ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୀମାରେ ବିପୁଳ ସୈନ୍ୟ ମୁତୟନ କରିଛି ଚୀନ୍‌, ଦ୍ରୁତଗତିରେ ଜାରି ରଖିଛି ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ

ନୂଆଦିଲ୍ଲୀ : ଗତ ତିନି ବର୍ଷ ହେଲା ପୂର୍ବ ଲଦାଖରେ ଭାରତ-ଚୀନ୍‌ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏଠାରେ ଉଭୟ ଦେଶର ସେନା ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଏହା ମଧ୍ୟରେ ଚୀନ୍‌ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଦ୍ରୁତ ଗତିରେ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଜାରି ରଖିଛି ବୋଲି ସ୍ଥଳ ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି। ସୀମାରେ ବେଜିଂ ବିପୁଳ ସୈନିକଙ୍କୁ ମୁତୟନ କରିଛି। ସାମଗ୍ରିକ ଭାବେ ଏଲ୍‌ଏସିରେ ସ୍ଥିତାବସ୍ଥା ଜାରି ରହିଛି। କିନ୍ତୁ ତୀକ୍ଷ୍ଣ ନଜର ରଖାଯିବାର ଆବଶ୍ୟକତା ରହିଛି। ସେ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଚୀନ୍‌ ୨୦୨୦ ଏପ୍ରିଲ-ମେ’ରେ ପୂର୍ବ ଲଦାଖରେ ଅନେକ ଥର ଅନୁପ୍ରବେଶ ଉଦ୍ୟମ କରିଥିଲା।

ପିପୁଲ୍ସ ଲିବରେସନ ଆର୍ମୀ (ପିଏଲଏ) ସେଠାରେ ପ୍ରାୟ ୫୦ ହଜାର ସୈନିକ ଏବଂ ଭାରି ଯୁଦ୍ଧାସ୍ତ୍ର ମୁତୟନ କରିଛି। ମାତ୍ର ଭାରତୀୟ ସେନା ମଧ୍ୟ ସତର୍କ ରହିଛି। ପୂର୍ବ ଲଦାଖରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ବ୍ୟାପିଥିବା ଦୀର୍ଘ ୩,୪୮୮ କିମିର ଏଲଏସିରେ ସମସ୍ତ ତିନୋଟି କ୍ଷେତ୍ର ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ସେନା ମଧ୍ୟ ମୁତୟନ କରାଯାଇଛି। ଯେକୌଣସି ସ୍ଥିତିର ମୁକାବିଲା ପାଇଁ ସେନା ସର୍ବଦା ପ୍ରସ୍ତୁତ ହୋଇ ରହିଛି। ନୂଆ ଜ୍ଞାନକୌଶଳ ଏବଂ ଅସ୍ତ୍ରଶସ୍ତ୍ର ସହିତ ସେନାର କ୍ଷମତା ବୃଦ୍ଧି କରିବାର ପ୍ରୟାସ କ୍ରମାଗତ ଭାବେ ଜାରି ରହିଛି।

