ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

BSKY କାର୍ଡ ସହ ଯୋଡ଼ି ହେଲା ଅନୁଗୁଳ , ୧୧୭୬ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାସୀଙ୍କୁ ଓଡିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଭେଟି ଦେଇଛନ୍ତି ‘ସ୍ୱାସ୍ଥ୍ୟ ସଞ୍ଜିବନୀ’ । ମୁଖ୍ୟମନ୍ତ୍ରୀ ଶନିବାର ଅନୁଗୁଳ ଷ୍ଟାଡିଅମ ଠାରେ ସକାଳ ୧୧ ଟା ବେଳକୁ ହେଲିକପ୍ଟରରେ ପହଁଚି ସ୍ୱତନ୍ତ୍ର ଗାଡିରେ ମଞ୍ଚ ନିକଟରେ ପହଁଚି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନୁଗୁଳ ଜିଲ୍ଲାର ୨ ଲକ୍ଷ ୭୨ ହାଜର ୮୫୦ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ । ହେଲିପ୍ୟାଡ଼ ପାଖରେ ଉପବାଚସ୍ପତି ରଜନୀକାନ୍ତ ସିଂ , ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ , ଡିଆଇଜି ସାର୍ଥକ ଷଡଙ୍ଗୀ , ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ , ଆରକ୍ଷୀ ଅଧିକ୍ଷକ ଜଗ ମୋହନ ମୀନା ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ମଞ୍ଚରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ୫ ଟି ସଚିବ ଭି କେ ପାଣ୍ଡିଆନ ମଞ୍ଚାସୀନ ହେବା ପରେ ଉପବାଚସ୍ପତି ରଜନୀକାନ୍ତ ସିଂ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ପରେ ମନ୍ତ୍ରୀ ଅଶୋକ ପଣ୍ଡା ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ଶେଷରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲାର ଲକ୍ଷାଧିକ ଲୋକ ଏହି ସୁବିଧା ପାଇପାରିବେ । ଗତ ଅଗଷ୍ଟ ମାସ ୨୦ ତାରିଖରେ ମାଲକାନଗିରିରୁ ଏହି ଯୋଜନାର ଶୁଭାରମ୍ଭ ହେବା ପରେ ସୁନ୍ଦରଗଡ଼ , ବଲାଙ୍ଗିର , ଗଜପତି , ପୁରୀ , ଦେବଗଡ଼ , ମୟୁରଭଞ୍ଜ , ସମ୍ବଲପୁର , କଳାହାଣ୍ଡି , ନୂଆପଡ଼ା , ବରଗଡ଼ , ଝାରସୁଗୁଡା ପରେ ଶନିବାର ଅନୁଗୁଳରେ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ । ରାଜ୍ୟର ଲକ୍ଷାଧିକ ଲୋକ ରାଜ୍ୟ ସରକାରଙ୍କ ଏହି ଜନକଲ୍ୟାଣକାରୀ ଯୋଜନା ସହ ଯୋଡ଼ି ହୋଇ ସାରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡିଶାର ବିକାଶରେ ଅନୁଗୁଳ ଜିଲ୍ଲାର ଅବଦାନକୁ ଭୁୟସୀ ପ୍ରଶଂସା କରିଥିଲେ ।

ସେ କହିଥିଲେ ଯେ ରାଜ୍ୟର ସଂସ୍କୃତି , ରାଜନୀତି , ଶିକ୍ଷା , ଇତିହାସ ଏବଂ ଅର୍ଥନୀତି ସବୁ କ୍ଷେତ୍ରରେ ଅନୁଗୁଳ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେ କହିଲେ ଯେ ସ୍ମାର୍ଟ ହେଲଥ କାର୍ଡ ଦ୍ୱାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ଏହାଦ୍ୱାରା ଆମର ଗରିବ ଲୋକମାନେ ସ୍ୱାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ ବିଶେଷ କରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ିଲେ ଚିକିତ୍ସା ପାଇଁ ଜମିବାଡ଼ି ବିକିବାକୁ ବାଧ୍ୟ ହୁଅନ୍ତି । ଏଥିପାଇଁ ଅନେକ ଗରିବ ଛାତ୍ରଛାତ୍ରୀଙ୍କ ପାଠପଢାରେ ଡୋରି ବନ୍ଧାଯାଇଥିବା ମଧ୍ୟ ନଜିର ରହିଛି । ଯାହା ମୁଖ୍ୟମନ୍ତ୍ରୀଙ୍କୁ ବିଶେଷ ଭାବେ କଷ୍ଟ ଦେଇଛି । ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ଼ ବଡ଼ ହସ୍ପିଟାଲରେ ଭଲ ଚିକିତ୍ସା ପାଇ ପାରିବେ ।

ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ କିମ୍ବା ଜମିବାଡ଼ି ସୁନା ଇତ୍ୟାଦି ବନ୍ଧା ପକେଇବାକୁ ପଡ଼ିବ ନାହିଁ । ଆହୁରି ମଧ୍ୟ କହିଥିଲେ କି ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ଚାଷୀ ହେଉ କିମ୍ବା ମୂଲିଆ କିମ୍ବା ରିକ୍ସା ବାଲା ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ ଅଟେ । ତାଙ୍କ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟି ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ଏହି ଅବସରରେ ସଡ଼କ ଦୁର୍ଘଟଣାରେ ବହୁ ଲୋକଙ୍କର ମୃତ୍ୟୁ ହେଉଥିବା ସମ୍ପର୍କରେ ଚିନ୍ତାପ୍ରକଟ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ କ୍ଷେତ୍ରରେ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଇ ପାରିଲେ ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇ ହେବ ।

