ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତ ବିରୋଧରେ ଚୀନ୍‌ର ଯୁଦ୍ଧ ପ୍ରସ୍ତୁତି ! ସୀମାରେ ନିର୍ମାଣ କରୁଛି ବୃହତ ପୋଲ

ନୂଆଦିଲ୍ଲୀ : ଭାରତ ଏବଂ ଚୀନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ସମାଧାନ ହୋଇପାରି ନାହିଁ। ବିଶେଷକରି ଲଦାଖ ଅଞ୍ଚଳରେ ସୀମା ସମସ୍ୟାର ସମାଧାନ ପାଇଁ ଉଭୟ ପକ୍ଷ ମଧ୍ୟରେ ବାରମ୍ବାର ସେନାସ୍ତରୀୟ ଆଲୋଚନା ହୋଇଥିଲେ ହେଁ କୌଣସି ସକାରାତ୍ମକ ଫଳ ମିଳିପାରି ନାହିଁ। ଏଭଳି ସ୍ଥିତିରେ ଚୀନ ସୀମାକୁ ଲାଗି ବିଭିନ୍ନ ପ୍ରକଳ୍ପ ନିର୍ମାଣ କରିବା ସହିତ ଭିତ୍ତିଭୂମି ବିସ୍ତାର କରିବାରେ ଲାଗିଛି। ଏଭଳି ବିଷୟକୁ ନେଇ ସୀମା ପ୍ରସଙ୍ଗରେ ବାସ୍ତବରେ ଯେ ଚୀନ ସମାଧାନ ଚାହୁଁଛି ତାହା ସନ୍ଦେହଜନକ ହୋଇପଡ଼ିଛି। ଉପଗ୍ରହ ଚିତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚୀନ ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରେ ଏକ ଦ୍ବିତୀୟ ବୃହତ ପୋଲ ନିର୍ମାଣ କରୁଛି। ଲଦାଖ ଏବଂ ତିବ୍ଦତ ମଧ୍ୟରେ ପ୍ରାୟ ୧୩୫ କିମି ଦୀର୍ଘ ଏହି ହ୍ରଦ ରହିଥିବା ବେଳେ ଚୀନ ନିଜ ପଟରେ ଏହି ପୋଲ ନିର୍ମାଣ କରୁଛି।

ଏହାଦ୍ବାରା ଲଦାଖର ଖୁରନାଖ ଦୁର୍ଗ ଏବଂ ତିବ୍ଦତର ରୁଦୋଖ ମଧ୍ୟ ଦୂରତା ୪୦ ରୁ ୫୦ କିମି ହ୍ରାସ ପାଇବ। ପୂର୍ବରୁ ଚୀନ ଏହି ଅଞ୍ଚଳରେ ଚୀନ ଏକ ପୋଲ ନିର୍ମାଣ କରିଥିଲା ବେଳେ ଏହାକୁ ନେଇ ଭାରତ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଥିଲା। ହେଲେ ବାସ୍ତବରେ ଏହି ଦ୍ବିତୀୟ ପୋଲ ହିଁ ଭାରତ ପାଇଁ ଅଧିକ ଉଦବେଗଜନକ ବୋଲି କୁହାଯାଉଛି। କାରଣ ଦ୍ବିତୀୟ ପୋଲର ନିର୍ମାଣ ପାଇଁ ପ୍ରଥମ ପୋଲକୁ ଚାଇନା ସେନା ଉପଯୋଗ କରୁଛି। ପ୍ରଥମ ପୋଲ ତୁଳନାରେ ଦ୍ବିତୀୟ ପୋଲ ଅଧିକ ମଜବୁତ ହୋଇଥିବାରୁ ଏହା ମାଧ୍ୟମରେ ଚୀନ ଟ୍ୟାଙ୍କ ସମେତ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ପରିବହନ କରିବାକୁ ଲକ୍ଷ୍ୟ ରଖିଛି। ଯାହାକି ଭାରତ ପାଇଁ ଚିନ୍ତାର କାରଣ ହୋଇପାରେ ବୋଲି କୁହାଯାଇଛି।

ଓପନ ସୋର୍ସ ଇଣ୍ଟେଲିଜେନ୍ସ ବିଶେଷଜ୍ଞ ଡାମିଏନ ସାଇମନ କହିଛନ୍ତି ଯେ ବିଭିନ୍ନ ସମୟରେ ନିଆଯାଇଥିବା ଉପଗ୍ରହ ଚିତ୍ରର ଅନୁଶୀଳନରୁ ଜଣାଯାଇଛି ଯେ, ଚୀନ ପାଙ୍ଗୋଙ୍ଗ ହ୍ରଦ ନିକଟରେ ପୋଲ ଓ ନିଜର ସାମରିକ ଭିତ୍ତିଭୂମି ନିର୍ମାଣ ଜାରି ରଖିଛି । ଏହି ନୂଆ ପୋଲ ପ୍ରଥମ ତୁଳନାରେ ବେଶ ବଡ଼ ଓ ଅଧିକ ମଝବୁତ ରହିଥିବାରୁ ଏହା ମଧ୍ୟ ଦେଇ ଟ୍ୟାଙ୍କ ଓ ଭାରି ଯୁଦ୍ଧଯାନ ପରିବହନ କରିବାକୁ ଚୀନ ଯୋଜନା କରୁଛି । ଭବିଷ୍ୟତରେ ଭାରତୀୟ ସେନା ସହ ମୁକାବିଲା କରିବା କ୍ଷେତ୍ରରେ ଏହି ପୋଲ ଚୀନ ସେନା ପାଇଁ ବେଶ ସହାୟକ ହେବ ବୋଲି ସେ କହିଛନ୍ତି । ଗତ ବର୍ଷ ଏହି ହ୍ରଦରେ ନିଜର ପ୍ରଥମ ପୋଲ ନିର୍ମାଣ କରିବା ପରେ ଚୀନ ହଟ ସ୍ପ୍ରିଙ୍ଗ ଅଞ୍ଚଳରେ ଭାରତୀୟ ଅଞ୍ଚଳକୁ ଲାଗି ୩ଟି ମୋବାଇଲ ଟାଓ୍ବାର ନିର୍ମାଣ କରିଥିଲା । ଚୀନର ଏସବୁ ନିର୍ମାଣ କାର୍ଯ୍ୟକୁ ଭାରତ ଗତ ଜାନୁଆରୀ ମାସରେ ଦୃଢ ବିରୋଧ କରିଥିଲା ।

Leave A Reply

Your email address will not be published.