ସୁବର୍ଣ୍ଣପୁର ଜିଲ୍ଲାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ ସହ ୩୦୦ କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ ଓ ଭିତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ ହେଲା ସ୍ବାସ୍ଥ୍ୟସେବାର ସୁବର୍ଣ୍ଣ ଯୁଗ । ସୁବର୍ଣ୍ଣପୁର ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭର୍ଚୁଆଲ ମୋଡରେ ସେ ଜିଲ୍ଲାରେ ବିଏସକେୱାଇ ସ୍ମାର୍ଟ କାର୍ଡ ବଂଟନ ଆରମ୍ଭ କରିଛନ୍ତି । ଏଥିସହ ସୋନପୁରରେ ପ୍ରାୟ ୩ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଜିଲ୍ଲାରେ ମୋଟ୍ ୭୯କୋଟି ୨୨ଲକ୍ଷ ଟଙ୍କା ପ୍ରକଳ୍ପର ଉଦଘାଟନ କରାଯାଇଛି । ଏହାସହ ୧୪୮କୋଟି ୪ଲକ୍ଷ ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସୁଇମିଂ ପୁଲ, ଟାଉନ ହଲ, ବିଦ୍ୟୁତ ଶବ ସଂସ୍କାର ଗୃହ ସହିତ ଗ୍ରାମାଞ୍ଚଳର ବିଭିନ୍ନ ରାସ୍ତା ଓ ସେତୁକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ବିଏସକେଓ୍ବାଇ ସ୍ମାର୍ଟ ହେଲଥ କାର୍ଡ ଦ୍ୱାରା ଜିଲ୍ଲାର ୧ ଲକ୍ଷ ୫୩ ହଜାର ହିତାଧିକାରୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କୁ ସମ୍ବୋଧନ କରି କହିଛନ୍ତି । ଗୋଟିଏ ପରିବାରର ସଦସ୍ୟଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଚିକିତ୍ସା ସହାୟତା ମିଳିବ । ଦେଶରେ ଏପରି ସେବା ଯୋଗାଇବାରେ ରାଜ୍ୟ ପ୍ରଥମ । ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଏଥିରୁ ଉପକୃତ ହେବେ। କେବଳ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସପିଟାଲରେ ଉନ୍ନତ ଚିକିତ୍ସା ପାଇପାରିବେ ।

ଦେଶ ବିଦେଶରେ ଓଡ଼ିଶାର ଗୌରବ ବଢାଇଛନ୍ତି ସୁବର୍ଣ୍ଣପୁରର ବୁଣାକାର ଭାଇ ଓ ଭଉଣୀମାନେ । ଏମଏସଏମଇ ଦ୍ବାରା ସୋନପୁରରେ ଶିଳ୍ପ ବିକାଶ ପାଇଁ ପଦକ୍ଷେପ ନିଆଯାଇଛି । ଜିଲ୍ଲାରେ ଜଳସେଚନ ପାଇଁ ପଦକ୍ଷେପ ନିଆଯାଇଛି । ସ୍ବାସ୍ଥ୍ୟସେବାରେ ଉନ୍ନତି ପାଇଁ ସୋନପୁରରେ ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରତିଷ୍ଠା କରାଯାଉଛି । ଏବେ ସ୍ମାର୍ଟ ହେଲଥ କାର୍ଡ ସେବା ଆରମ୍ଭ ହେବା ପରେ ଜିଲ୍ଲାବାସୀଙ୍କ ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇପାରିବ ।

Leave a comment