ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୩ ବର୍ଷର ରିପୋର୍ଟ ମାଗିଲେ ରାଜ୍ୟ ସରକାର; ଉତ୍ତରଦାୟୀ ପ୍ରଶାସନ, ପ୍ରତିଶ୍ରୁତି ପାଳନ ଲକ୍ଷ୍ୟ

ଭୁବନେଶ୍ୱର: କେବଳ ପ୍ରତିଶ୍ରୁତି ପ୍ରଦାନ ନୁହେଁ; ବରଂ ଏହାକୁ ପୂରଣ ଦିଗରେ ଏକନିଷ୍ଠ ଉଦ୍ୟମ ଗୋଟିଏ ସରକାରକୁ ଲୋକପ୍ରିୟ କରିଥାଏ। ଏହି ନୀତିକୁ ପାଥେୟ କରି ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ସବୁବେଳେ ନିଜର ପ୍ରତିଶ୍ରୁତି ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟଣ ଉପରେ ଗୁରୁତ୍ୱ ଦେଇ ଆସିଛି। ଏହିକ୍ରମରେ ରାଜ୍ୟ ସରକାର ନିଜ ପଞ୍ଚମ ପାଳିର ଶାସନ ପ୍ରାରମ୍ଭରେ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି କେତେମାତ୍ରାରେ ପୂରଣ କରିପାରିଛନ୍ତି, ତାହାର ତର୍ଜମା କରିବା ପାଇଁ ବିଭିନ୍ନ ବିଭାଗକୁ ରିପୋର୍ଟ ମାଗିଛନ୍ତି। ପୂର୍ବରୁ ବିଭିନ୍ନ ସମୟରେ ମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ମାଗିବାଠାରୁ ଆରମ୍ଭ କରି ‘୫-ଟି’ ଅଧୀନରେ ବିଭାଗର କ୍ରିୟାଶୀଳତା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି। ଲୋକଙ୍କ ନିକଟରେ ଏକ ଉତ୍ତରଦାୟୀ ପ୍ରଶାସନର ଭୂମିକା ନିଭାଇବା ପାଇଁ ରାଜ୍ୟ ସରକାର ନିଜେ ଦେଇଥିବା ପ୍ରତିଶ୍ରୁତି କେତେମାତ୍ରାରେ ପୂରଣ ହୋଇଛି ତାହାର ସମୀକ୍ଷା ଏବଂ ବଳକା କାର୍ଯ୍ୟକ୍ରମ ଶୀଘ୍ର ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଏହି ରିପୋର୍ଟ ମଗାଯାଇଛି।

୨୦୧୯ ସାଧାରଣ ନିର୍ବାଚନରେ ଶାସକ ବିଜେଡି ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି(ଇସ୍ତାହାର)କୁ କାର୍ଯ୍ୟକାରୀ କରିବା ଦିଗରେ ବିଭିନ୍ନ ବିଭାଗ କ’ଣ ସବୁ ପଦକ୍ଷେପ ନେଇଛନ୍ତି, ତା’ର ହିସାବ ଦେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କୁ ଦିଆଯାଇଥିବା ନିର୍ବାଚନ ପ୍ରତିଶ୍ରୁତି ସହିତ ବିଭିନ୍ନ ଲୋକାଭିମୁଖୀ ଯୋଜନାର କାର୍ଯ୍ୟାନ୍ୱୟନ ନେଇ ୨୦୨୨ ମାର୍ଚ୍ଚ ମାସ ସୁଦ୍ଧା କ’ଣ ସବୁ ପଦକ୍ଷେପ ନିଆଯାଇଛି, ସେନେଇ ବିସ୍ତୃତ ରିପୋର୍ଟ ଦେବାକୁ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ୧୯ଟି ପ୍ରମୁଖ ବିଭାଗକୁ ଚିଠି ଲେଖାଯାଇଛି। ଚଳିତ ମଇ ମାସ ୭ ତାରିଖ ସୁଦ୍ଧା ଏ ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର କ୍ରମାଗତ ପଞ୍ଚମଥର ପାଇଁ ଶାସନର ଶପଥ ନେବା ଦିନ ହିଁ ରାଜ୍ୟ ମନ୍ତ୍ରିପରିଷଦର ବୈଠକ ଡାକି ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କ ଦଳ ଦେଇଥିବା ନିର୍ବାଚନୀ ଇସ୍ତାହାର ଉପରେ ସରକାରୀ ମୋହର ମାରିଥିଲେ। ଆସନ୍ତା ୨୯ତାରିଖ ନବୀନ ସରକାରଙ୍କ ପଞ୍ଚମ ପାଳିର ତୃତୀୟ ବର୍ଷ ପୂର୍ତ୍ତି ହେଉଥିବାରୁ ୨୦୧୯ ମଇରୁ ୨୦୨୨ ମାର୍ଚ୍ଚ ମଧ୍ୟରେ ନିର୍ବାଚନୀ ଇସ୍ତାହାରକୁ କାର୍ଯ୍ୟକାରୀ କରିବା ଦିଗରେ ବିଭାଗଗୁଡ଼ିକ କି ପଦକ୍ଷେପ ନେଇଛନ୍ତି, ବର୍ତ୍ତମାନର ସ୍ଥିତି କ’ଣ ରହିଛି, ତାହା ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ୨୦୨୧ ମଇ ୨୯ତାରିଖ ମନ୍ତ୍ରିପରିଷଦ ବୈଠକରେ ବିପର୍ଯ୍ୟୟ ପରିଚାଳନାର ପ୍ରସ୍ତୁତି ସଂକ୍ରାନ୍ତ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଦିଗରେ ସମ୍ପୃକ୍ତ ବିଭାଗ କ’ଣ ପଦକ୍ଷେପ ନେଇଛି ତାହା ମଧ୍ୟ ଜଣାଇବାକୁ କୁହାଯାଇଛି। ବିଭାଗଗୁଡ଼ିକ ନିଜ ନିଜର ରିପୋର୍ଟ ପ୍ରଦାନ ପରେ ଏହାକୁ ସମୀକ୍ଷା କରାଯିବ। ଯେଉଁ ବିଭାଗଗୁଡ଼ିକ ସରକାରଙ୍କ ପ୍ରତିଶ୍ରୁତି ପୂରଣ ଦିଗରେ କିଛିଟା ପଛେଇଛନ୍ତି, ସେଗୁଡ଼ିକ ଉପରେ ଅଧିକ ଧ୍ୟାନ ଦିଆଯିବ। ସାଧାରଣ ନିର୍ବାଚନକୁ ଆଉ ୨ ବର୍ଷ ବାକି ରହିଥିବା ବେଳେ ଜନସାଧାରଣଙ୍କୁ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ଯେପରି ପାଳନ କରାଯାଇପାରିବ ସେ ନେଇ ଏହି ରିପୋର୍ଟ ଆଧାରରରେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

Leave A Reply

Your email address will not be published.