ତାଇୱାନ୍‌ ବିରୋଧରେ ଚୀନ୍‌ର ଯୁଦ୍ଧ ପ୍ରସ୍ତୁତି

ବେଜିଂ : ଆମେରିକା ବାଚସ୍ପତି ନାନ୍ସି ପେଲୋସି ବୁଧବାର ତାଇୱାନ ଗସ୍ତ ଶେଷ କରି ଦକ୍ଷିଣ କୋରିଆ ଯାଇଛନ୍ତି। ସେ ତାଇୱାନ ଛାଡିବା ପୂର୍ବରୁ ଚୀନ କିଛି ପଦକ୍ଷେପ ନେଇପାରେ ବୋଲି ଆଶଙ୍କା ରହିଥିଲେ ହେଁ ପେଲୋସିଙ୍କ ବିମାନ ନିର୍ବିଘ୍ନରେ ତାଇପେ ବିମାନ ବନ୍ଦରରୁ ଉଡ଼ାଣ କରିଛି। କିନ୍ତୁ ପେଲୋସୀ ତାଇୱାନ ଛାଡିବା ପରେ ଚୀନ ତାଇୱାନକୁ ଉଚିତ ଶିକ୍ଷା ଦେବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ବର୍ତ୍ତମାନ ଚୀନ ବାୟୁ ସେନା ପୁରା ତାଇୱାନକୁ ଘେରି ରହିଥିବା ବେଳେ ସାମରିକ ଡ୍ରିଲ ଅଭ୍ୟାସ ମଧ୍ୟ ଜାରି ରହିଛି। ଏହାବ୍ୟତୀତ ଚାଇନା ସାଗରରେ ଚୀନ ନିଜର ଯୁଦ୍ଧ ପୋତ ସହ ବହୁ ଜାହାଜ ମୁତୟନ କରିଛି।

ଯଦି କୌଣସି ସ୍ଥିତିରେ ଚୀନ ତାଇୱାନ ଉପରେ ହମଲା କରେ ତେବେ ଏହାକୁ ମୁକାବିଲା କରିବାକୁ ଆମେରିକା ମଧ୍ୟ ଏହାର ଅତ୍ୟାଧୁନିକ ଯୁଦ୍ଧପୋତ ‘ରୋନାଲ୍ଡ ରେଗନ’କୁ ମୁତୟନ କରିଛି। ଫଳରେ ଚାଇନା ସାଗର ଅଞ୍ଚଳରେ ଏବେ ଉତ୍ତେଜନା ପ୍ରକାଶ ପାଇଛି। ଚୀନ ଏବଂ ଆମେରିକା ମଧ୍ୟରେ ବାକ୍‌ ଯୁଦ୍ଧ ଜାରି ରହିଥିବା ବେଳେ କେତେ ବେଳେ ପରିସ୍ଥିତି ଗମ୍ଭୀର ହୋଇପାରେ ବୋଲି କୁହାଯାଉଛି। ବିଶେଷକରି ପେଲୋସୀଙ୍କ ସାହାସକୁ ଏବେ ସାରା ବିଶ୍ବରେ ପ୍ରଂଶସା କରାଯାଉଛି। ଚୀନର ତୀବ୍ର ବିରୋଧ ଏବଂ ଆକ୍ରମଣ ଧମକ ସତ୍ତ୍ବେ ୮୨ ବର୍ଷୀୟା ପେଲୋସୀ ଯେଭଳି ନିର୍ବିଘ୍ନରେ ତାଇୱାନ ଯାଇ ଫେରି ଆସିଲେ ତାହାକୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚା ଜୋର ଧରିଛି।

ଏହାବ୍ୟତୀତ ପ୍ରାୟ ୨୫ ବର୍ଷ ତଳେ ପେଲୋସୀ ବେଜିଂ ଆସିଥିଲା ବେଳେ ସେତେବେଳେ ମଧ୍ୟ ଚୀନ୍‌ର ବିରୋଧ ସତ୍ତ୍ବେ ସେ ତିଆନମେନ୍‌ ସ୍କୋୟାର ସହିଦଙ୍କୁ ସମ୍ମାନ ଜଣାଇଥିଲେ। ଏହାକୁ ନେଇ ଚୀନ ରକ୍ତ ଚାଉଳ ଚୋବାଇବା ସହିତ ତାଇୱାନ ବିପକ୍ଷରେ ଶକ୍ତ ପଦକ୍ଷେପ ନେବାକୁ କାର୍ଯ୍ୟ ଆରମ୍ଭ କରିଦେଇଛି। ତାଇୱାନକୁ ଅର୍ଥନୀତି ଦିଗରୁ ପାନେ ଚଖାଇବା ପାଇଁ ମଧ୍ୟ ଚୀନ ବୁଧବାର ପଦକ୍ଷେପ ନେଇଛି। ଚୀନ୍‌ରୁ ତାଇୱାନକୁ ପ୍ରାକୃତିକ ବାଲୁକା ରପ୍ତାନି ବନ୍ଦ କରି ଦିଆଯାଇଥିଲା ବେଳେ ସେଠାରୁ ଚୀନକୁ ମାଛ ଏବଂ ଫଳମୂଳ ଆମଦାନୀ ମଧ୍ୟ ବନ୍ଦ କରିଦିଆଯାଇଛି। ଏହାବ୍ୟତୀତ ତାଇୱାନ ଫାଉଣ୍ଡେସନ ଫର ଡେମୋକ୍ରାସି କାର୍ଯ୍ୟାନୁଷ୍ଠାନ ନେବାକୁ ଘୋଷଣା କରିଛି।

Leave a comment