ପାଇଜାମା ଛାଡି ଟ୍ରାକ ପ୍ୟାଣ୍ଟ ଓ ଟି ସାର୍ଟ ପିନ୍ଧି ସ୍ପୋର୍ଟସ୍ ଗେଟ୍ଅପରେ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ନୂଆ ଲୁକ୍‌ ସହ ନୂଆ ଅନ୍ଦାଜରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ବିରୋଧୀ ଅପପ୍ରଚାର କରୁଥିବା ବେଳେ ନବୀନ କିନ୍ତୁ ତାଙ୍କ ବିରୋଧୀଙ୍କୁ ଜବରଦସ୍ତ ଝଟକା ଦେଇଚାଲିଛନ୍ତି। ପୂର୍ବରୁ ବିଭିନ୍ନ ସମୟରେ ନିଜସ୍ବ ଢଙ୍ଗରେ ବିରୋଧୀଙ୍କୁ ଚକମା ଦେଉଥିବା ନବୀନ ଆଜି ଆଉ ଏକ ମାଷ୍ଟର ଷ୍ଟ୍ରୋକ ମାରି ବିରୋଧୀଙ୍କ ଚିତପଟାଙ୍ଗ କରିଦେଇଛନ୍ତି।

ଆଜି ନବୀନ ହଠାତ୍ ଟ୍ରାକ ପ୍ୟାଣ୍ଟକୁ ଧଳା ରଙ୍ଗର ଟି-ସାର୍ଟ ପିନ୍ଧି ସ୍ପୋର୍ଟସ ଗେଟ୍ଅପରେ କଳିଙ୍ଗ ଷ୍ଟାଡିୟମରେ ପୁରା ଖେଳୁଆଡ ଅନ୍ଦାଜରେ ପହଞ୍ଚି ଓଡ଼ିଶା ମହିଳା ଫୁଟବଲ ଲିଗ୍ ଟୁର୍ଣ୍ଣାମେଣ୍ଟ ଉପଭୋଗ କରିଛନ୍ତି। ଖେଳାଳିଙ୍କ ଭଳି ଜର୍ସି ଏବଂ ଟ୍ରାକ୍ ପ୍ୟାଣ୍ଟ ପରିଧାନ କରି ନବୀନ ପୁରା ବିନ୍ଦାସ୍ ଅନ୍ଦାଜରେ ଆସି ଷ୍ଟାଡିୟମ ଭିତରେ ବସିଥିଲେ। ଆଉ ଖେଳାଳିଙ୍କୁ କରତାଳି ଦେଇ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା। ତାଙ୍କର ଏହି ସ୍ପୋଟିଭ୍ ଲୁକ୍ ସାଙ୍ଗକୁ କ୍ରୀଡାପ୍ରେମ ସମସ୍ତ ଖେଳାଳୀଙ୍କୁ ଜବରଦସ୍ତ ଉତ୍ସାହିତ କରିଥିଲା। ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଥିଲେ । ନବୀନଙ୍କ ଏଭଳି ଗସ୍ତ ଖେଳାଳିଙ୍କୁ ଉତ୍ସାହିତ କରିଛି ।

ତେବେ ଷ୍ଟାଡିୟମରେ ନବୀନ କେବେଳ ଖେଳ ଦେଖିନଥିଲେକଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିବା ସହ ଟେନିସ କୋର୍ଟ ଓ ଇଣ୍ଡୋର ଷ୍ଟାଡିୟମ ବୁଲି ଦେଖିଥିଲେ।ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ  କଳିଙ୍ଗ ଷ୍ଟାଡିୟମ କମ୍ପଲେକ୍‌ସରେ  ୩୦୦ କୋଟି ଟଙ୍କାର ବିଭିନ୍ନ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ ବିଶେଷତଃ ନିର୍ମଣାଧୀନ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିୟମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି । ଏହି ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିୟମ ହେଉଛି ଦେଶର ସର୍ବ ପ୍ରଥମ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିୟମ । ମୁଖ୍ୟମନ୍ତ୍ରୀ ଏହାର ଅଗ୍ରଗତିରେ ସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ‌ଆଥଲେଟ ମାନଙ୍କ ପାଇଁ ଏହି ଇନ୍‌ଡୋର ସୁବିଧା ଦେଶରେ ଆଥଲେଟିକ୍‌ ଖେଳର ବିକାଶକୁ ଜୋରଦାର କରିବ ଏବଂ ଏହି ଷ୍ଟାଡିୟମ ଆଗାମୀ ଦିନରେ ଆଥଲେଟିକ ଚମ୍ପିଆନ ସୃଷ୍ଟି କରିବାରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବ ।

ଏହି ଇନ୍‌ଡୋର  ଷ୍ଟାଡିୟମଟି ୧୨୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ କରାଯାଉଛି ଏବଂ ଚଳିତ ୨୦୨୨ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ଜଣାଯାଇଛି । ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଆଥଲେଟିକ କ୍ରୀଡା ଅନୁଷ୍ଠିତ ହେବ ଏବଂ ଖେଳାଳୀମାନେ ସାରା ବର୍ଷ ତମାମ ଖେଳ ଅଭ୍ୟାସ ଜାରି ରଖିପାରିବେ । ଶହେ ଜଣ ଖେଳାଳୀଙ୍କୁ କୋଚିଂ ଦେବା ପାଇଁ ଏଥିରେ ଆବାସିକ ସୁବିଧା ମଧ୍ୟ ରହିଛି। ଏହାପରେ ମୁଖ୍ୟମନ୍ତ୍ରୀ ନିର୍ମଣାଧୀନ ଟେନିସ ସେଣ୍ଟର ପ୍ରକଳ୍ପ ମଧ୍ୟ ପ୍ରଦର୍ଶନ କରିଥିଲେ। ଏହି ଟେନିସ୍‌ ସେଣ୍ଟର ଆଇଟିଏଫ ଟୁର୍ଣ୍ଣାମେଣ୍ଟ ଓ ଡେଭିସ କପ ଭଳି ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡା ଅନୁଷ୍ଠିତ ହେବାର ସୁବିଧା ଉପଲବ୍ଧ ହେବ ।

କଳିଙ୍ଗ ଷ୍ଟାଡ଼ିୟମରେ ନବୀକରଣ କାର୍ଯ୍ୟର ସମୀକ୍ଷା କରିବା ସହ ମୁଖ୍ୟମନ୍ତ୍ରୀ ଭାରତୀୟ ଜାତୀୟ ହକୀ ଦଳର ଉଭୟ ପୁରୁଷ ଓ ମହିଳା ଖେଳାଳୀ ମାନଙ୍କୁ ଭେଟି ସେମାନଙ୍କର ରହଣୀ ଓ ଖେଳ ଅଭ୍ୟାସ ସଂପର୍କରେ ପଚାରି ବୁଝିଥିଲେ। ହକୀ କ୍ରୀଡାକୁ ମୁଖ୍ୟମନ୍ତ୍ରୀ ଯେଉଁ ସହଯୋଗ ଯୋଗାଇ ଦେଇଛନ୍ତି, ସେଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆଗାମୀ ପ୍ରୋ-ଲିଗ୍‌ ମ୍ୟାଚ ପାଇଁ ଶୁଭେଚ୍ଛା ଜଣାଇଥିଲେ ଏବଂ ଆଗାମୀ ଏସିଆନ ଓ କମନୱେଲ୍‌ଥ ଗେମ୍‌ସରେ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଆଣିବା ପାଇଁ ଲକ୍ଷ୍ୟ ରଖିବାକୁ ପରାମର୍ଶ ଦେଇଥିଲେ।

Leave a comment