ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆବୁଧାବିରେ ମୁଖ୍ୟମନ୍ତ୍ରୀ: ନୀଳ କୁର୍ତ୍ତା ପିନ୍ଧି ଶେଖ୍ ଜାଏଦ ମସଜିଦ୍ ବୁଲିଲେ ନବୀନ

ଭୁବନେଶ୍ୱର: ଆବୁଧାବିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଦେଶଗସ୍ତ ଅବସରରେ ନୀଳ କୁର୍ତ୍ତା ପିନ୍ଧି ଆବୁଧାବିର ଐତିହ୍ୟ ସ୍ମାରକୀ ମାର୍ବଲ କାରୁକାର୍ଯ୍ୟପୂର୍ଣ୍ଣ ଶେଖ୍ ଜାଏଦ ମସଜିଦ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମ ଥର ଲାଗି ନୀଳ କୁର୍ତ୍ତା ପରିଧାନ କରିଥିବା ନବୀନ ବେଶ୍ ସ୍ମାର୍ଟ ଦିଶିବା ସହ ଭାବପ୍ରବଣ ହୋଇଥିଲେ । ମୋଗଲ ସ୍ଥାପତ୍ୟର ଉତ୍କର୍ଷତା ବୋଲି ଏହାକୁ ଦର୍ଶାଇବା ସହ ସ୍ଥପତି ଓ ଶିଳ୍ପୀଙ୍କ ପ୍ରଶଂସାରେ ଶତମୁଖ ହୋଇଥିଲେ ନବୀନ । ଏହି ପ୍ରଖ୍ୟାତ ସ୍ମାରକୀ ନିର୍ମାଣ ଲାଗି ରାଜସ୍ଥାନର ମକ୍ରାନରୁ ମାର୍ବଲ ପ୍ରସ୍ତର ଓ କାରିଗର ଆସିଥିବା ବେଳେ ସବୁଠି ଭାରତର ଛାପ ଥିବା ଟ୍ୱିଟରରେ ଲେଖିଛନ୍ତି ନବୀନ । ଟ୍ୱିଟ୍ ରେ ମସଜିଦର ସୌନ୍ଦର୍ଯ୍ୟପୂର୍ଣ୍ଣ କାରୁକାର୍ଯ୍ୟ, ସ୍ଥାପତ୍ୟକୁ ଖୁବ୍ ପ୍ରଶଂସା କରିଛନ୍ତି ମୁଖମନ୍ତ୍ରୀ ।

ତେବେ ୟୁଏଇ ସହ ସମ୍ପର୍କକୁ ଅଧିକ ଶକ୍ତିଶାଳୀ କରିବା ଲାଗି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ୟୁଏଇକୁ ଗସ୍ତ କରିବାରେ ନବୀନ ହେଉଛନ୍ତି ପୂର୍ବ ଭାରତୀୟ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ । ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ନିବେଶକ ସମ୍ମିଳନୀ ପରିପ୍ରେକ୍ଷୀରେ ବଢିଛି ନବୀନଙ୍କ କ୍ରେଜ । ଦୁବାଇର ହାଇ ପ୍ରୋଫାଇଲ ଶେଖ ଜାୟେଦ ରୋଡ ଓ ଅଲ ଖେଲ ରୋଡରେ ନବୀନଙ୍କ ଗସ୍ତକୁ ନେଇ ବିଶାଳ ହୋର୍ଡିଂ ଲଗାଯାଇଛି । ଗଲଫ ନ୍ୟୁଜକୁ ଏକ ସାକ୍ଷାତକାର ଅବସରରେ ନବୀନ କହିଛନ୍ତି, ୟୁଏଇ ଓ ମଧ୍ୟପ୍ରାଚ୍ୟ ଏବଂ ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ବା ମେନା ସହ ଦୃଢ଼ ସାମାଜିକ ଓ ସାଂସ୍କୃତିକ ସମ୍ପର୍କ ପ୍ରତିଷ୍ଠା କରିବା ଲାଗି ଓଡ଼ିଶା ସରକାର ଆଗ୍ରହୀ । ଏଥିଲାଗି ସେ ନିଜେ ଓ ତାଙ୍କ ସରକାରର ବରିଷ୍ଠ ପଦାଧିକାରୀମାନେ ଦୁବାଇ ଗସ୍ତ କରିଛନ୍ତି ।

ନବୀନ କହିଛନ୍ତି, ୟୁଏଇରେ ୧ ଲକ୍ଷରୁ ଅଧିକ ଓଡ଼ିଆ ବାସ କରିବା ସହ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଗତ କିଛି ବର୍ଷ ଧରି ୟୁଏଇ ଓ ମଧ୍ୟପ୍ରାଚ୍ୟରେ ଓଡ଼ିଆଙ୍କ ସଂଖ୍ୟା ବଢିଛି । ବହୁ ଦକ୍ଷ ଓ ଉଚ୍ଚକୁଶଳୀ ଓଡ଼ିଆଙ୍କ ଲକ୍ଷ୍ୟସ୍ଥଳୀରେ ପରିଣତ ହୋଇଛି ଦୁବାଇ । ପ୍ରତିବର୍ଷ ୟୁଏଇ ଓ ମଧ୍ୟପ୍ରାଚ୍ୟରେ ଓଡିଆମାନେ ଉତ୍କଳ ଦିବସ ପାଳନ କରୁଥିବାରୁ ଖୁସିବ୍ୟକ୍ତ କରିଛନ୍ତି ନବୀନ । ଏହାସହ ନିବେଶକ ସମ୍ମିଳନୀ ପରେ ଆସନ୍ତାକାଲି ସନ୍ଧ୍ୟାରେ ପ୍ରବାସୀ ଓଡ଼ିଆଙ୍କୁ ନବୀନ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ନିବେଶକ ସମ୍ମିଳନୀ ଓଡ଼ିଶା ସରକାର ଓ ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଦ୍ୱାରା ମିଳିତ ଭାବେ ଆୟୋଜିତ ହେବ । ନବୀନ ଆହୁରି କହିଛନ୍ତି, ୟୁଏଇର ପେଟ୍ରୋଲିୟମ ଓ ହାଇଡ୍ରୋକାର୍ବନ ପରି ଓଡିଶାରେ ଖଣିଜ ପଦାର୍ଥ ଭରପୂର ରହିଛି । ଏହାର ସୁଯୋଗ ନେବା ଲାଗି ଆହ୍ୱାନ ଦେଇଛନ୍ତି ନବୀନ ।

Leave A Reply

Your email address will not be published.