବା ବନ୍ୟା ବାତ୍ୟା ଓ ମରୁଡ଼ି ମୁକାବିଲା କରିବାକୁ ଛୋଟ ପିଲାଙ୍କୁ ଶିକ୍ଷା ଦେବା ଉପରେ ଗୁରୁତ୍ୱ ଦିଆଯାଇଯାଇଛି। ଚଳିତ ବର୍ଷଠାରୁ ଚତୁର୍ଥ ଶ୍ରେଣୀଠାରୁ ୟୁଜି ପାଠ ପଢ଼଼ା ପର୍ଯ୍ୟନ୍ତ ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା ପାଠକୁ ସାମିଲ କରାଯାଇଛି। ବିପର୍ଯ୍ୟୟ ପରିଚାଳନା ଶିକ୍ଷା ଦେବା କ୍ଷେତ୍ରରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏହି ନିଷ୍ପତ୍ତି ନେଇଥିବା ବେଳେ ନବୀନ ପଟ୍ଟନାୟକ ହିଁ ଏହି ନିଷ୍ପତ୍ତିର ନାୟକ ରହିଛନ୍ତି। ଏହି ନିଷ୍ପତ୍ତି ବଳରେ ଛାତ୍ରଛାତ୍ରୀମାନେ ପିଲାଦିନରୁ ବିପର୍ଯ୍ୟୟ ମୁକାବିଲାର ମନ୍ତ୍ର ପାଇବେ ଓ ପ୍ରତି ଘରୁ ଜଣେ ଜଣେ ବିପର୍ଯ୍ୟୟ ଯୋଦ୍ଧା ହୋଇ ବାହାରିବେ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି।
୧୯୯୯-୨୦୨୨ର ଓଡ଼ିଶା
ବାତ୍ୟା ମୁକାବିଲା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବାରମ୍ବାର ଜାତିସଂଘ ପ୍ରଶଂସା କରିଛି। ୧୯୯୯ ମସିହା ମହାବାତ୍ୟାରେ ରାଜ୍ୟରେ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ବ ଲୋକ ପ୍ରାଣ ହରାଇଥିଲେ। କିନ୍ତୁ ଏହା ପରଠାରୁ ବାତ୍ୟା ମୁକାବିଲା କରି ଓଡ଼ିଶା ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି। ଫାଇଲିନ୍ ସମୟରେ ରେକର୍ଡ ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରିବା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କୁ ଜାତିସଂଘ ପକ୍ଷରୁ ପ୍ରଶଂସା କରାଯାଇଥିଲା। ଏହାପରେ ଫନି ସମୟରେ ମଧ୍ୟ ରାଜ୍ୟ ସରକାର ସମାନ ପନ୍ଥା ଗ୍ରହଣ କରି ଲୋକଙ୍କ ଜୀବନ ରକ୍ଷା କରିପାରିଥିବାରୁ ଜାତିସଂଘ ପ୍ରଶଂସା କରିବା ସହିତ ନବୀନଙ୍କଠାରୁ ବାତ୍ୟା ମୁକାବିଲା ଶିଖିବା ଆବଶ୍ୟକ ବୋଲି ମତ ରଖିଥିଲେ। ଫନି ସମୟରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡ଼ିକରୁ ୧୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରଣ କରିବାରେ ରାଜ୍ୟ ସରକାର ସଫଳ ହୋଇଥିଲେ। ଏହାପରେ ଜାତିସଂଘ ବିପର୍ଯ୍ୟୟ ପ୍ରଶମନ ତରଫରୁ ପୁରୁଣା ଓ ନୂଆ ଓଡ଼ିଶାର ତଫାତ ବର୍ଣ୍ଣନା କରାଯାଇଥିଲା।