ବିଶେଷ କରି ରାସ୍ତା, ହେଲିପ୍ୟାଡ ଭଳି ଭିତ୍ତିଭୂମି ବିକାଶ ଦିଗରେ ଅଧିକ ଧ୍ୟାନ ଦିଆଯାଉଛି। ପୂର୍ବ ଲଦାଖ ବିବାଦର ସମାଧାନ ଲାଗି ଚୀନ୍‌ ସହ କ୍ରମାଗତ ଭାବେ ଆଲୋଚନା ଜାରି ରହିଛି। ଏହା ସମାଧାନ ନ ହେବା ପର୍ଯ୍ୟନ୍ତ ସେନା ମୁତୟନ ଏବଂ ସତର୍କତା ବଜାୟ ରହିବ। କୂଟନୈତିକ ଏବଂ ସେନାସ୍ତରୀୟ ଆଲୋଚନାରେ ପୂର୍ବ ଲଦାଖର ଦେପସାଙ୍ଗ ଅଞ୍ଚଳ ଏବଂ ଡେମଚୋକକୁ ନେଇ ଥିବା ବିବାଦର ସମାଧାନ ହୋଇଯିବ। ପାକିସ୍ତାନ ଅନୁପ୍ରବେଶକୁ ନେଇ ସେନାମୁଖ୍ୟ କହିଛନ୍ତି ଯେ ଅନ୍ତର୍ଜାତୀୟ ସୀମା ପାର କରି ଡ୍ରୋନ ମାଧ୍ୟମରେ ଡ୍ରଗ୍ସ ଏବଂ ଅସ୍ତ୍ରଶସ୍ତ୍ର ଚାଲାଣ ମାମଲା ବହୁତ ଅଧିକ ବୃଦ୍ଧି ପାଇଛି। ତେବେ ୭୭୮ କିମିର ନିୟନ୍ତ୍ରଣ ରେଖାରେ ଅନୁପ୍ରବେଶ ରୋକିବା ପାଇଁ ସେନା ପ୍ରସ୍ତୁତ ହୋଇ ରହିଛି। କିନ୍ତୁ ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ କମ୍‌ ହୋଇନାହିଁ।

ଏଲ୍‌ଏସିରେ ସ୍ଥିତି ଜଟିଳ: ଜୟଶଙ୍କର

ଏଥିସହିତ ପଢ଼ନ୍ତୁ

ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଶନିବାର ଏକ ନ୍ୟୁଜ ଚ୍ୟାନେଲର କାର୍ଯ୍ୟକ୍ରମରେ ସାମିଲ ହୋଇ ଚୀନ୍‌, ୟୁକ୍ରେନ-ରୁଷ୍‌ ଯୁଦ୍ଧ ଏବଂ ସିଏଏ ପ୍ରସଙ୍ଗରେ ଭାରତକୁ ବିରୋଧ କରିଥିବା ଆମେରିକା ରାଷ୍ଟ୍ରଦୂତ ମନ୍ତବ୍ୟ ଉପରେ ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି। ଏହା ସହିତ ଚଳିତ ଦଶନ୍ଧି ଶେଷ ସୁଦ୍ଧା ଭାରତ ବିଶ୍ବର ତୃତୀୟ ଶକ୍ତିଶାଳୀ ରାଷ୍ଟ୍ର ହେବ ବୋଲି ସେ କହିଛନ୍ତି।

ଜୟଶଙ୍କର ବର୍ତ୍ତମାନର ଭାରତ-ଚୀନ୍‌ ସମ୍ପର୍କକୁ ଆହ୍ବାନପୂର୍ଣ୍ଣ କହିଛନ୍ତି। ପୂର୍ବ ଲଦାଖର ଏଲ୍‌ଏସିରେ ସ୍ଥିତି ବହୁତ ଜଟିଳ ରହିଛି। କିଛି ଅଞ୍ଚଳରେ ଭାରତ ଏବଂ ଚୀନର ସୈନିକ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଏହା ସ୍ଥିତିକୁ ଅଧିକ ଜଟିଳ କରିଦେଇଛି। ତେବେ କିଛି କ୍ଷେତ୍ରରେ ସୈନିକ ପଛକୁ ହଟିବା ପ୍ରକ୍ରିୟା ଜାରି ରହିଛି। ଚୁକ୍ତି ଉଲ୍ଳଙ୍ଘନ କରି ସବୁକିଛି ସ୍ବାଭାବିକ ଅଛି ବୋଲି ଦର୍ଶାଇ ହେବ ନାହିଁ। ପୂର୍ବରୁ ହୋଇଥିବା ଚୁକ୍ତିକୁ ଚୀନ୍‌ ଉଲ୍ଲଙ୍ଘନ କରିଛି। ଚୁକ୍ତି ଉଲ୍ଲଙ୍ଘନକୁ ଭାରତ କେବେ ବି ବରଦାସ୍ତ କରିବନି ବୋଲି ପୂର୍ବରୁ ସ୍ପଷ୍ଟ କରିଦେଇଛି।

Leave A Reply

Your email address will not be published.