‘ଜୀବନବ୍ୟାପୀ ସାଧନା ସମ୍ମାନ’ ଏହା ସାଢେ ୪ କୋଟି ଓଡିଆଙ୍କ ସମ୍ମାନ- ନବୀନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଲାଇଫଟାଇମ୍ ଆଚିଭମେଣ୍ଟ ବା ‘ଜୀବନବ୍ୟାପୀ ସାଧନା ସମ୍ମାନ’ରେ ସମ୍ମାନିତ କରାଯାଇଛି । କ୍ୟାପିଟାଲ୍ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସେଣ୍ଟରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ଯକ୍ରମରେ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଏନ୍ ଭି ରମଣା ଏହି ସମ୍ମାନ ପ୍ରଦାନ କରିଛନ୍ତି ।

ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଥିଲେ। ବିଭିନ୍ନ କ୍ଷେତ୍ରରେ ଉନ୍ନତିମୂଳକ କାମ କରୁଥିବା ବ୍ୟକ୍ତିତ୍ବଙ୍କୁ ସମ୍ମାନିତ କରୁଥିବା କ୍ୟାପିଟାଲ ଫାଉଣ୍ଡେସନର ପଦକ୍ଷେପକୁ ଭୁରି ଭୁରି ପ୍ରଂଶସା କରିଛନ୍ତି ନବୀନ। ଏହି ଆୱାର୍ଡକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ ନବୀନ।  ମହାପ୍ରଭୁ ଜଗନ୍ନାଥ ଏବଂ ସାଢ଼େ ୪ କୋଟି ଓଡ଼ିଆଙ୍କ ଆର୍ଶୀବାଦ ତାଙ୍କ ଉପରେ ରହିଛି । ଏହା ତାଙ୍କୁ କାମ କରିବା ପାଇଁ ପ୍ରେରଣା ଦେଉଛି । ଦୀର୍ଘ ୨୨ ବର୍ଷ ଧରି ସେବା କରିବାକୁ ସୁଯୋଗ ଦେଇଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ କହିଥିଲେ, ମିଶନ ଶକ୍ତିରେ ମହିଳାଙ୍କ ସଶକ୍ତିକରଣକୁ ନେଇ ମୁଁ ଗର୍ବିତ। ରାଜ୍ୟକୁ ୪ ଥର କୃଷି କର୍ମଣ ପୁରସ୍କାର ମିଳିଛି । ଚାଷୀଙ୍କ ଆୟକୁ ଦୁଇଗୁଣ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ । ଶିଳ୍ପ ଓ ଆଲୁମିନିୟମ ନିର୍ମାଣରେ ଓଡ଼ିଶା ଆଗୁଆ । ଏଭଳି ଭାବେ ତାଙ୍କ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ଯକ୍ରମ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ ।

ଏହି ଗର୍ବ ଓ ଗୌରବର ଏହି ମୁହୂର୍ତ୍ତକୁ ସ୍ମରଣୀୟ କରିଛି ବିଜୁ ଜନତା ଦଳ। ନବୀନ ପଟ୍ଟନାୟକ ଜିନ୍ଦାବାଦ ଧ୍ବନିରେ ଓଡ଼ିଶା ଭବନ ପ୍ରକମ୍ପିତ ହୋଇ ଉଠିଥିଲା। ନୂଆଦିଲ୍ଲୀରେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତତ୍ୱାବଧାନରେ ପ୍ରବାସୀ ଓଡ଼ିଆ ଓ ବିଜେଡି ନେତା ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଛନ୍ତି। ଏହା ସାଢେ ୪ କୋଟି ଓଡିଆଙ୍କ ସମ୍ମାନ ବୋଲି ନବୀନ କହିଥିଲେ।

କ୍ୟାପିଟାଲ୍ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ଦର୍ଶାଯାଇଛି, ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ ରୂପାନ୍ତରଣ ଯାତ୍ରା ଆରମ୍ଭ ହୋଇଥିଲା ଓ ଦୁଇ ଦଶନ୍ଧିରେ ରାଜ୍ୟରେ ଦ୍ରୁତ ବିକାଶ ସମ୍ଭବ ହୋଇପାରିଛି । ନିଜର ସରଳତା, ଦରଦୀ ହୃଦୟ ଓ ନିର୍ମଳ ଭାବମୂର୍ତ୍ତି ପାଇଁ ସେ ଓଡ଼ିଶାବାସୀଙ୍କ ହୃଦୟ ଜିତିପାରିଛନ୍ତି । ନବୀନ ପଟ୍ଟନାୟକ ଭାରତ ରତ୍ନ ପାଇବାକୁ ଯୋଗ୍ୟତମ ବୋଲି ଆଜିର ସମାରୋହରେ ମତପ୍ରକାଶ ପାଇଥିଲା ।

ସୂଚନାଥାଉକି, ୧୯୮୭ ମସିହାରେ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ବିଚାରପତି, କୂଟନୀତିଜ୍ଞ, ସାମ୍ବାଦିକ ଓ ଶିକ୍ଷାବିତମାନଙ୍କ ମିଳିତ ଉଦ୍ୟମରେ ‘କ୍ୟାପିଟାଲ୍ ଫାଉଣ୍ଡେସନ୍ ସୋସାଇଟି’ ଗଠନ କରାଯାଇଥିଲା । ପୂର୍ବରୁ ସୋସାଇଟି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଆଇ.କେ.ଗୁଜୁରାଲ୍, ବରିଷ୍ଠ ଆଇନଜୀବୀ ରାମ ଜେଠମାଲିନୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁରଲୀ ମନୋହର ଯୋଶୀ, ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ଭଳି ବ୍ୟକ୍ତିତ୍ୱଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଛି। ଆଜି ଏହି ସମ୍ମାନ ତାଲିକାରେ ନୀବନଙ୍କ ନାଁ ଯୋଡି ହୋଇଛି ।

 

Leave a comment