ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରତିକୂଳ ପାଗ ସତ୍ୱେ ଆଜି ସୁନ୍ଦରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ; ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ

ଭୁବନେଶ୍ୱର: କୌଣସି ପୁଞ୍ଜିପତି କି ଧନୀକ ବର୍ଗ ନୁହେଁ; ବରଂ ଜୀବନଜୀବିକା ସଂଘର୍ଷ ଭିତରେ ଥିବା ଖଟିଖିଆ, ମେହନତୀ ମଣିଷ ହାତରେ ତା’ର ଏବଂ ତା’ ପରିବାରର ସ୍ବାସ୍ଥ୍ୟ ସେବାର ଚାବି ଧରାଇବା ଲାଗି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅତ୍ୟନ୍ତ ପ୍ରତିକୂଳ ପାଗ ସତ୍ତ୍ଵେ ରାଉରକେଲା ଯାଉଛନ୍ତି। ରାଜ୍ୟ ସରକାର ସ୍ବାସ୍ଥ୍ୟ ନିରାପତ୍ତାକୁ ଅଧିକ ସୁଦୃଢ଼ କରିବା ସହିତ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ପ୍ରଦାନ ଲାଗି ଯେଉଁ ଉତ୍ତରଦାୟିତ ନେଇଛନ୍ତି, ସେହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟାଯିବ। ଫଳରେ ଗାଁ ଗଣ୍ଡା, ପଡ଼ା ବା ଉପାନ୍ତ ଅଞ୍ଚଳରେ ବାସ କରୁଥିବା ଅନୁସୂଚିତ ଜନଜାତି ବର୍ଗର ଆବାଳବୃଦ୍ଧବନିତା ଚିକିତ୍ସା ଅଭାବରୁ ଜୀବନ ମରଣ ଦୋଛକି ଭିତରେ ଆଉ ଧନ୍ଦି ହେବେ ନାହିଁ ।

ସୁନ୍ଦରଗଡ଼ ଗସ୍ତ ଅବସରରେ ଆଜି ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ସୁନ୍ଦରଗଡ଼ ଜିଲ୍ଲାରେ ୪ ଲକ୍ଷ ୩୬ ହଜାର ୯୪୮ କାର୍ଡ ବଣ୍ଟନ କରାଯିବ । ଜିଲ୍ଲାର ୧୫ ଲଷ ୯ ହଜାର ୮୨୧ ଜଣ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ପାଇବେ । ଆଜି ସୁନ୍ଦରଗଡ଼ ଜିଲ୍ଲାର ୫୫୦ଟି ସ୍ଥାନରେ ସ୍ମାର୍ଟ କାର୍ଡ ବଣ୍ଟନ କରାଯିବ ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୨ ଜଣ ମନ୍ତ୍ରୀ ଉପସ୍ଥିତ ରହି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସୁବିଧା କରାଯାଇଛି । ଆଜି ଦିନ ୧୧ଟାରେ ରାଉରକେଲା ବିମାନବନ୍ଦରରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ୧୧ଟା ୫ରେ ରାଉରକେଲା ଇସ୍ପାତ ସୁପର ସ୍ପେଶିଆଲିଟି ହସ୍ପିଟାଲ ଅଡିଟୋରିୟମରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ସେହିପରି ୫୮୦ କୋଟି ୮୨ ଲଷ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୭୬ କୋଟି ୬୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିର୍ମିତ ହୋଇଥିବା ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ । ଏହାସହ ୨୦୪ କୋଟି ୧୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.