ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲକ୍‌ଡାଉନ୍‌ ଯୁଗକୁ ଫେରି ହେବ ନାହିଁ- ମୁଖ୍ଯମନ୍ତ୍ରୀ

ଭୁବନେଶ୍ୱର: ସାରା ଦେଶରେ ଏବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଦେଶରେ କରୋନା ଲେଉଟାଣୀକୁ ଗୁରୁତର ସହ ନେଇଛନ୍ତି କେନ୍ଦ୍ର ସରକାର। ଏଥିନେଇ ଆଜି ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ବୈଠକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସିଧା ସଳଖ କହିଛନ୍ତି ଯେ, ସଂକ୍ରମଣ ରୋକିବାକୁ ଆମକୁ ପଦକ୍ଷେପ ନେବାକୁ ପଡ଼ିବ । କିନ୍ତୁ ଲକ୍‌ଡାଉନ୍‌ ଯୁଗକୁ ଫେରି ହେବ ନାହିଁ ।

ଗତ ଏକ ବର୍ଷ ଧରି ବିଶ୍ୱ କୋଭିଡ୍ ମହାମାରୀ କାରଣରୁ ଏଭଳି ସଂକଟ ଦେଖୁଛି ଯାହାର କୌଣସି ଉଦାହରଣ ନାହିଁ । ବିଶ୍ୱର ପ୍ରତିକୋଣରେ ଏହି ଭୂତାଣୁ ପ୍ରବେଶ କରିଥିବା କାରଣରୁ ଏହା ସମସ୍ତଙ୍କ ପାଇଁ ଏକ କଷ୍ଟକର ବର୍ଷ ହୋଇଛି । ପରିବାର ଓ ସମାଜ କେବଳ ସ୍ୱାସ୍ଥ୍ୟ ସଂକଟର ସମ୍ମୁଖୀନ ହୋଇ ନାହାନ୍ତି, ଅର୍ଥନୀତି ଓ ଜୀବିକା ଉପରେ ମଧ୍ୟ ଗମ୍ଭୀର ପ୍ରଭାବ ପଡ଼ିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କୋଭିଡ୍ ସ୍ଥିତିର ସମୀକ୍ଷା ବେଳେ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ଆମେ ପ୍ରତିବର୍ଷ ବାତ୍ୟା ଭଳି ବିପର୍ଯ୍ଯୟ ଦ୍ୱାରା ପ୍ରଭାବିତ ହୋଇଥାଉ । ଆମ ପ୍ରଶାସନିକ କଳ ଏଭଳି ସଂକଟର ମୁକାବିଲା କରିବା ପାଇଁ ସବୁବେଳେ ପ୍ରସ୍ତୁତ ଥାଏ । ଓଡ଼ିଶା ବାସୀଙ୍କ ସହଯୋଗ କାରଣରୁ ଆମେ ମହାମାରୀକୁ ନିୟନ୍ତ୍ରିତ କରିବା ଓ କ୍ଷତିକୁ ବହୁତ ସୀମିତ କରିବାରେ ସଫଳ ହୋଇଛୁ । ସଂକଟ କାଳରେ ଆମ ସ୍ୱାସ୍ଥ୍ୟକର୍ମୀ ଓ ପ୍ରଶାସନିକ ବ୍ୟବସ୍ଥା ଅହରହ କାର୍ଯ୍ଯ କରୁଥିଲେ । ଭ୍ୟାକ୍ସିନ୍ ଆସିବା ଦ୍ୱାରା ମହାମାରୀ ଅନ୍ତ ପାଖେଇ ଆସୁଛି ବୋଲି ଆଶା ସୃଷ୍ଟି ହୋଇଛି । ଏତେ ଶୀଘ୍ର ଭ୍ୟାକ୍ସିନ ବିକାଶ କରିବା ପାଇଁ ଆମେ ବୈଜ୍ଞାନିକଙ୍କ ପାଖରେ କୃତଜ୍ଞ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ଆମ ପାଇଁ ଗର୍ବର ବିଷୟ ଯେ, ଭାରତ ଟିକା ତିଆରି କରିବାରେ ସର୍ବାଗ୍ରେ ରହିଛି ।

ଟିକାକରଣକୁ ଅଧିକ ଜୋରଦାର କରିବା ଲାଗି ଘରୋଇ କ୍ଷେତ୍ରକୁ ଏଥିରେ ସାମିଲ କରିବାର ଆବଶ୍ୟକତା ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଅନେକ ଦେଶ ତଥା ଭାରତର କିଛି ରାଜ୍ୟରେ କରୋନା ପୁଣି ଥରେ ମୁଣ୍ଡ ଟେକୁଥିବାରୁ ଆମକୁ ସତର୍କ ରହିବାକୁ ପଡ଼ିବ । ଲକଡାଉନ ଯୁଗକୁ ଆମେ ପୁଣିଥରେ ଫେରିବା ସମ୍ଭବ ନୁହେଁ । ଏହା ସହିତ ଭୂତାଣୁ ସଂକ୍ରମଣକୁ ଯେପରି ରୋକାଯିବ, ସେନେଇ କଡ଼ା ପଦକ୍ଷେପ ନେବାକୁ ପଡ଼ିବ । ବିଶାଳ ଜନସଂଖ୍ୟା କାରଣରୁ ହାର୍ଡ ଇମ୍ୟୁନିଟି ପାଇଁ ଅଧିକ ସମୟ ଲାଗିବ। ତେଣୁ ଆମକୁ ଅଧିକ ସତର୍କ ରହିବାକୁ ପଡିବ। ଆମେ କୋଭିଡ୍ ବିରୋଧରେ କେନ୍ଦ୍ର ସରକାରଙ୍କୁ ସବୁ ପ୍ରକାର ସହଯୋଗ ଜାରି ରଖିବୁ ।

Leave A Reply

Your email address will not be published.