ଆହତ ଲୋକଙ୍କୁ ତୁରନ୍ତ ଚିକିତ୍ସା ପାଇଁ ରାଜ୍ୟ ସରକାର ୧୪୭ କୋଟି ଟଙ୍କାର ଏକ ପାଣ୍ଠି ଗଠନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଦୁର୍ଘଟଣା କ୍ଷେତ୍ରରେ ପ୍ରଥମ ୪୮ ଘଣ୍ଟା ମଧ୍ୟରେ ଚିକିତ୍ସା ଯୋଗାଇ ଦେବା ଅତି ଜରୁରୀ । ଉପରୋକ୍ତ ପାଣ୍ଠି ଜରିଆରେ ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ମଧ୍ୟରେ ସମସ୍ତ ଚିକିତ୍ସା ଖର୍ଚ୍ଚ ଏହି ପାଣ୍ଠିରୁ ବହନ କରାଯିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶନିବାର ଅନୁଗୁଳରେ ୧୧୭୬ କୋଟି ୪୯ ଲକ୍ଷ ଟଙ୍କାର ପ୍ରାୟ ୪୪୩ ପ୍ରକଳ୍ପର ଉଦ୍‌ଘାଟନ ଓ ଶୁଭାରମ୍ଭ କରିଥିଲେ । ସେଥିମଧ୍ୟରୁ ମୁଖ୍ୟତଃ ପୂର୍ତ୍ତ ବିଭାଗ , ଗ୍ରାମ୍ୟ ଉନ୍ନୟନ , ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର ୬୫ ପ୍ରକଳ୍ପ ପାଇଁ ପ୍ରାୟ ୧୦୭ କୋଟି ୯୧ ଲକ୍ଷ ଟଙ୍କା , ଗ୍ରାମାଞ୍ଚଳ ବିକାଶ ପାଇଁ ୧୮୯ ଟି ପ୍ରକଳ୍ପ ପାଇଁ ୪୬ କୋଟି ୩୧ ଲକ୍ଷ ଟଙ୍କା , ସହରାଞ୍ଚଳ ବିକାଶ ଓ କ୍ରୀଡ଼ା ବିକାଶ ପାଇଁ ୫ ପ୍ରକଳ୍ପ ବାବଦକୁ ୧୭ କୋଟି ୩୪ ଲକ୍ଷ ଟଙ୍କା , ଶିକ୍ଷା ବିକାଶ ପାଇଁ ୮୫ ଟି ପ୍ରକଳ୍ପ ବାବଦକୁ ୫୭ କୋଟି ୫୫ ଲକ୍ଷ ଟଙ୍କା ଏବଂ ଜଳସେଚନ ବିକାଶ ପାଇଁ ୮୫ ଟି ପ୍ରକଳ୍ପ ବାବଦକୁ ୫୭ କୋଟି ୫୫ ଲକ୍ଷ ଟଙ୍କା ପ୍ରକଳ୍ପର ଲୋକାର୍ପଣ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଭଲ ପିଇବା ପାଣି , ଶିକ୍ଷା , ସ୍ୱାସ୍ଥ୍ୟ ଏବଂ ପରିମଳ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ବ ଦେଉଛନ୍ତି । ଗାଁ ଓ ସହର ସବୁ ପରିବାର ପାଖରେ ପିଇବା ପାଣି ପହଞ୍ଚିପାରିବ । ସ୍ମାର୍ଟ ହେଲଥ କାର୍ଡ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଯୋଗାଇ ଦେବା ପାଇଁ ଏକ ଐତିହାସିକ ପଦକ୍ଷେପ ବୋଲି ବର୍ଣ୍ଣନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଯୋଗୁ ଓଡ଼ିଶାରେ ଆଜି ଗରିବ ଲୋକ ନିଜକୁ ସୁରକ୍ଷିତ ମନେ କରୁଛି । ଗରିବ ଲୋକଙ୍କୁ ବିଭିନ୍ନ ଯୋଜନାରେ ଦିଆଯାଉଥିବା ସାମାଜିକ ଓ ଅର୍ଥକ ସୁରକ୍ଷା ସେମାନଙ୍କୁ ସଶକ୍ତ କରିଛି ବୋଲି
ସେମାନେ ମତବ୍ୟକ୍ତ କରିଥିଲେ। ସଭାସ୍ଥଳରେ ପଚାଶ ହଜାରରୁ ଉର୍ଦ୍ଧ ଜନ ସମାଗମ ହୋଇଥିଲା । ଅନୁଗୁଳ ପୋଲିସ ଏବଂ ଜିଲ୍ଲାପାଳଙ୍କ ମିଳିତ ଉଦ୍ୟମରେ ସୁରକ୍ଷା ବ୍ୟବସ୍ଥା କଡାକଡି କରଯାଇଥିଲା ।

ମଞ୍ଚରେ ସୁସ୍ମିତା ଲୋହା , ସବିତା ସାହୁ , ସଂଗୀତା ରାଣୀ ସାହୁ , ମିନତି ପ୍ରଧାନ ପ୍ରମୁଖଙ୍କୁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ । ଏତେ ସଂଖ୍ୟକ ଜନ ସମାଗମ ଦେଖି କଳା ପତାକା ପ୍ରଦର୍ଶନ ପାଇଁ ଯୋଜନା କରିଥିବା ବିଜେପି କର୍ମୀଙ୍କର ଦେଖାନଥିଲା । ସମସ୍ତ କାର୍ଯ୍ୟ କରୋନା କଟକଣାକୁ ଦୃଷ୍ଟିରେ ରଖି କରଯାଇଥିଲା ।

Leave A Reply

Your email address will not be published.