ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହଙ୍ଗା ପଡିଲା ଶସ୍ତା ଟାୟାର : ଚାଇନା ମାଲ୍‌ କିଣି ଫସିଲା ରୁଷ୍‌

ମସ୍କୋ : ଚୀନ୍‌ ସାମଗ୍ରୀ କୌଣସି ଦୃଷ୍ଟିରୁ ଭରସାଯୋଗ୍ୟ ନୁହେଁ, ଏହା ପୁଣିଥରେ ପ୍ରମାଣିତ ହୋଇଯାଇଛି। ୟୁକ୍ରେନ ଯୁଦ୍ଧରେ ଚୀନ୍‌ ସାମଗ୍ରୀ ଉପରେ ଭରସା କରି ରୁଷ ଫସିଯାଇଛି। ଚୀନ୍‌ର ଶସ୍ତା ସାମଗ୍ରୀ ରୁଷ୍‌ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ୟୁକ୍ରେନ ଆକ୍ରମଣ ମଧ୍ୟରେ ରୁଷ ସେନା ସାମରିକ ଗାଡ଼ିର ୬୪ କିମି ପର୍ଯ୍ୟନ୍ତ ଲମ୍ବ ଧାଡ଼ି ଚର୍ଚ୍ଚାରେ ରହିଥିଲା। କିଛି ଦିନ ତଳେ ଏହା ୟୁକ୍ରେନ ରାଜଧାନୀ କିଭ ଅଭିମୁଖେ ବଢୁଥିବା ଦେଖାଯାଇଥିଲା। ଏବେ ଏହା କିଭର ସିଟି ସେଣ୍ଟରଠାରୁ ୩୨ କିମି ଦୂରରେ ଅଟକି ରହିଛି ବୋଲି କୁହାଯାଉଛି।

ଏହି ସବୁସେନା ଗାଡ଼ିରେ ଚୀନ୍‌ ନିର୍ମିତ ଟାୟାର ଲାଗିଥିଲା। ଟାୟାର ଗୁଡିକ ଖରାପ ହେବାଯୋଗୁଁ ଏହି ଧାଡ଼ି ଆଉ ଆଗକୁ ବଢିପାରୁନାହିଁ। ଗାଡିର ଟାୟାର ଖରାପ ହୋଇଯାଇଛି। ଏଥିଯୋଗୁଁ ରୁଷ ସେନା ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛି। ଅସ୍ତ୍ରଶସ୍ତ୍ର ଏବଂ ଖାଦ୍ୟ ସାମଗ୍ରୀ ମିଳିପାରୁନଥିବାରୁ ୟୁକ୍ରେନରେ ଯୁଦ୍ଧ କରୁଥିବା ରୁଷ ସୈନିକଙ୍କ ସମସ୍ୟା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି। ଚୀନ୍‌ର ଶସ୍ତା ଟାୟାର ଉପରେ ଭରସା କରିବା ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ପାଇଁ ଭାରି ପଡିଛି।

ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରାଳୟ ଅନୁଯାୟୀ ରୁଷର ଏହି ବିରାଟକାୟ ସାମରିକ ଧାଡି ଯାନ୍ତ୍ରିକ ତ୍ରୁଟି, ଭିଡ ଅଞ୍ଚଳ ଏବଂ ୟୁକ୍ରେନ ସେନାର ପ୍ରତିରୋଧ ଯୋଗୁଁ ଅଟକି ରହିଛି। ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟ ପେଣ୍ଟାଗନର ଅବସରପ୍ରାପ୍ତ କର୍ମଚାରୀ ତଥା ସେନା ଇତିହାସକାର ଟ୍ରେଣ୍ଟ ଟେଲେଙ୍କୋ ଏଥିପାଇଁ ଚୀନ୍‌ ନିର୍ମିତ ଟାୟାରକୁ ଦୋଷ ଦେଇଛନ୍ତି। ସେ ପ୍ରାୟ ୧୦ ବର୍ଷ ପର୍ଯ୍ୟନ୍ତ ଆମେରିକା ସେନାର ଭେଇକିଲ ଅଡିଟର (ଯାନ ସମୀକ୍ଷକ) ଭାବେ କାମ କରିଥିଲେ। ସେ କହିଛନ୍ତି ଯେ ଚୀନ୍‌ର ଶସ୍ତା ଟାୟାର ଯୋଗୁଁ ୬୪ କିମି ପର୍ଯ୍ୟନ୍ତ ଲମ୍ବିଥିବା ରୁଷ ସାମରିକ ଗାଡିର ଧାଡି ଅଟକି ରହିଛି। ସେ କାଦୁଅରେ ଫସି ରହିଥିବା ରୁଷ ସେନାର ପ୍ୟାଣ୍ଟିର-ଏସ ୧ ମିସାଇଲ ସିଷ୍ଟମର ଏକ ଫଟୋ ସେୟାର କରିଛନ୍ତି ଏବଂ ଚୀନ୍‌ର ଶସ୍ତା ଟାୟାର ନରମ ମାଟିରେ ବିଫଳ ହୋଇଛି ବୋଲି ଲେଖିଛନ୍ତି।

ଆମେରିକା ଅର୍ଥଶାସ୍ତ୍ରୀ ତଥା ସରକାରୀ ପରାମର୍ଶଦାତା କାର୍ଲ ମୁଥ ମଧ୍ୟ ଟ୍ରେଣ୍ଟଙ୍କ ଦାବିରେ ସହମତି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଚୀନ୍‌ ଟାୟାରର ମାନ ବହୁତ ଖରାପ। ଏହା ଖୁବଶୀଘ୍ର ଘସି ହୋଇ ଛିଡିଯାଏ । ଏହା ଉପରେ ପରିବେଶର ପ୍ରଭାବ ସର୍ବାଧିକ ପଡିଥାଏ। ଦୀର୍ଘ ସମୟ ପର୍ଯ୍ୟନ୍ତ ମାଟି ସହ ଲାଗି ରହିବାରୁ ଚୀନ୍‌ ନିର୍ମିତ ଟାୟାର ଉପରେ ଅତ୍ୟଧିକ ଚାପ ପଡୁଛି ଏବଂ ଚିକିଟା ମାଟିରେ ଧସିବା ଯୋଗୁଁ ଟାୟାର ଫାଟି ଯାଉଛି। ତେଣୁ ରୁଷ ସେନାର ବିରାଟକାୟ ଧାଡି ଆଗକୁ ବଢିବାରେ ସମସ୍ୟା ସୃଷ୍ଟି ହେଉଛି।
ପେଣ୍ଟାଗନର ମୁଖପାତ୍ର ଜନ କିର୍ବି କହିଛନ୍ତି ଯେ ଗତ ୨୪ରୁ ୩୬ ଘଣ୍ଟା ମଧ୍ୟରେ ୬୪ କିମି ପର୍ଯ୍ୟନ୍ତ ଲମ୍ବିଥିବା ରୁଷ ସେନାର ଏହି ସାମରିକ ଯାନ ଧାଡିରେ କୌଣସି ପ୍ରଗତି ହୋଇନାହିଁ। ରୁଷ ସେନା ପୁଣିଥରେ ନିଜକୁ ସଂଗଠିତ କରି ଅସ୍ତ୍ରଶସ୍ତ୍ର ଯାଞ୍ଚ କରୁଛି। ଲଜିଷ୍ଟିକ ଏବଂ ୟୁକ୍ରେନ ଦେଉଥିବା କଡ଼ା ଜବାବ ଯୋଗୁଁ ଏହା ଅଟକି ରହିଥାଇପାରେ।

Leave A Reply

Your email address will not be published.