ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଯାଜପୁର ପ୍ରମୁଖ ପର୍ଯ୍ୟଟନ ଓ ଧାର୍ମିକ କ୍ଷେତ୍ରରେ ପରିଣତ ହେବା ପାଇଁ ଯୋଗ୍ୟତା ବହନ କରୁଛି : ମୁଖ୍ୟମନ୍ତ୍ରୀ

ଯାଜପୁରରେ ଆରମ୍ଭ ହେଲା ଅନ୍ତର୍ଜାତୀୟ କ୍ରାଫ୍ଟ ସମ୍ମିଳନୀ, ଯୋଗ ଦେଲେ ୧୫ଟି ଦେଶର ପ୍ରତିନିଧି

ଭୁବନେଶ୍ୱର/ଯାଜପୁର : ଆମର କଳା, ସଂସ୍କୃତି, ସଂଗୀତ, ସ୍ଥାପତ୍ୟରେ ଓଡ଼ିଶାର ଆତ୍ମା ପ୍ରତିଫଳିତ ହୋଇଥାଏ । ଓଡ଼ିଶା ହେଉଛି ନିର୍ମଳ କଳା ଓ ସ୍ଥାପତ୍ୟର ଭୂମି । ଆମର କଳା ସଂସ୍କୃତିରୁ ଆମର ମାନବ ସଭ୍ୟତାର ସୃଷ୍ଟି । ବିଭିନ୍ନ ବାଟରେ ଆମର କଳାଚାତୁରୀ ପ୍ରତିଫଳିତ ହେଉଛି । ଏହାକୁ ଆଧାର କରି ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ପ୍ରମୁଖ ସ୍ଥାନରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ଲୋକଙ୍କୁ ରୋଜଗାର ଯୋଗାଇବା ସହିତ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ଏହି ଉଦ୍ୟମ ଫଳପ୍ରସୂ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଶୁକ୍ରବାର ଯାଜପୁରର ବ୍ୟାସନଗର ଠାରେ ଅନ୍ତର୍ଜାତୀୟ କ୍ରାଫ୍ଟ ସମ୍ମିଳନୀକୁ ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଏହାକୁ ଏକ ଐତିହାସିକ କାର୍ଯ୍ୟକ୍ରମ ବୋଲି ଅଭିହିତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମର ମନ୍ଦିର, ଆମର ସ୍ଥାପତ୍ୟ, ବୌଦ୍ଧ କୀର୍ତ୍ତିରାଜି, ହାତ ବୁଣା ଲୁଗା, ପଟ୍ଟଚିତ୍ର, କାଠ ଓ ଧାତୁ ପ୍ରସ୍ତୁତ ସାମଗ୍ରୀରେ ଓଡ଼ିଶାର ଶତାବ୍ଦୀ ପୁରାତନ କଳା ଓ ସଂସ୍କୃତି ପ୍ରତିଫଳିତ ହେଉଛି । ଆମ ରାଜ୍ୟର ପ୍ରତ୍ୟେକ ଗ୍ରାମ, ପ୍ରତ୍ୟେକ ଗଳିକନ୍ଦିରେ କିଛି ନା କିଛି କଳା, ସ୍ଥାପତ୍ୟ ଦେଖିବାକୁ ମିଳେ । ଯାଜପୁର ଜିଲ୍ଲା ହେଉଛି ଓଡ଼ିଶାର ପ୍ରାଚୀନ ରାଜଧାନୀ । ଧାର୍ମିକ ପର୍ଯ୍ୟଟନ ସ୍ଥଳ, ସହରାଞ୍ଚଳ ପର୍ଯ୍ୟଟନ ଓ ବୌଦ୍ଧ ପର୍ଯ୍ୟଟନ କ୍ଷେତ୍ରରେ ହାସଲ କରିଥିବା ସମୃଦ୍ଧି ଦୃଷ୍ଟିରୁ ଦେଶର ପ୍ରମୁଖ ପର୍ଯ୍ୟଟନ ହବ୍‌ରେ ପରିଣତ ହେବା ପାଇଁ ଯାଜପୁର ଜିଲ୍ଲା ସମସ୍ତ ଯୋଗ୍ୟତା ବହନ କରୁଛି । ଏହି ଜିଲ୍ଲାର ସାଂସ୍କୃତିକ ବୈଭବ ପ୍ରତିଟି କ୍ଷେତ୍ରରେ ପ୍ରଗତି କରିଛି । ଧାର୍ମିକ ପର୍ଯ୍ୟଟନ ଓ ବୌଦ୍ଧ ପର୍ଯ୍ୟଟନ ପାଇଁ ଏଠାରେ ପର୍ଯ୍ୟାପ୍ତ ସୁଯୋଗ ରହିଛି । ଯାହା ଆଗାମୀ ଦିନରେ ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରର ନାଭିକେନ୍ଦ୍ର ହେବାର ସମ୍ଭାବନା ରହିଛି । ଏପରି ଏକ ସ୍ଥାନରେ ଅନ୍ତର୍ଜାତୀୟ କ୍ରାଫ୍ଟ ସମ୍ମିଳନୀ ଆରମ୍ଭ ହେବା ଗୌରବର ବିଷୟ ।

