ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗ୍ରାମାଞ୍ଚଳରେ କ୍ୱାକ୍‌ଙ୍କ ମାଳମାଳ କ୍ଲିନିକ୍‍: ପଶ୍ଚିମବଙ୍ଗର ଅଧାପାଠୁଆ ଓଡ଼ିଶାରେ ଡାକ୍ତର

ଖଲ୍ଲିକୋଟ: ରାଜ୍ୟ ସରକାର ମେଡିକାଲଗୁଡ଼ିକର ଉନ୍ନତି ପାଇଁ ଟଙ୍କା ପାଣି ଭଳି ଖର୍ଚ୍ଚ କରୁଥିବା ବେଳେ ମେଡିକାଲରେ ଡାକ୍ତର ଅଭାବ କାରଣରୁ ରୋଗୀ ସେବା ବ୍ୟାହତ ହେଉଛି। ଏହାର ସୁଯୋଗ ନେଇ ନକଲି ଡାକ୍ତର ବା କ୍ୱାକମାନେ ଗାଁ ଗହଳିରେ ମାଳ ମାଳ କ୍ଲିନିକ ଖୋଲି ଲୋକଙ୍କୁ ଚିକିତ୍ସା କରୁଛନ୍ତି। ଏବେ ଗାଁ ଲୋକଙ୍କ ଭରସା ପାଲଟିଛି କ୍ୱାକ୍‍ଙ୍କ ଚିକିତ୍ସା। ଗାଁ ଗାଁରେ ନିଜକୁ ଡାକ୍ତର ପରିଚୟ ଦେଇ ନିଜ ନିଜର କ୍ଲିନିକ କରି ବସିଥିବା ବେଳେ କେହି ବି ମେଡିକାଲ ପାଠପଢ଼ି ନାହାନ୍ତି। ଏହିଭଳି କ୍ୱାକ୍‍ ବା ନକଲି ଡାକ୍ତର ବର୍ତ୍ତମାନ ଖଲ୍ଲିକୋଟ ଅଞ୍ଚଳରେ କାୟା ବିସ୍ତାର କରିବାରେ ଲାଗିଛନ୍ତି।

ନାମ ଅନିମେଶ ବିଶ୍ୱାସ। ଶିକ୍ଷାଗତ ଯୋଗ୍ୟତା ହେଲା ଯୁକ୍ତଦୁଇ। ଘର ପଶ୍ଚିମବଙ୍ଗ। ସେ ଏଠାରେ ଡାକ୍ତର ବୋଲାଉଥିବା ବେଳେ ନା ସେ କେବେ ଡାକ୍ତରୀ ପାଠ ପଢ଼ିଛନ୍ତି ନା ତାଙ୍କର ଡାକ୍ତରୀ ପାଠ ପଢ଼ିବାର ଯୋଗ୍ୟତା ଅଛି। ସେ ପଶ୍ଚିମବଙ୍ଗରେ ବେକାର। ହେଲେ ଓଡ଼ିଶାରେ ଡାକ୍ତର।

ଦୀର୍ଘ ୪ ବର୍ଷ ହେଲା ଖଲ୍ଲିକୋଟ ବ୍ଲକ୍‍ ଦାନପୁର ଗ୍ରାମରେ କ୍ଲିନିକ କରି ରୋଗୀଙ୍କୁ ଚିକିତ୍ସା କରିବା ସହ ମେଡିସିନ ବିକ୍ରି କରୁଛନ୍ତି ଏବଂ ସାଲାଇନ ଇଞ୍ଜେକ୍ସନ ମଧ୍ୟ ଦେଉଛନ୍ତି। ନା ତାଙ୍କ ପାଖରେ ଅଛି ଫାର୍ମାସିଷ୍ଟ ଲାଇସେନ୍ସ ନା ଅଛି ଡାକ୍ତର ହେବାର କୌଣସି ଯୋଗ୍ୟତା ପ୍ରମାଣପତ୍ର।

ସେଭଳି ଆଉ ଜଣେ ହେଉଛନ୍ତି ବାରସର ଗ୍ରାମରେ କ୍ଲିନିକ କରିଥିବା ଶମ୍ଭୁ ସରକାର। ଘର ପଶ୍ଚିମବଙ୍ଗ। ଶିକ୍ଷାଗତ ଯୋଗ୍ୟତା କହୁଛନ୍ତି ଯୁକ୍ତ୩। କିନ୍ତୁ ପାଖରେ କୌଣସି ସାର୍ଟିଫିକେଟ ନାହିଁ। କୌଣସି ମେଡିକାଲ ପାଠପଢ଼ି ନାହାନ୍ତି। ତଥାପି ସେ ଜଣେ ଦାନ୍ତ ଡାକ୍ତର। ଖାଲି ଦାନ୍ତ ଡାକ୍ତର ନୁହଁ ସେ ଜ୍ୱର ଥଣ୍ଡା କାଶ ହେଲେ ମଧ୍ୟ ଚିକିତ୍ସା କରୁଛନ୍ତି ଏବଂ ମେଡିସନ, ଇଞ୍ଜେକ୍ସନ ଓ ସାଲାଇନ ଦେଉଛନ୍ତି। ପାଖରେ ନା ଅଛି କୌଣସି ଡାକ୍ତରୀ ଯୋଗ୍ୟତା ନା ଅଛି କୌଣସି ଫାର୍ମାସିଷ୍ଟ ଲାଇସେନ୍ସ। କିନ୍ତୁ ପଶ୍ଚିମବଙ୍ଗରୁ ଆସି ୩ବର୍ଷ ହେଲା ଏଠାରେ ନିଜର କ୍ଲିନିକ କରି ନିଜକୁ ଡାକ୍ତର ପରିଚୟ ଦେଇ ଚିକିତ୍ସା ଚଳାଇଛନ୍ତି।

