ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବାକୁ ଯାଉଥିବା ବିଶିଷ୍ଟ ସାହିତ୍ୟିକ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବିଶିଷ୍ଟ ସାହିତ୍ୟିକ ତଥା ପଦ୍ମଶ୍ରୀ ସମ୍ନାନରେ ସମ୍ମାନିତ ହେବାକୁ ଯାଉଥିବା ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ଅନ୍ତର୍ଯ୍ୟାମୀ ମିଶ୍ର। ପଦ୍ମଶ୍ରୀ ସମ୍ନାନରେ ସମ୍ମାନିତ ହୋଇ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଢେଙ୍କାନାଳର ଅନ୍ତର୍ଯ୍ୟାମୀ ମିଶ୍ର । ମୁଖ୍ୟମନ୍ତ୍ରୀ ଭେଟିବା ପରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଯେ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ଭେଟି ମୁଁ ବହୁତ ଖୁସି। ଓଡ଼ିଆ ଭାଷା, ସାହିତ୍ୟର ପ୍ରସାରରେ ତାଙ୍କ ଅବଦାନ ସମସ୍ତଙ୍କୁ ନିଶ୍ଚୟ ପ୍ରେରଣା ଯୋଗାଇବ଼ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଡ. ମିଶ୍ର ୧୯୫୦ ମସିହା ଜୁଲାଇ ୧ ତାରିଖରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ମାର୍ଥାପୁର ଶାସନରେ ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ସତ୍ୟବାଦୀ ମିଶ୍ର ଓ ଦୁର୍ଗାବତୀ ମିଶ୍ରଙ୍କ ସୁପୁତ୍ର ଭାବେ ଜନ୍ମଗ୍ରହଣ କରିଥିଲେ। ପ୍ରାଥମିକ ଶିକ୍ଷା କାଳରୁ ସେ ଛୋଟ ଛୋଟ କବିତା ଓ ପରବର୍ତ୍ତୀ କାଳରେ କିଛି ଗଳ୍ପ ଲେଖିଥିଲେ। ତେବେ ୧୯୭୫ ମସିହାରୁ ପ୍ରବନ୍ଧ ରଚନାରେ ମନୋନିବେଶ ପୂର୍ବକ ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ଲେଖନୀ ଚାଳନା କରିଥିଲେ। ପଣ୍ଡିତ ମିଶ୍ର ଅଦ୍ୟାବଧି ୩୦ ଖଣ୍ଡ ପୁସ୍ତକ ରଚନା କରିଛନ୍ତି।

ସେଥିମଧ୍ୟରୁ ୯ଖଣ୍ଡ ପୁସ୍ତକ ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶିତ ହୋଇ ଗବେଷକ, ଅଧ୍ୟାପକ, ଛାତ୍ରଛାତ୍ରୀ ଓ ସାଧାରଣ ପାଠକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି। ସେ ଲେଖିଥିବା ପୁସ୍ତକ ମଧ୍ୟରୁ ‘ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା’, ‘ଓଡ଼ିଆ ଭାଷା ଜାତି ଓ ଜାତୀୟତା’, ‘ଓଡ଼ିଆ ଭାଷାର ଇତିହାସ’, ‘ମୌଳିକ ଓଡ଼ିଆ ଭାଷା ତତ୍ତ୍ୱ’, ‘ପ୍ରାଚୀନ ଓଡ଼ିଶା ଓ ମଧ୍ୟ ଯୁଗ ଓଡ଼ିଶା’, ‘ଆଧୁନିକ ଓଡ଼ିଶା’ ଓ ‘ମୋ ଦୃଷ୍ଟିରେ ଓଡ଼ିଶା’ ପ୍ରଭୃତି ପୁସ୍ତକ ଖୁବ୍‌ ଲୋକପ୍ରିୟ ହୋଇପାରିଛି। ତାଙ୍କ ରଚିତ ‘ପୁଣ୍ୟପୀଠ କପିଳାସ’ ପୁସ୍ତକ ଭାରତ ସରକାରଙ୍କ ଦ୍ୱାରା ପ୍ରକାଶିତ। ଗବେଷଣା ମାଧ୍ୟମରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷା ରୂପରେ ପ୍ରତିପାଦନ କରିଥିବାରୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପଣ୍ଡିତ ମିଶ୍ରଙ୍କୁ ସମ୍ମାନ ସୂଚକ ‘ଡିଲିଟ୍‍’ ଉପାଧି ପ୍ରଦାନ କରିଛନ୍ତି।

ଏତଦ୍‌ବ୍ୟତୀତ ପଣ୍ଡିତ ମିଶ୍ର ଓଡ଼ିଶାର ୩୦ଟି ଜିଲ୍ଲାର ସାଂସ୍କୃତିକ ଇତିହାସ ରଚନା ସହିତ ସଂପୃକ୍ତ ରହି ବହୁ ଗବେଷଣାତ୍ମକ ପ୍ରବନ୍ଧ ରଚନା କରିଛନ୍ତି। ସେହିପରି ୧୦ଟି ଜିଲ୍ଲାର ଇତିହାସ ରଂଚନାରେ ସକ୍ରିୟ ଅଂଶଗ୍ରହଣ କରିଛନ୍ତି।ଜଣେ ଉଚ୍ଚକୋଟୀର ସାହିତ୍ୟିକ, ସ୍ତମ୍ଭକାର, ଗବେଷକ,ଭାଷାତତ୍ତ୍ବବିତ୍, ବାଗ୍ମୀ, ଆଧ୍ୟାତ୍ମିକ ପ୍ରବକ୍ତା, ଜ୍ୟୋତିର୍ବିଦ୍ ଭାବେ ଓଡ଼ିଶା ଓ ଓଡ଼ିଶା ବାହାରେ ସୁପରିଚିତ ଢେଙ୍କାନାଳ ଜିଲ୍ଲା ନିବାସୀ ପଣ୍ଡିତ ଡକ୍ଟର ଅନ୍ତର୍ୟ୍ୟାମୀ ମିଶ୍ର। ଶାସ୍ତ୍ରୀୟ ଓଡ଼ିଆ ଭାଷା ପାଇଁ ସେ ରାଷ୍ଟ୍ରପତି ପୁରସ୍କାର ମଧ୍ୟ ପାଇଛନ୍ତି। ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଡ. ମିଶ୍ରଙ୍କ ବିଶେଷ ଅବଦାନ ପାଇଁ ତାଙ୍କୁ ଚଳିତବର୍ଷ ପଦ୍ମଶ୍ରୀ ସମ୍ମାନ ମିଳୁଛି।

Leave A Reply

Your email address will not be published.