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ ପର୍ଯ୍ୟଟନରେ ଓଡ଼ିଶା ଏକ ଗ୍ଲୋବାଲ୍‌ ହଟ୍‌ସ୍ପଟ୍‌ରେ ପରିଣତ ହେବ । ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ରଣନୀତି ନିର୍ଦ୍ଧାରଣ କରି ତାହା ଉପରେ କାର୍ଯ୍ୟ କରୁଛନ୍ତି । ଏଥିରେ ସଫଳତା ଆଣିବା ଲକ୍ଷ୍ୟରେ ରାଜ୍ୟ ସରକାର ପର୍ଯ୍ୟଟନ, ହସ୍ତଶିଳ୍ପ ଓ ହସ୍ତତନ୍ତ ନୀତି, ପରିଧାନ ଓ ବୈଷୟିକ ବୟନ ନୀତି ଅନେକ ନୀତି ପ୍ରଣୟନ କରିଛନ୍ତି । ଆମେ ମଧ୍ୟ ବିଭିନ୍ନ ସ୍ଥାନରେ ଆର୍ଟ ଗ୍ୟାଲେରୀ ନିର୍ମାଣ କରୁଛୁ, ହେରିଟେଜ୍‌ ୱାକ୍‌ର ଆୟୋଜନ କରାଯାଉଛି । ଆମର ପର୍ଯ୍ୟଟନ ଓ ସଂସ୍କୃତିର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଏହିପରି ଅନେକ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।


ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ଭାରତ ସମେତ ଆର୍ଜେଣ୍ଟିନା, ଇଂଲଣ୍ଡ, ଚିଲି, କେନିଆ, ଉଗାଣ୍ଡା ଭଳି ୧୫ ଦେଶରୁ ପ୍ରତିନିଧି ଯୋଗ ଦେଇଥିବା ବେଳେ ମିଳିତ ଜାତିସଂଘର ଚାରିଟି ସଂସ୍ଥା, ପାଞ୍ଚଟି ୟୁନେସ୍କୋ କ୍ରିଏଟିଭ୍‌ ସିଟି ସମେତ ସ୍ଥାନୀୟ କଳାକାର ଏବଂ ଭାଗିଦାରଙ୍କ ସହଯୋଗରେ ଏହି ସମ୍ମିଳନୀ ଆୟୋଜନ କରାଯାଇଛି । ଏହି ବିଦେଶୀ କାରିଗର ସ୍ଥାନୀୟ କାରିଗର ଓ ଅନ୍ୟ ସହଭାଗିତାଙ୍କ ସହ ଭାବର ଆଦାନ ପ୍ରଦାନ କରିବା ପାଇଁ ବ୍ୟାସନଗରରେ ପହଞ୍ଚିଛନ୍ତି । ଏ ଅବସରରେ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ଯୋଗଦେଇ ଯାଜପୁର ଜିଲ୍ଲାର ପର୍ଯ୍ୟଟନ ଓ ଐତିହ୍ୟ ପରମ୍ପରା ସମ୍ପର୍କରେ ଆଲୋଚନା କରିବା ସହିତ ଶୁଖୁଆପଡ଼ାର ପ୍ରସ୍ତର କାରିଗର ଓ ବୈଦ୍ୟରାଜପୁରର କଂସାପିତଳ କାରିଗରୀ ସମ୍ପର୍କରେ ଆଲୋଚନା କରିଥିଲେ । ଏଭଳି କାରିଗରଙ୍କ ହାତର ସ୍ପର୍ଶରେ ଅନେକ ହସ୍ତଶିଳ୍ପ ଆଜି ବିଶ୍ୱ ଦରବାରରେ ପହଞ୍ଚପାରିଛି ବୋଲି କହିଥିଲେ ।

