ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦଳମତ ନିର୍ବିଶେଷରେ ମାଟିର ଝିଅଙ୍କୁ ସମର୍ଥନ କରିବାକୁ ବିଧାନସଭାର ସବୁ ସଦସ୍ଯଙ୍କୁ ଅପିଲ କଲେ ମୁଖ୍ଯମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାର ଦ୍ରୌପଦୀ ମୁର୍ମୁ ହୋଇଛନ୍ତି ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ । ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇଛି ବିଜେଡ଼ି। ଏ ନେଇ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଦଳମତ ନିର୍ବିଶେଷରେ ମାଟିର ଝିଅକୁ ସମର୍ଥନ କରିବାକୁ ବିଧାନସଭାର ସବୁ ସଦସ୍ଯଙ୍କୁ ଅପିଲ କରିଛନ୍ତି ମୁଖ୍ଯମନ୍ତ୍ରୀ।


ଏନଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଜଣେ ଓଡ଼ିଆଙ୍କୁ ଘୋଷଣା କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ। ଏନଡିଏର ରାଷ୍ଟ୍ରପତି ହୋଇଥିବାରୁ ଦ୍ରୌପଦୀ ମୁର୍ମୁଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଥିଲେ।  ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବ ଓଡ଼ିଶା ପାଇଁ ଏକ ଗର୍ବର ବିଷୟ । ଦେଶରେ ମହିଳା ସଶକ୍ତିକରଣ ପାଇଁ ଶ୍ରୀମତୀ ମୁର୍ମୁ ଉଜ୍ଜ୍ୱଳ ଉଦାହରଣ ହେବେ ବୋଲି ମୋର ଆଶା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସୂଚନାଯୋଗ୍ୟ, ଓଡିଶାର ମୟୁରଭଞ୍ଜ ଜିଲ୍ଲାରେ ଦ୍ରୌପଦୀଙ୍କ ଘର । ଦ୍ରୌପଦୀ  ୨୦ ଜୁନ ୧୯୫୮ରେ ଜନ୍ମ ଗ୍ରହଣ କରିଥିଲେ। ଆଦିବାସୀ ସମ୍ପ୍ରଦାୟରୁ ଆସିଥିବା ଦ୍ରୌପଦୀ ମୁର୍ମୁ ଜଣେ ଶିକ୍ଷକ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ଏହାପରେ  ଜଳସେଚନ ବିଭାଗରେ କନିଷ୍ଠ ସହାୟକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ୧୯୯୭ ମସିହାରେ ରାଜନୀତିକୁ ପ୍ରବେଶ କରିଥିଲେ ଦ୍ରୌପଦୀ ମୁର୍ମୁ। ୧୯୯୭ରେ ଓ୍ବାର୍ଡ ସଭ୍ୟ ଭାବେ ନିର୍ବାଚିତ ହେବା ପରେ ରାଇରଙ୍ଗପୁର ପୌରାଧ୍ୟକ୍ଷା ପଦ ସମ୍ଭାଳିଥିଲେ । ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ୨୦୦୦ ଏବଂ ୨୦୦୪ରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଛନ୍ତି ।

ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ସଂଯୁକ୍ତ ଶାସନ ବେଳେ ସେ ସ୍ୱାଧୀନ ବାଣିଜ୍ୟ ଏବଂ ଗମନାଗମନ ମନ୍ତ୍ରୀ ଭାବେ ମାର୍ଚ୍ଚ ୬, ୨୦୦୦ରୁ ଅଗଷ୍ଟ ୬, ୨୦୦୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ଏବଂ ମତ୍ସ୍ୟ ଏବଂ ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ ୨୦୦୨ ଅଗଷ୍ଟ ୬ରୁ ୨୦୦୪ ମଇ ୧୬ ପର୍ୟ୍ୟନ୍ତ କାର୍ଯ୍ୟ କରିଥିଲେ । ୧୯୯୭ରୁ ସେ ବିଜେପିର ଆଦିବାସୀ ମୋର୍ଚ୍ଚା ସହ ଜଡ଼ିତ । ୧୯୯୭ରେ ଦ୍ରୌପଦୀ ମୁର୍ମୁଙ୍କୁ ଭାରତୀୟ ଜନତା ପାର୍ଟିର ଆଦିବାସୀ ମୋର୍ଚ୍ଚାର ଉପ-ସଭାପତି ପଦ ମିଳିଥିଲା । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରହିଛନ୍ତି । ୨୦୦୬ରୁ ୨୦୦୯ ପର୍ୟ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଜ୍ୟ ଅଧ୍ୟକ୍ଷା ରହିଛନ୍ତି । ୨୦୧୦ରେ ମୟୂରଭଞ୍ଜର ଭାରତୀୟ ଜନତା ପାର୍ଟି (ପୂର୍ବ)ର ଜିଲ୍ଲା ଅଧ୍ୟକ୍ଷା ରହିଛନ୍ତି । ୨୦୧୩ରୁ ଏପ୍ରିଲ ୧୦, ୨୦୧୫ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି (ପୂର୍ବ)ର ଜିଲ୍ଲା ଅଧ୍ୟକ୍ଷା ଓ ୨୦୧୩ରୁ ଏପ୍ରିଲ ୧୦, ୨୦୧୫ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରହିଛନ୍ତି ।୨୦୧୫ ମସିହାରେ ମୁର୍ମୁ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ ।

Leave A Reply

Your email address will not be published.