ପଦ୍ମପୁରରେ ବିଜେଡିର ବଡ଼ ବିଜୟ ପରେ ବର୍ଷାଙ୍କୁ ଫୋନ କରି ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପଦ୍ମପୁରରେ ବିଜେଡିର ବଡ ବିଜୟ ହୋଇଛି। ଐତିହାସିକ ବିଜୟ ପରେ ସବୁଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି । ରାଜ୍ୟ ବିଜେଡି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବର୍ଷାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟେଲିଫୋନ କରି ବର୍ଷାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସବୁ କଳ୍ପନା ଜଳ୍ପନାର ଅନ୍ତଘଟାଇ ବୃହତ ବ୍ୟବଧାନରେ ବିଜେଡି ବିଜୟ ହୋଇଛି। ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୪୨,୬୭୯ ଖଣ୍ଡ ଭୋଟ୍ ବ୍ୟବଧାନରେ ହରାଇଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ସମସ୍ତ ରାଉଣ୍ଡ ଗଣତି ପରେ ବିଜେଡିକୁ ୧ ଲକ୍ଷ ୨୦ ହଜାର ୮୦୭ ଭୋଟ୍ ମିଳିଥିବାବେଳେ, ବିଜେପିକୁ ୭୮ ହଜାର ୧୨୮ ଭୋଟ୍ ମିଳିଛି । ଅନ୍ୟପଟେ କଂଗ୍ରେସ ହାତକୁ ମାତ୍ର ୩୫୯୪ ଭୋଟ୍ ରହିଛି । ନୋଟାକୁ ୨୦୮୭ ଖଣ୍ଡ ଭୋଟ ଯାଇଛି।
ଗଣତି ଆରମ୍ଭରୁ ହିଁ ବର୍ଷା ବିଜେପି ପ୍ରାର୍ଥୀଙ୍କ ଉପରେ ଭାରି ପଡ଼ିଥିଲେ । ପ୍ରତି ରାଉଣ୍ଡରେ ବିଜେଡ଼ି ସଂଖ୍ୟାଧିକ ଭୋଟ୍ ସହିତ ବିଜେପି ଠାରୁ ଆଗରେ ରହିଥିଲା । କୌଣସି ଗୋଟିଏ ରାଉଣ୍ଡରେ ମଧ୍ୟ ବିଜେପି ଭୋଟରେ ବିଜେଡ଼ିକୁ ପଛରେ ପକାଇ ପାରିନଥିଲା । ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀଙ୍କ ସ୍ଥିତି ଦୟନୀୟ ଥିଲା ।