ସେହିଭଳି ମନ୍ତ୍ରୀ ଅଶୋକ ପଣ୍ଡା ଯୋଗ ଦେଇ ରାଜ୍ୟରେ ୫୦ ହଜାର କଳାକାରଙ୍କୁ ପେନସନ ପ୍ରଦାନ କରାଯାଉଛି । ଯାଜପୁର ହେଉଛି ଏକ ସ୍ୱତନ୍ତ୍ର ଜିଲ୍ଲା, ଯେଉଁଠି ଅନେକ କଳା ଓ କାରିଗର ରହିଛନ୍ତି । ସୋମବଂଶ ଓ ଭୌମ ସାମ୍ରାଜ୍ୟ ସମୟରେ ଏହା ରାଜ୍ୟର ପୁରାତନ ରାଜଧାନୀ ରହିଥିଲା ବୋଲି ଉଲ୍ଲେଖ କରି ଜଗନ୍ନାଥ ସଡ଼କ ପ୍ରକଳ୍ପ କାମ ପାଇଁ ୟୁନେସ୍କୋ ପଦକ୍ଷେପ ନେବାକୁ ପ୍ରସ୍ତାବ ରଖିଥିଲେ । ସେହିଭଳି ରାଜ୍ୟରେ ରହିଥିବା ସୌରା କଳା, ଧାତବ କାରିଗରି ଭଳି ପ୍ରାଚୀନ କଳାକୁ ସୁରକ୍ଷିତ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ । ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଯୋଗ ଦେଇ ସୁକିନ୍ଦାରେ ଥିବା ଏସିଆର ସର୍ବବୃହତ ଟସର ଫାର୍ମ ସମ୍ପର୍କରେ ଆଲୋଚନା କରିଥିଲେ । ସେମାନଙ୍କ ବିକାଶ ପାଇଁ ନିଆଯାଉଥିବା ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଦେଇଥିଲେ । ୟୁନେସ୍କୋର ସଂସ୍କୃତି ମୁଖ୍ୟ ଜୁହ୍ନି ହାନ ଯୋଗ ଦେଇ ଓଡିଶାର କାରିଗର ଓ ଶିଳ୍ପ କ୍ଷେତ୍ରରେ ରହିଥିବା ବିଭିନ୍ନ ସୁଯୋଗ ଓ ସମ୍ଭାବନା ସମ୍ପର୍କରେ ବିଶେଷ ଭାବେ ଆଲୋକପାତ କରିଥିଲେ ।

ୟୁନେସ୍କୋ ସାଂସ୍କୃତିକ କ୍ଷେତ୍ରର ଦକ୍ଷୀଣ ଏସିଆ ରାଷ୍ଟ୍ର ମୁଖ୍ୟ ଜୁନହି ହାନ୍‌ ରାଜ୍ୟ ସରକାରଙ୍କର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ବଲିଉଡ଼୍‌ ଅଭିନେତ୍ରୀ ଦିୟା ମିର୍ଜା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରି ଜିଲ୍ଲାରେ ରହିଥିବା ଟସର ସିଲ୍କ ହସ୍ତଶିଳ୍ପ, ପ୍ରସ୍ତର ଶିଳ୍ପ, କାଇଁଚ ଶିଳ୍ପ, ଟେରୋକୋଟା, ଝୋଟ ଓ ବାଉଁଶ ଶିଳ୍ପ ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ୟୁଏନ ହାବିଟାଟ, ୟୁଏନଡିପି ଓ ୟୁନେସ୍କୋ ସହଭାଗିତାରେ ଦୀର୍ଘସ୍ଥାୟୀ ବିକାଶମୂଳକ ଲକ୍ଷ୍ୟରେ ପହଞ୍ଚିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ଲୋବାଇଲ ଆଡଭାଇଜରି ବୋର୍ଡ, ଯାଜପୁର ଗଠନ କରାଯାଇ ବିଶ୍ୱର ୨୦ରୁ ଊଦ୍ଧ୍ୱର୍ ସହର ସହିତ ଯୋଗାଯୋଗ କରାଯିବା ସହିତ ଜିଲ୍ଲାର କାରିଗରଙ୍କୁ ସେମାନଙ୍କ ସହିତ ଯୋଗାଯୋଗ କରାଯାଇ ବିଶ୍ୱ ସ୍ତରର କାରିଗରଙ୍କ ସହିତ ଭାବର ଆଦାନ ପ୍ରଦାନ କରାଯାଉଛି ବୋଲି କହିଥିଲେ । ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଅଶୋକ ବେହୁରିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.