ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାରଠୁ ଖୋଲିବ ପ୍ରଥମରୁ ସପ୍ତମ ଶ୍ରେଣୀ, ବିଦ୍ୟାଳୟରେ ବ୍ୟାପକ ବ୍ୟବସ୍ଥା

ଭୁବନେଶ୍ବର : ଆସନ୍ତାକାଲିଠୁ ଖୋଲିବ ପ୍ରାଥମିକ ସ୍କୁଲ । ଦୁଇ ବର୍ଷ ପରେ କୁନି କୁନି ପିଲା ସ୍କୁଲ ଯାଉଥିବାରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ସେମାନଙ୍କୁ ମାନସିକସ୍ତରରେ ଚାପମୁକ୍ତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରୋଡମ୍ୟାପ ପ୍ରସ୍ତୁତ କରିଛି। ପ୍ରଥମ ସପ୍ତାହରେ ପାଠ ପଢାଯିବ ନାହିଁ ବୋଲି ସମସ୍ତ ବିଇଓ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଚିଠି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପ୍ରଥମ ୬ ଦିନ ପିଲାଙ୍କର ସାମାଜିକ ଭାବାବେଗ ଶିକ୍ଷା(ସୋସିଓ ଇମୋସନାଲ୍‍ ଲଣ୍ଣିଂ) ଉପରେ ଗୁରୁତ୍ୱ ଦିଆଯିବ। ପ୍ରଥମ ୬ ଦିନ ପିଲମାନଙ୍କୁ ଖେଳ, ନାଚ, ଗୀତ ଓ ବିଭିନ୍ନ ପ୍ରତିଯୋଗିତାମୂଳକ କାର୍ଯ୍ୟରେ ନିଯୋଜିତ କରାଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ପିଲାମାନେ ଦୁଇ ବର୍ଷ ହେବ ସ୍କୁଲରେ ପାଠ ପଢି ନାହାଁନ୍ତି । ଏଥିପାଇଁ ସ୍ୱତନ୍ତ୍ର ପୁସ୍ତିକା ପ୍ରକାଶ କରାଯାଇ ପିଲାଙ୍କ କୋର୍ସରେ ମିଶ୍ରଣ କରାଯିବ। ଯାହାଫଳରେ ପିଲାମାନେ ପଛେଇ ଯିବେ ନାହିଁ। ମାର୍ଚ୍ଚ ୯ରୁ ତିନି ଧରି ସାହିତ୍ୟ, ଗଣିତ ଓ ଇଂରାଜୀରେ ଦକ୍ଷତା ପରୀକ୍ଷା କରାଯାଇ ଛାତ୍ରଛାତ୍ରୀଙ୍କ ଗତ ଦୁଇ ବର୍ଷର ଶୈକ୍ଷିକ କ୍ଷତିକୁ ଭରଣା କରିବାକୁ ସ୍କୁଲ ଏଭଳି ପ୍ରୟାସ କରିବ । ଦ୍ବିତୀୟ ଶ୍ରେଣୀକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସରୁମ୍ ଅନୁଭବ ନୂଆ ହେବାକୁ ଯାଉଛି । ପ୍ରତ୍ୟକ୍ଷ ଶିକ୍ଷାଗ୍ରହଣରୁ ଦୂରରେ ରହି ସେମାନଙ୍କ ମୌଳିକ ଜ୍ଞାନ ହ୍ରାସ ପାଇଥିବା ସ୍ବାଭାବିକ । ଶ୍ରେଣୀ ଅନୁସାରେ ପାଠ୍ୟକ୍ରମକୁ ପ୍ଲାନ-ଏ ଓ ପ୍ଲାନ-ବି ରେ ବିଭକ୍ତ କରାଯାଇଛି । ପ୍ଲାନ-ଏ ଏପ୍ରିଲରୁ ଜୁଲାଇ ଓ ପ୍ଲାନ-ବି ଅଗଷ୍ଟରୁ ମାର୍ଚ୍ଚ ଯାଏ ଚାଲିବ । ପାଠପଢା ନର୍ଦ୍ଧାରିତ ସମୟସୀମା ଓ ବିଷୟବସ୍ତୁ ଆଧାରରେ ହି ପଠାଯିବ ।