ସେଭଳି ତାଳପଡ଼ା ଗ୍ରାମରେ କ୍ଲିନିକ କରିଥିବା ଆଉ ଜଣେ କ୍ୱାକ୍‍ ହେଲେ ରାଜୁ ମଣ୍ଡଳ। ଘର କୋଲକତା। ଶିକ୍ଷାଗତ ଯୋଗ୍ୟତା ଯୁକ୍ତଦୁଇ। ସେ ଓଡ଼ିଶାରେ ଡାକ୍ତର। କ୍ଲିନିକରେ ଗଦା ହୋଇ ପଡ଼ିଛି ଇଞ୍ଜେକ୍ସନ ଆଉ ମାଳ ମାଳ ଲାଗିଛି ଖାଲି ସାଲାଇନ ବୋତଲ। ୪ବର୍ଷ ହେଲା ସେ ଗଞ୍ଜାମରେ ନକଲି ଡାକ୍ତର ବା କ୍ୱାକ୍‍।

ଅନୁରୂପ ଆଉ ଜଣେ ହେଉଛନ୍ତି ଦୁର୍ଗା ଦୀନବନ୍ଧୁ ଦାସ। ପାଖରେ ଅଛି କର୍ଣ୍ଣାଟକରେ ଲ୍ୟାବ ଟେକ୍ନିସିଆନ ପଢ଼ିଥିବା ସାର୍ଟିଫିକେଟ। କିନ୍ତୁ ସେ ଗଞ୍ଜାମରେ ଜଣେ ଡାକ୍ତର। ଘର ଭିତରେ ରୋଗୀକୁ ସାଲାଇନ ଲାଗିଛି। ଗଚ୍ଛିତ ହୋଇ ରହିଛି ମେଡିସନ। ସେଠାରେ ଗଦା ହୋଇଥିବା ଅନେକ ମେଡିସିନିର ଏକ୍ସପାଇରି ଡେଟ୍‍ ହେଇଗଲାଣି। କିନ୍ତୁ ସେଗୁଡ଼ିକ ମଧ୍ୟ ଲୋକମାନଙ୍କୁ ଦିଆଯାଉଥିବା ଅଭିଯୋଗ ହୋଇଛି।

ଏହିଭଳି କ୍ୱାକ୍‍ ବା ନକଲି ଡାକ୍ତର ଖଲ୍ଲିକୋଟ ବ୍ଲକ୍‍ର ଗାଁ ଗହଳିରେ ନିଜର କ୍ଲିନିକ କରି ଚିକିତ୍ସା ଆଳରେ କାୟା ବିସ୍ତାର କରି ଚାଲିଛନ୍ତି। ଫଳରେ ବିଭିନ୍ନ ସମୟରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ କେତେକଙ୍କ ଜୀବନ ମଧ୍ୟ ଯାଇଥିବା ନଜିର ରହିଛି। ତେବେ ଏନେଇ ସ୍ଥାନୀୟ ତହସିଲଦାର ରାଜକିଶୋର ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଆଗାମୀ ଦିନରେ ନକଲି ଡାକ୍ତରଙ୍କୁ ଚିହ୍ନଟ କରି ଚଢଉ କରିବେ ବୋଲି କହିଛନ୍ତି। ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଉଥିବା ବେଳେ ଗଞ୍ଜାମରେ ଥିବା ସମସ୍ତ ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ ଡାକ୍ତର ଅଭାବ କାରଣରୁ କ୍ୱାକ୍‍ ବା ନକଲି ଡାକ୍ତର ଏହାର ଫାଇଦା ନେଉଛନ୍ତି। ତେବେ କେବେ ବି ରାଜ୍ୟ ସରକାର ଓ ଜିଲ୍ଲା ପ୍ରସାଶନ କ୍ୱାକ୍‍ ବା ନକଲି ଡାକ୍ତରଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠନ ନେଇଥିବାର ନଜିର ନାହିଁ। ତୁରନ୍ତ ଖଲ୍ଲିକୋଟ ବ୍ଲକରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ଡାକ୍ତର ପଦବୀ ପୂରଣ କରାଯିବା ସହ କ୍ୱାକ୍‍ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି।

Leave A Reply

Your email address will not be published.