ରକ୍ତ ମୁଖା ଚୀନ୍‌: ତାଇୱାନକୁ ଘେରିଲେ ୩୦ ଲଢୁଆ ବିମାନ, ୫ ଯୁଦ୍ଧ ଜାହାଜ

ତାଇପେଇ: କିଛି ଦିନ ତଳେ ଆମେରିକାର ବାଚସ୍ପତି ନାନ୍ସି ପେଲୋସୀଙ୍କ ତାଇୱାନ ଗସ୍ତକୁ ନେଇ କ୍ଷୁବ୍ଧ ହୋଇଥବା ଚୀନ ଏବେ ଏକପ୍ରକାର ରକ୍ତମୁଖା ହୋଇପଡ଼ିଛି। ନାନ୍ସିଙ୍କ ଗସ୍ତ ପରେ ତାଇୱାନ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଉଦ୍ଦେଶ୍ୟରେ ଚୀନ ସେନା ପୁରା ତାଇୱାନକୁ ଘେରିଥିଲା ବେଳେ ଏବେ କୌଣସି ସମୟରେ ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇପାରେ ବୋଲି ଜଣାପଡ଼ିଛି। ବିଶେଷକରି ନିକଟରେ ଆମେରିକୀୟ ସଂସଦୀୟ କମିଟି ତାଇଓ୍ବାନ ଗସ୍ତ କରିବା ପରେ ଚୀନ ରକ୍ତମୁଖା ହୋଇଯାଇଛି। ସୋମବାର ସଂଧ୍ୟାରେ ଚୀନର ୩୦ଟି ଲଢୁଆ ବିମାନ ଓ ୫ଟି ଯୁଦ୍ଧ ଜାହାଜ ତାଇଓ୍ବାନକୁ ଘେରିଥିବା ତାଇଓ୍ବାନ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।

ସୂଚନା ଅନୁସାରେ, ଚୀନ୍‌ର ୮ଟି ସୁଖୋଇ-୩୦ ଲଢୁଆ ବିମାନ, ୪ଟି ସେନୟାଙ୍ଗ ଜେ-୧୬ ବିମାନ, ଦୁଇଟି ସେନୟାଙ୍ଗ ଜେ-୧୧ ବିମାନ ଓ ୧୪ଟି ଅନ୍ୟ କେତେକ ଚୀନ ନିର୍ମିତ ବିମାନ ତାଇଓ୍ବାନ ବାୟୁ ସୁରକ୍ଷା ସୀମା ଅତିକ୍ରମଣ କରିଥିବା କୁହାଯାଇଛି। ସେହିପରି ତାଇଓ୍ବାନର ଉତ୍ତର-ପୂର୍ବ ଦିଗରେ ଚୀନର ବହୁ ଜେଡି-୯ ହେଲିକପ୍ଟର ଉଡ଼ାଣ କରିଛନ୍ତି। ଏହାବ୍ୟତୀତ ତାଇଓ୍ବାନ ଜଳ ସୀମା ନିକଟରେ ଚୀନ ମୁତୟନ କରିଥିବା ଯୁଦ୍ଧ ଜାହାଜ ସଂଖ୍ୟା ମଧ୍ୟ ବୃଦ୍ଧି କରିଥିବା କୁହାଯାଇଛି। ସୂଚନାଯୋଗ୍ୟ ଯେ, ଗତ ରବିବାର ଆମେରିକୀୟ ସିନେଟର ଏଡ୍ ମାର୍କେଙ୍କ ନେତୃତ୍ବରେ ଏହି ୫ ଜଣିଆ ସଂସଦୀୟ ଦଳ ତାଇୱାନରେ ପହଞ୍ଚି ସେଠାକାର ବିଭିନ୍ନ ରାଜନୈତିକ ଦଳର ମୁଖ୍ୟମାନଙ୍କୁ ଭେଟି ସୁରକ୍ଷା ସଂପର୍କରେ ଆଲୋଚନା କରିଥିଲେ। ତାଇଓ୍ବାନ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ ଦଳ (ଡିପିପି) ସହ ଆମେରିକୀୟ ସାଂସଦମାନେ ବୈଠକ କରିଥିଲା ବେଳେ ଏହାକୁ ନେଇ ଚୀନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଥିଲା ଓ ପୁଣି ଥରେ ଯୁଦ୍ଧାଭ୍ୟାସ ଆରମ୍ଭ ପାଇଁ ଧମକ ଦିଆଯାଇଥିଲା ।

Leave a comment