ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୁଗ୍ଧ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କୋଭିଡ ସହାୟତା, ୧ ଲକ୍ଷ ଦୁଗ୍ଧ ଚାଷୀ ପାଇଲେ ୧୧ କୋଟି ଟଙ୍କାର ସହାୟତା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଦୁଗ୍ଧ ଚାଷୀ ମାନଙ୍କୁ ସ୍ୱତନ୍ତ୍ର କୋଭିଡ୍ ସହାୟତା ପ୍ରଦାନ କରିଛନ୍ତି । ଏହାଦ୍ୱାରା ଏକ ଲକ୍ଷ ଦୁଗ୍ଧ ଚାଷୀ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ପାଇଛନ୍ତି । ସମୁଦାୟ ୧୧ କୋଟି ଟଙ୍କାର ସହାୟତା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ଓମଫେଡ୍ ଜରିଆରେ ରାଜ୍ୟର ୩୭୦୦ ଦୁଗ୍ଧ ଉତ୍ପାଦନ ସମବାୟ ସମିତି ଏବଂ ୨.୬୩ ଲକ୍ଷ ଦୁଗ୍ଧ ଚାଷୀ ଏହା ଜରିଆରେ ଦୁଗ୍ଧ ଉତ୍ପାଦନ କରୁଛନ୍ତି । ଏଥିରେ ୧୨୯୨ଟି ମହିଳା ସମବାୟ ସମିତି ରହିଛି ଏବଂ ୧ ଲକ୍ଷ ୫ ହଜାର ମହିଳା ଚାଷୀ ମଧ୍ୟ ଦୁଗ୍ଧ ଉତ୍ପାଦନରେ ଯୋଗଦାନ ରଖିଛନ୍ତି ।

ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଥମେ ଅଲମ୍ପିକରେ ଭାରତର ସଫଳତା ପାଇଁ ଭାରତୀୟ ଟିମକୁ ଅଭିନନ୍ଦନ ଜଣାଇ କହିଛନ୍ତି, ଭାରତୀୟ ହକି ଦଳର ଅନନ୍ୟ ସଫଳତା ପାଇଁ ଆମେ ସମସ୍ତେ ଗର୍ବିତ ।

ରାଜ୍ୟ ସରକାର ସବୁବେଳେ ଗରିବ ଲୋକଙ୍କ ସାଥିରେ ଅଛନ୍ତି ଓ ସେମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ କାମ କରୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଗରିବ ଲୋକଙ୍କ ଉପରେ କୋଭିଡ୍ ମହାମାରୀର ପ୍ରଭାବ କମ୍ କରିବା ପାଇଁ ରାଜ୍ୟ ସରକାର ଛୋଟ ଦୋକାନୀ, ଛୋଟ ଚାଷୀ, ମିଶନ ଶକ୍ତିର ମାଆ ସମସ୍ତଙ୍କ ଆକାଉଣ୍ଟରେ ୨୦୦୦ କୋଟିରୁ ଅଧିକ ଟଙ୍କା ଜମା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଛୋଟ ଚାଷୀଙ୍କ ରୋଜଗାରରେ ଗୋପାଳନର ଅବଦାନ ବିଷୟ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ସେମାନଙ୍କ ରୋଜଗାର ବଢ଼ାଇବା ସହିତ ଗ୍ରାମ ଅର୍ଥନୀତିକୁ ମଧ୍ୟ ଚଳଚଞ୍ଚଳ କରେ । ମାଆମାନଙ୍କ ରୋଜଗାର ବଢ଼ାଇବା ସହିତ ସାଧାରଣ ଲୋକଙ୍କ ବିଶେଷ କରି ପିଲାମାନଙ୍କ ପୁଷ୍ଟି ସାଧନରେ ଦୁଗ୍ଧର ବହୁତ ବଡ ଭୂମିକା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେଣୁ ଦୁଗ୍ଧ ଉତ୍ପାଦନରେ ଅଭିବୃଦ୍ଧି ଆଣି ରାଜ୍ୟର ପୁଷ୍ଟି ସ୍ତରକୁ ଆହୁରି ଉନ୍ନତି ଆଣିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ପରିଶେଷରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୁଗ୍ଧ ଚାଷୀଙ୍କ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରି ରିହାତି ଯୋଗାଇ ଦେଉଛନ୍ତି । ଚାଷୀମାନେ ଏହି ଯୋଜନାର ଉପଯୋଗ କରି ରାଜ୍ୟର ଦୁଗ୍ଧ ଉତ୍ପାଦନ ଲକ୍ଷ୍ୟ ପୂରଣରେ ସହଯୋଗ କରିବା ପାଇଁ ସେ ଅନୁରୋଧ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଅରୁଣ ସାହୁ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । 5T ଓ ମୋ ସରକାର ରାଜ୍ୟ ପ୍ରଶାସନର ମୂଳମନ୍ତ୍ର ବୋଲି ପ୍ରକାଶ କରି ସେ କହିଛନ୍ତି, ଏହାର ପ୍ରୟୋଗ ଦ୍ୱାରା ରାଜ୍ୟ ପ୍ରାଣୀ ସମ୍ପଦ କ୍ଷେତ୍ରରେ ପରିବର୍ତ୍ତନର ଧାରା ଆସିପାରିଛି । ହକିରେ ଭାରତର ବିଜୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ମଧ୍ୟ କୃତଜ୍ଞତା ପ୍ରକାଶ କରି ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଅବଦାନ ଯୋଗୁ ଆଜି ଓଡିଶା ବିଭିନ୍ନ କ୍ଷେତ୍ରରେ ଗୌରବାନ୍ୱିତ ହୋଇପାରିଛି ।

ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଓ ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ପ୍ରମୁଖ ସେମାନଙ୍କର ବକ୍ତବ୍ୟରେ ଚାଷୀ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରିଥିଲେ ।

କାର୍ଯ୍ୟକ୍ରମରେ ବରଗଡ଼, ନବରଙ୍ଗପୁର ଓ କଟକର ୩ ଜଣ ଚାଷୀ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇ ସ୍ୱତନ୍ତ୍ର ସହାୟତା ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ । ବରଗଡ଼ରୁ ସତ୍ୟବତୀ ସାହୁ, ନବରଙ୍ଗପୁରରୁ ଖୋକନ ବିଶ୍ୱାସ ଓ କଟକରୁ ବିଜୟଲକ୍ଷ୍ମୀ ସ୍ୱାଇଁ ଆଲୋଚନାରେ ଭାଗ ନେଇ କହିଛନ୍ତି ଯେ, ରାଜ୍ୟ ସରକାର ସେମାନଙ୍କ ଦୁଗ୍ଧ ଚାଷ ପାଇଁ ଅନେକ ପ୍ରକାଶ ସହାୟତା ଦେଉଛନ୍ତି । ଗୋଖାଦ୍ୟ, ଔଷଧ, କ୍ୟାଲସିଅମ, ମିନେରେଲ ମିକ୍ସଚର ଆଦି ଅନେକ ସହାୟତା ମିଳୁଛି । ଦୁଗ୍ଧ ଚାଷ ଦ୍ୱାରା ସେମାନଙ୍କ ଆର୍ଥିକ ଉନ୍ନତି ହେବା ସହିତ ସେମାନେ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ଦେଇ ପାରିଛନ୍ତି ଏବଂ ଘର ଖଣ୍ଡେ ଖଣ୍ଡେ କରିପାରିଛନ୍ତି ବୋଲି କହିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ସଚିବ କେ. ରଘୁ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଶାସନ ସଚିବସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିଶନର ଆର୍‌.କେ. ଶର୍ମା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.