ଶିକ୍ଷା ଯେପରି ଅଧିକ ପ୍ରଭାବିତ ନ ହୁଏ, ସେଥିପାଇଁ ଖରା ଛୁଟିକୁ ମାତ୍ର ୧୫ ଦିନ କରାଯିବାର ବି ଚିନ୍ତା କରୁଛନ୍ତି ବିଭାଗୀୟ ଅଧିକାରୀ । ପ୍ରାଥମିକ ସ୍କୁଲ ସକାଳ ୯ଟାରୁ ୧ଟା ଯାଏ ଚାଲିବ । ଆସନ୍ତା ଫେବୃଆରୀ ୨୫ରୁ ୨୮ ଯାଏ ସ୍କୁଲ ମ୍ୟାନେଜମେଣ୍ଟ କମିଟି ପାଇଁ ଟ୍ରେନିଂର ବ୍ୟବସ୍ଥା କରାଯିବ । ସ୍କୁଲ ସୁରକ୍ଷା, ପରିମଳ, ପରିଚାଳନା ଓ ଅନ୍ୟାନ୍ୟ ବିଷୟ ଉପରେ ଏହି ଟ୍ରେନିଂ ଦିଆଯିବ ।

ଅନ୍ୟପଟେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ଆସନ୍ତା ସୋମବାରଠାରୁ ଖୋଲିବାକୁ ଥିବାବେଳେ ଶନିବାର ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟବ୍ୟାପି ଅଭିଭାବକ ସମ୍ମିଳନୀ ଆୟୋଜିତ ହୋଇଛି। ସ୍କୁଲ ଖୋଲିବା ପୂର୍ବରୁ ବିଦ୍ୟାଳୟର ସ୍ଥିତି ଓ ପ୍ରସ୍ତୁତି ସମ୍ପର୍କରେ ଶିକ୍ଷକମାନେ ଅଭିଭାବକଙ୍କୁ ଅବଗତ କରିଛନ୍ତି। ସେହିପରି ବିଗତ ଦୁଇ ବର୍ଷ ହେବ ଶିକ୍ଷାନୁଷ୍ଠାନ ବନ୍ଦ ହେବା କାରଣରୁ ପିଲାଙ୍କ ଶୈକ୍ଷିକ କ୍ଷତି ଓ ବର୍ତ୍ତମାନ ସ୍ଥିତିରେ ପିଲାଙ୍କ ସ୍କୁଲ ଖୋଲିବା ନେଇ ଆବଶ୍ୟକତା ସମ୍ପର୍କରେ ମଧ୍ୟ ଶିକ୍ଷକମାନେ ଅଭିଭାବକଙ୍କୁ ଜଣାଇଛନ୍ତି। ପିଲାଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଆକାଡେମିକ୍‍ ପ୍ଲାନ୍‍ ସମ୍ପର୍କରେ ମଧ୍ୟ ଅଭିଭାବକଙ୍କୁ ଅବଗତ କରାଯାଇଥିବା ସ୍କୁଲ ଗଣଶିକ୍ଷା ବିଭାଗ ଦର୍ଶାଇଛି। ରାଜ୍ୟର ବିଭିନ୍ନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପଢ଼଼ୁଥିବା ପିଲାଙ୍କ ଅଭିଭାବକମାନେ ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି। ୬୦ ପ୍ରତିଶତରୁ ଅଧିକ ଅଭିଭାବକ ଏହି ସମ୍ମିଳନୀରେ ଯୋଗ ଦେଇଥିବା ବିଭାଗ କହିଛି। ବିଭିନ୍ନ ଜିଲ୍ଲାରେ ୬ ଲକ୍ଷ ୮୦ ହଜାରରୁ ଅଧିକ ଅଭିଭାବକ ବୈଠକରେ ଯୋଗ ଦେଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.