ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୋଟିଏ ରେଳବାଇ ଜୋନ୍‌ରେ ରହୁ ଓଡ଼ିଶାର ସବୁ ରେଳପଥ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଦାବି କଲେ ନବୀନ

ଭୁବନେଶ୍ୱର : ଓଡ଼ିଶାର ସମସ୍ତ ରେଳପଥ ଗୋଟିଏ ରେଳବାଇ ଜୋନ୍‌ ଅଧିନରେ ରହୁ। ଏନେଇ ପୂର୍ବରୁ ବାରମ୍ବାର ଦାବି ହେଉଥିବା ବେଳେ ଆଜି ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ବାରମ୍ବାର ଦାବି ପରେ ୨୦୦୩ରେ କେନ୍ଦ୍ର ସରକାର ରାଜ୍ୟ ପାଇଁ ସ୍ବତନ୍ତ୍ର ପୂର୍ବତଟ ରେଳବାଇ ଜୋନ ଗଠନ କରିଥିଲେ । ଏବେ କିନ୍ତୁ କେନ୍ଦ୍ର ସରକାର ବିଶାଖାପଟଣାରେ ଦକ୍ଷୀଣ ତଟ ରେଳବାଇ ଜୋନ ଗଠନ କରିବାକୁ ପ୍ରସ୍ତାବ ରଖିଛନ୍ତି । ଏହାଦ୍ବାରା ପୂର୍ବତଟ ରେଳବାଇ ବ୍ୟାପକ ଭାବେ ପ୍ରଭାବିତ ହେବ । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଓଡିଶା ପାଇଁ ଏକକ ରେଳବାଇ ଜୋନ ଗଠନ କରିବାକୁ ଦାବି କରିଛନ୍ତି।

ଭାରତୀୟ ରେଳବାଇ ମାନଚିତ୍ରରେ ଓଡ଼ିଶା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଓଡ଼ିଶା ରେଳବାଇକୁ ସର୍ବାଧିକ ରାଜସ୍ୱ ଦେଉଛି। କିନ୍ତୁ ରେଳବାଇ ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶା ବାରମ୍ବାର ଅବହେଳାର ଶିକାର ହୋଇ ଚାଲିଛି। ପୁଣି ଏପରି ଏକ ଅବହେଳାକୁ ନେଇ ପ୍ରତିବାଦ ଜଣାଇଛି ଓଡ଼ିଶା। ପୂର୍ବତଟ ରେଳପଥର ପରିସୀମାକୁ ସଂକୁଚିତ କରିବା ବଦଳରେ ଏହାର ସମ୍ପ୍ରସାରଣ ପାଇଁ ଦାବି କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି ପ୍ରସ୍ତାବିତ ପୂର୍ବ ତଟ ରେଳପଥରେ ଓଡ଼ିଶାକୁ ସାମିଲ କରିବା ପରିବର୍ତ୍ତେ ପୂର୍ବତଟ ରେଳପଥର କ୍ଷମତା ବୃଦ୍ଧି କରିବା ଉଚିତ ହେବ ବୋଲି କହିଛନ୍ତି। ପୂର୍ବତଟ ରେଳପଥକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହା ଅଧୀନରେ ରାଉରକେଲା, ଯାଜପୁର ଓ ରାୟଗଡ଼ାରେ ଗୋଟିଏ ଲେଖାଏଁ ନୂଆ ଡିଭିଜନ୍ ଗଠନ ପାଇଁ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି। ଏହା ଦ୍ୱାରା ରେଳବାଇର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ ଏବଂ ରେଳ ନେଟୱାର୍କର ପରିଚାଳନା ତ୍ୱାରାନ୍ୱିତ ହୋଇପାରିବ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ଯେ କୋଲକାତା ସ୍ଥିତ ଦକ୍ଷିଣ ପୂର୍ବ ରେଳପଥ (ଏସ୍ଇଆର) ମୁଖ୍ୟାଳୟ ଓଡ଼ିଶାର ରେଳପଥକୁ ନିୟନ୍ତ୍ରଣ କରୁଥିଲା। ଓଡ଼ିଶାର ବାରମ୍ବାର ଦାବି ପରେ ୨୦୦୩ ମସିହାରେ ପୂର୍ବତଟ ରେଳପଥ ଗଠନ କରାଯାଇଥିଲା। ଏହା ଅଧୀନରେ ଖୋର୍ଦ୍ଧାରୋଡ଼, ୱାଲଟିୟର୍ ଏବଂ ସମ୍ବଲପୁର ନାମରେ ତିନିଟି ଡିଭିଜନ୍ ରହିଛି। ଏକ ଖଣି ଓ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ରେଳବାଇର ବିକାଶ ଦିଗରେ ଓଡ଼ିଶା ପ୍ରମୂଖ ଭୂମିକା ନିର୍ବାହ କରି ଆସୁଛି। ସବୁ ଜୋନ୍ ମଧ୍ୟରୁ ପୂର୍ବତଟ ରେଳପଥ ଭାରତୀୟ ରେଳବାଇକୁ ସର୍ବାଧିକ ରାଜସ୍ୱ ପ୍ରଦାନ କରୁଛି। ମାଲ୍ ପରିବହନ କ୍ଷେତ୍ର ହେଉ ଅବା କମ୍ ଖର୍ଚ୍ଚ ଯୁକ୍ତ ପରିଚାଳନା ସବୁକ୍ଷେତ୍ରରେ ଓଡ଼ିଶା ଆଗୁଆ ରହିଛି। ଭାରତୀୟ ରେଳବାଇ ବିଶାଖାପାଟଣା ଠାରେ ଦକ୍ଷିଣ ତଟ ରେଳପଥ ନାମରେ ଏକ ନୂଆ ଜୋନ୍ ପ୍ରତିଷ୍ଠା କରିବା ସମ୍ପର୍କରେ ଘୋଷଣା କରିଛି। ଫଳରେ ଓଡ଼ିଶାର ଏକ ବୃହତ ଡିଭିଜନ୍ ଦକ୍ଷିଣ ତଟ ରେଳପଥ ଜୋନ୍ ଅଧୀନକୁ ଚାଲିଯିବ। ଏପରି ହେଲେ ପୂର୍ବତଟ ରେଳପଥ ଜୋନ୍ ଏବଂ ଓଡ଼ିଶାର ଦକ୍ଷତା ହ୍ରାସ ପାଇବ। ୱାଗନ୍, ଲୋକୋମୋଟିଭ୍ ଭଳି ରେଳ ଆଧାରିତ ରକ୍ଷଣାବେକ୍ଷଣ କାରଖାନା ପ୍ରତିଷ୍ଠା ପାଇଁ ପୂର୍ବତଟ ରେଳପଥ ବିଶାଖାପାଟଣାରେ ବିପୁଳ ପୁଞ୍ଜି ନିବେଶ କରିଛି। ଯଦି ଏହି ଅଞ୍ଚଳ ଅନ୍ୟ ଜୋନ୍ ଅଧୀନକୁ ଚାଲିଯାଏ ତା ହେଲେ ପୂର୍ବତଟ ରେଳପଥର କାର୍ଯ୍ୟ ଦକ୍ଷତା ପ୍ରଭାବିତ ହେବ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଓଡ଼ିଶାର ଅନେକ ଅଞ୍ଚଳ ଏବେ ଅନ୍ୟ ଜୋନ୍ ଅଧୀନରେ ପରିଚାଳିତ ହେଉଛି। ଅନ୍ୟ ଡିଭିଜନ୍ ଓ ଜୋନ୍ ପରିସୀମା ହେତୁ ଗୁରୁତର ସମସ୍ୟା ସୃଷ୍ଟି ହେଉଛି। ଅନ୍ୟ ଜୋନ୍ ଅଧୀନରେ ଥିବାରୁ ବିକାଶ କାର୍ଯ୍ୟ ପ୍ରଭାବିତ ହେବା ସହ ଓଡ଼ିଶାର ବିକାଶ ବାଧାପ୍ରାପ୍ତ ହେଉଛି। ଏପରି ଅବସ୍ଥାରେ ଓଡ଼ିଶାର କିଛି ଅଂଶକୁ ଦକ୍ଷିଣ ତଟ ରେଳପଥରେ ସାମିଲ କରାଗଲେ ଆହୁରି ସମସ୍ୟା ହେବ। ପୂର୍ବତଟ ରେଳପଥ ବାହାରେ ଥିବା ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଏହି ଜୋନ୍ରେ ସାମିଲ କରିବା ପାଇଁ ଓଡ଼ିଶା ଦୀର୍ଘ ଦିନ ହେଲା ଦାବି ଜଣାଇ ଆସୁଛି। ଏପରିସ୍ଥଳେ ଯଦି ପୂର୍ବତଟ ରେଳପଥର ସୀମା ବୃଦ୍ଧି କରାଯାଏ ତା ହେଲେ ତାହା ସମଗ୍ର ଓଡ଼ିଶାକୁ ସାମିଲ କରିବ ଏବଂ ବିକାଶ କାର୍ଯ୍ୟ ସୁଗମ ହେବ। ତେଣୁ ଏହାକୁ ବିଚାର କରି ପୂର୍ବତଟ ରେଳପଥ ଅଧୀନରେ ରାଉରକେଲାରେ ନୂଆ ଡିଭିଜନ୍ ସ୍ଥାପନ କରିବାର ଯଥେଷ୍ଟ ଆବଶ୍ୟକତା ରହିଛି। ସମ୍ପ୍ରତି ଦକ୍ଷିଣ ପୂର୍ବ ରେଳାପଥ ଅଧୀନରେ ଥିବା ଝାରସୁଗୁଡ଼ା-ବାରସୁଆଁ-କିରିବୁରୁ, ରାଉରକେଲା-ନୂଆଗାଁ ଏବଂ ଦକ୍ଷିଣ ପୂର୍ବ କେନ୍ଦ୍ର ରେଳପଥ ଅଧୀନରେ ଥିବା ଝାରସୁଗୁଡ଼ା-ହିମଗିରି ସେକ୍ସନ୍କୁ ରାଉରକେଲା ଡିଭିଜନ୍ରେ ସାମିଲ କରାଯାଇପାରିବ।

ସେହିପରି ବାଂଶପାଣି-ବାଦାମପାହାଡ଼, ରୂପସା-ବାଙ୍ଗିରିପୋଷି ଏବଂ ଭଦ୍ରକ-ଲକ୍ଷ୍ମଣନାଥ ରୋଡ଼ ସେକ୍ସନ୍କୁ ନେଇ ପୂର୍ବତଟ ରେଳପଥ ଅଧୀନରେ ଯାଜପୁର କେନ୍ଦୁଝର ରୋଡ଼ ଠାରେ ଆଉ ଏକ ଡିଭିଜନ୍ ସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ଅପରପକ୍ଷେ ପୂର୍ବତଟ ରେଳପଥ ଅଧୀନରେ ରାୟଗଡ଼ା ଠାରେ ଆଉ ଏକ ନୂଆ ଡିଭିଜନ୍ ସ୍ଥାପନ କରିବା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ନିକଟରେ ନବୀନ ଦାବି କିରଛନ୍ତି। ରାୟଗଡ଼ା ଡିଭିଜନ୍ ଗଠନ କରି ନୂଆପଡ଼ା-ଗୁଣୁପୁର (ଥେରୁବାଲି/ରାୟଗଡ଼ା ପର୍ଯ୍ୟନ୍ତ ପ୍ରସ୍ତାବିତ ସମ୍ପ୍ରସାରଣ) ରାୟଗଡ଼ା-ଜଗଦଲପୁର-ରାୟପୁର, କୋରାପୁଟ-ରାୟଗଡ଼ା, କୋରାପୁଟ-ଜୟପୁର-ଜଗଦଲପୁର-କିରାନ୍ଦୁଲ, ଲାଞ୍ଜିଗଡ଼ ରୋଡ଼-ଜୁନାଗଡ଼ ସେକ୍ସନ୍ ସହିତ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ପ୍ରସ୍ତାବିତ ରେଳ ଲାଇନ୍କୁ ରାୟଗଡ଼ା ଡିଭିଜନ୍ରେ ସାମିଲ କରିବା ଜରୁରୀ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଓଡ଼ିଶାର ରେଳବାଇ ନେଟୱାର୍କ କେବଳ ପୂର୍ବତଟ ରେଳପଥ ଅଧୀନରେ ରହିଲେ ସବୁ ଦୃଷ୍ଟିରୁ ରାଜ୍ୟ ଓ ରେଳବାଇ ପାଇଁ ହିତକର ହେବ। ଓଡ଼ିଶାରେ ରେଳବାଇ ଉନ୍ନୟନ କାର୍ଯ୍ୟ ପାଇଁ ଅନ୍ୟ ଜୋନ୍କୁ ନେଇ ଦେଖା ଦେଉଥିବା ବିବାଦ ଓ ସମସ୍ୟା ଦୂର ହୋଇପାରିବ। ପରିବହନ ବ୍ୟବସ୍ଥା ଅଧିକ ସୁଗମ ହେବ। ପୂର୍ବତଟ ରେଳପଥ ଅଧୀନରେ ତିନିଟି ନୂଆ ଡିଭିଜନ୍ ଗଠନ ପାଇଁ ଗତ ସାତ ବର୍ଷ ହେଲା ଓଡ଼ିଶାର ଦାବି ରେଳ ମନ୍ତ୍ରାଳୟ ନିକଟରେ ପଡି ରହିଛି। ତେଣୁ ଆପଣ ନିଜେ ଏଥିରେ ହସ୍ତକ୍ଷେପ କରି ଓଡ଼ିଶାରେ ତିନିଟି ନୂଆ ଡିଭିଜନ୍ ପାଇଁ ପଦକ୍ଷେପ ନିଆଯାଉ ବୋଲି ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି।

ସୂଚନାଯୋଗ୍ୟ ଯେ ପୂର୍ବତଟ ରେଳପଥ ଅଧୀନରେ ଥିବା ରେଳ ଷ୍ଟେସନ୍ ହେଉ କିମ୍ବା ରେଳ ପ୍ରକଳ୍ପ, ସବୁ କ୍ଷେତ୍ରରେ ବିକାଶର ଚିହ୍ନ ପରିଲକ୍ଷିତ ହେଉଛି। କିନ୍ତୁ ଦକ୍ଷିଣ ପୂର୍ବ ରେଳପଥ, ଦକ୍ଷିଣ ପୂର୍ବ କେନ୍ଦ୍ର ରେଳପଥ ଅଧୀନରେ ଥିବା ଓଡ଼ିଶାର ରେଳ ଷ୍ଟେସନ୍ରେ ଅବସ୍ଥା ବିଶେଷ ଭଲ ନାହିଁ। ଯାତ୍ରୀ ସୁବିଧା ଠାରୁ ଆରମ୍ଭ କରି ମାଲ ପରିବହନ, ପ୍ରକଳ୍ପର ନିର୍ମାଣ ସବୁଠି ସମସ୍ୟା ଭରି ରହିଛି। ଓଡ଼ିଶାରେ ଥିଲେ ସୁଦ୍ଧା ଅନ୍ୟ ରାଜ୍ୟରେ ଥିବା ଜୋନ୍ ପାଇଁ ଓଡ଼ିଶାବାସୀ ସମସ୍ୟା ଭୋଗୁଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି। ତେବେ ସମଗ୍ର ଓଡ଼ିଶା ପୂର୍ବତଟ ରେଳପଥ ଅଧୀନକୁ ଆସିଲେ ପରିସ୍ଥିତିରେ ସୁଧାର ଆସିବା ସହିତ ଜନତା, ଶିଳ୍ପାନୁଷ୍ଠାନ, ରେଳବାଇ ଭାଗିଦାର, ରାଜ୍ୟ ଓ କେନ୍ଦ୍ର ସରକାର ଉପକୃତ ହେବେ ବୋଲି କୁହାଯାଇଛି।।

Leave A Reply

Your email address will not be published.