ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଜେଟ୍ ୨୦୨୩- ୨୪: ଆୟୁଷ୍ମାନ ଭାରତ ଯୋଜନାକୁ କଡା ପ୍ରତିକ୍ରିୟା, ମିଲେଟକୁ ବଜେଟରେ ଗୁରୁତ୍ବ ମିଳିଥିବାରୁ ବେଶ ଖୁସି- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ଆଣିଥିବା ବଜେଟରେ କିଛି କ୍ଷେତ୍ରରେ ପଦେକ୍ଷପ ବେଶ ପ୍ରଶଂସନୀୟ । ତେବେ କେତେକ ଦିଗ ପ୍ରତି ବଜେଟରେ ଅଣଦେଖା କରାଯିବା ଚିନ୍ତାଜନକ । ଏଥିପ୍ରତି ଧ୍ୟାନ ଦେବା ଜରୁରୀ । ବଜେଟକୁ ନେଇ ଏମିତି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଛଡ଼ା ଓଡ଼ିଶା ରାଜ୍ୟ ବିଜେପପିର ନେତାମାନେ ‘ଆୟୁଷ୍ମାନ ଭାରତ’ ଯୋଜନା ନେଇ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବା ବନ୍ଦ କରନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ନିଜ ବଜେଟ ପ୍ରତିକ୍ରିୟାରେ କହିଛନ୍ତି, ବଜେଟରେ ପୁଞ୍ଜି ନିବେଶକୁ ଅଗ୍ରାଧିକାର ମିଳିଛି । ପାନୀୟ ଜଳ ଓ ଗ୍ରାମ୍ୟ ଗୃହ ନିର୍ମାଣକୁ ଅଧିକ ଫୋକସ୍ କରାଯାଇଛି । ଏହା ବାସ୍ତବରେ ଦେଶର ଅଭିବୃଦ୍ଧିକୁ ଆଗକୁ ନେବା ସହ ଗ୍ରାମାଞ୍ଚଳର ସାମାଜିକ ବିକାଶରେ ସହାୟକ ହେବ । ମିଲେଟ ଉପରେ ପ୍ରଧାନମନ୍ତ୍ରୀ ଭରସା କରିଥିବାରୁ ନବୀନ ଖୁସି ବ୍ୟକ୍ତ କରିଛନ୍ତି । ଓଡ଼ିଶା ମିଲେଟ ମିଶନ ସମଗ୍ର ଦେଶରେ ଏକ ଅଭିନବ ପଦକ୍ଷେପ ଥିଲା ।

ମିଲେଟକୁ ବଜେଟରେ ଗୁରୁତ୍ବ ମିଳିଥିବାରୁ ବେଶ ଖୁସି ବୋଲି ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟାରେ ଦର୍ଶାଇଛନ୍ତି । ଆୟୁଷ୍ମାନ ଭାରତ ଯୋଜନା ସଂପର୍କରେ କଡ଼ା ପ୍ରତିକ୍ରିୟା ରଖି ନବୀନ କହିଛନ୍ତି, ଏ ଯୋଜନା ପାଇଁ ରାଜ୍ୟ ବିଜେପି ନେତାମାନେ ଓକିଲାତି କରୁଛନ୍ତି । ଏଥିପାଇଁ କେନ୍ଦ୍ର ବଜେଟରେ ମାତ୍ର ୭ ହଜାର ୨ ଶହ କୋଟି ସାରା ଦେଶ ପାଇଁ ବରାଦ ହୋଇଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟ ସରକାର ୨୪୦୦ କୋଟି ଟଙ୍କା ବାର୍ଷିକ ଖର୍ଚ୍ଚ କରୁଛନ୍ତି ।

ଯଦି ସରକାରୀ ସୁବିଧାକୁ ମିଶାଯାଏ ତେବେ ଏହାର ପରିମାଣ ବାର୍ଷିକ ୬ ହଜାର କୋଟି ଟଙ୍କା ଛୁଇଁବ । ରାଜ୍ୟ ସରକାର ସ୍ବାସ୍ଥ୍ୟକୁ ସବୁବେଳେ ଅଗ୍ରାଧିକାର ଦେଇ ଆସିଛନ୍ତି । ଏ ବାବଦକୁ ଅଧିକ ପାଣ୍ଠି ଖର୍ଚ୍ଚ କରୁଛନ୍ତି । ତେଣୁ ଆୟୁଷ୍ମାନ ଭାରତ ନେଇ ରାଜ୍ୟ ବିଜେପି ନେତା ଆଉ ଲୋକଙ୍କୁ ଭୁଆଁ ବୁଲାନ୍ତୁ ନାହିଁ ବୋଲି ନବୀନ କହିଛନ୍ତି । ବଜେଟରେ ଆର୍ଟିଫିସିଆଲ ଇଣ୍ଟେଲିଜେନସ୍, ଇଣ୍ଟରନେଟ୍ ସହ ଆଦିମ ଜନଜାତିଙ୍କ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ବେଶ ପ୍ରଶଂସନୀୟ ।

ତେବେ ମନରେଗାରେ ବହୁ ସିଂହଭାଗ ପାଣ୍ଠି ହ୍ରାସ କରାଯାଇଛି । ଏହା ଗରିବ ଲୋକଙ୍କୁ ବହୁଳ ଭାବେ ପ୍ରଭାବିତ କରିବ । ଖାଦ୍ୟ ସୁରକ୍ଷା ସହ ଧାନ ସଂଗ୍ରହରେ ବଜେଟ ପାଣ୍ଠି ହ୍ରାସ ପାଇବା ଗରିବ ଓ ଚାଷୀକୁଳଙ୍କୁ ବାଧିବ । ୨୦୨୧-୨୨ ଆର୍ଥିକ ବର୍ଷରେ ଧାନ ଓ ଅନ୍ୟ ଶସ୍ୟ ସଂଗ୍ରହ ପାଇଁ ୮୦ ହଜାର କୋଟିର ପାଣ୍ଠି ବରାଦ ହୋଇଥିଲା ବେଳେ ଏ ବଜେଟରେ ମାତ୍ର ୬୦ ହଜାର କୋଟି ବରାଦ ହୋଇଛି ।

ସର୍ବନିମ୍ନ ସହାୟକ ମୂଲ୍ୟରେ ଶସ୍ୟ ସଂଗ୍ରହ କ୍ଷେତ୍ରରେ ଏହା ବଡ଼ ବାଧକ ସାଜିବ । ସେହିଭଳି ଗତ ଆର୍ଥିକ ବର୍ଷରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୨ ଲକ୍ଷ କୋଟି ବ୍ୟୟ ହୋଇଥିଲା ବେଳେ ଅର୍ଥମନ୍ତ୍ରୀ ଚଳିତ ବଜେଟରେ ଏହାକୁ ୧.୩୭ ଲକ୍ଷ କୋଟିକୁ କମାଇଛନ୍ତି । ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରେର ପାଣ୍ଠି ବରାଦ କମିଛି ଅବା ବଢ଼ିନି । ଏ ଦିଗକୁ ଅଧିକ ଫୋକସ କରିବାର ଥିଲା ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ।

Leave A Reply

Your email address will not be published.