ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସମ୍ଭାବ୍ୟ ବାତ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା : ସ୍ଥାନାନ୍ତର କାର୍ଯ୍ୟକୁ ବ୍ୟକ୍ତିଗତଭାବେ ତଦାରଖ କରିବାକୁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ, ଭୟଭୀତ ନ ହେବାକୁ ଦେଲେ ପରାମର୍ଶ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ୟଶ୍’ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ଜରିଆରେ ସମୀକ୍ଷା କରିଛନ୍ତି । ସରକାର ସମ୍ପୂର୍ଣ୍ଣ  ପ୍ରସ୍ତୁତ  । ଆତଙ୍କିତ ନ ହେବାକୁ ପରାମର୍ଶ । ସବୁ ଜୀବନ ମୂଲ୍ୟବାନ  । ତେଣୁ ଲୋକଙ୍କୁ  ନିରାପଦ ସ୍ଥାନକୁ ସ୍ଥାନାନ୍ତର ଉପରେ ଗୁରୁତ୍ବ  । ଏହାସହ ତ୍ରୁଟିଶୂନ୍ୟ ପ୍ରସ୍ତୁତି ପ୍ରକ୍ରିୟା ସୁନିଶ୍ଚିତ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବାତ୍ୟା ସମୟରେ ରାଜ୍ୟ ମଧ୍ୟରେ ତଥା ରାଜ୍ୟ ବାହାରକୁ ଅକ୍ସିଜେନ୍ ଯୋଗାଣରେ ଯେପରି କୌଣସି ଅସୁବିଧା ନ ହୁଏ, ସେଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି  । ବାତ୍ୟା ଆସିବା ପୂର୍ବରୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହେଉଛି ତଳିଆ ଅଞ୍ଚଳରେ ଏବଂ ବିପଦସଂକୁଳ ବାସସ୍ଥାନରେ ରହୁଥିବା ଲୋକଙ୍କ ସ୍ଥାନାନ୍ତର । ଜିଲ୍ଲାପାଳ ଓ ଏସ୍‌ପିମାନେ ଏହି କାର୍ଯ୍ୟକୁ  ବ୍ୟକ୍ତିଗତ ଭାବେ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ମୁଖ୍ୟ ଶାସନ ସଚିବ ଏହି ବାତ୍ୟା ପ୍ରସ୍ତୁତି କାର୍ଯ୍ୟକ୍ରମକୁ ନିୟମିତ ମନିଟରିଂ କରି ଜିଲ୍ଲା ପ୍ରଶାସନକୁ ଆବଶ୍ୟକ ପରାମର୍ଶ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟାକୁ ଦୃଷ୍ଟିରେ ରଖି ସମସ୍ତ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ବିପର୍ଯ୍ୟୟ ପରିଚାଳନା ଟିମ୍‌ ODRAF, NDRF, ରାସ୍ତା ସଫେଇ ମେସିନ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକ ସମସ୍ତ ଯନ୍ତ୍ରପାତି ପ୍ରସ୍ତୁତ ରଖିବାକୁ କହିଛନ୍ତି  । ସେହିପରି ବିଦ୍ୟୁତ ଯୋଗାଣ ଓ ଟେଲି ଯୋଗାଯୋଗ ବ୍ୟବସ୍ଥାର ପୁନଃ ସଂଯୋଗ ପାଇଁ ସମସ୍ତ ଟିମ୍‌ ଓ ଆବଶ୍ୟକ ଯନ୍ତ୍ରପାତି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରଖିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଆବଶ୍ୟକସ୍ଥଳେ ଅନ୍ୟ ରାଜ୍ୟରୁ ଅତିରିକ୍ତ ଟିମ୍‌ ଓ ଯନ୍ତ୍ରପାତି ଆଣି ମହଜୁଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । ବିପର୍ଯୟ ପରିଚାଳନାରେ ଓଡିଶାର ସ୍ବତନ୍ତ୍ର ଦକ୍ଷତା ରହିଛି  । ତେବେ କୋଭିଡ ସମୟରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବ ଏବଂ ଏକ ତ୍ରୁଟିଶୂନ୍ୟ ପ୍ରସ୍ତୁତି ପ୍ରକ୍ରିୟାକୁ ସୁନିଶ୍ଚିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବୈଠକରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ଯୋଗଦେଇଥିଲେ  । ବାଲେଶ୍ବରରେ ୧୨୨୩ଟି ଆଶ୍ରୟସ୍ଥଳ ଚିହ୍ନଟ କରାଯାଇଥିବା ବେଳେ ଭଦ୍ରକରେ ୭୦୦ଟି, କେନ୍ଦ୍ରାପଡାରେ ୯୭୦ଟି ଓ ଜଗତସିଂହପୁରରେ ୨୨୩ଟି ଆଶ୍ରୟସ୍ଥଳ ଚିହ୍ନଟ କରି ରଖାଯାଇଛି  ।

Leave A Reply

Your email address will not be published.