ଗୁଇନ୍ଦା ବେଲୁନକୁ କ୍ଷେପଣାସ୍ତ୍ର ମାଡରେ ଖସାଇବା ପରେ ଆମେରିକାକୁ ଚୀନର ଧମକ

ନୂଆଦିଲ୍ଲୀ :  ଆମେରିକା ଆକାଶରେ ଉଡୁଥିବା ଚୀନର ସ୍ପାଏ ବେଲୁନକୁ କ୍ଷେପଣାସ୍ତ୍ର ମାରି ଖସାଇ ଦେଇଛି ଆମେରିକା । ଗତ କିଛି ଦିନ ହେବ ବେଲୁନର ଗତିବିଧି ଉପରେ ନଜର ରଖିଥିବା ଆମେରିକୀୟ ସେନା ଆଟଲାଣ୍ଟିକ୍ ମହାସାଗରରେ ପହଞ୍ଚିବା ପରେ ଏହାକୁ କ୍ଷେପଣାସ୍ତ୍ର ସାହାଯ୍ୟରେ ଖସାଇ ଦେଇଥିବା ନେଇ ପେଣ୍ଟାଗନ୍ ପକ୍ଷରୁ ସୂଚନା ମିଳିଛି । ଶନିବାର ବିଳମ୍ବିତ ରାତି‌ରେ ଆମେରିକା ଭର୍ଜିନିଆସ୍ଥିତ ଲ୍ୟାଙ୍ଗ୍‌ଲି ଏୟାର୍‌ ଫୋର୍ସ ବେସ୍‌ରୁ ମାତ୍ର ଗୋଟିଏ ‘ଏଫ୍‌-୨୨’ ଲଢୁଆ ବିମାନ ଉକ୍ତ ବେଲୁନ୍‌କୁ ଗୋଟିଏ ‘ଏମ୍‌-୯ଏକ୍ସ୍‌ ସୁପର୍‌ସୋନିକ୍‌ କ୍ଷେପଣାସ୍ତ୍ର ନି‌କ୍ଷେପ କରି ଅଟଲାଣ୍ଟିକ ମହାସାଗରରେ ଖସାଇ ଦେଇଥିଲା।  ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶ ପରେ ବେଲୁନଟିକୁ ଧ୍ବଂସ କରିଛି ଆମେରିକା ସେନା ।

ଆମେରିକା ଚାଇନାର ଏହି ଗୁଇନ୍ଦା ବେଲୁନକୁ ଖସାଇବାେ ପରେ ପ୍ରତିକ୍ରିୟାଶୀଳ ହୋଇପଡିଛି ଚାଇନା। ରାଗ ଗରଗର ହୋଇ ଚାଇନା ଆମେରିକାକୁ ଧମକ ଦେବାକୁ ମଧ୍ୟ ପଛାଇନାହିଁ। ଚୀନ୍‌ର ବୈଦେଶିକ ମନ୍ତ୍ରଣାଳୟ କହିଛି, ‘ଆମେରିକା ଯେଉଁ ଭଳି ଘଟଣା ଘଟାଇଛି ତାହା ଆଦୌ ଗ୍ରହଣୀୟ ନୁହେଁ। ଏଥିପାଇଁ ଆମେ ଅସନ୍ତୋଷ ବ୍ୟକ୍ତ କରୁଛୁ।’ ଏଥିସହିତ ଚୀନ୍‌ର ବୈଦେଶିକ ମନ୍ତ୍ରଣାଳୟ ଆମେରିକାକୁ ଧମକ ଦେଇ କହିଛି, ‘ବେଲୁନକୁ ଟାର୍ଗେଟ କରି ଆମେରିକା ଆନ୍ତରାଷ୍ଟ୍ରୀୟ ନିୟମର ଉଲ୍ଲଂଘନ କରିଛି। ଏହି ଘଟଣାକୁ ନେଇ ଆମେ ନିଶ୍ଚିତ ଭାବେ ପ୍ରତିକ୍ରିୟା ଦେବୁ। ଏହି ଅଧିକାର ବି ଆମେ ନିଜ ପାଖରେ ସୁନିଶ୍ଚିତ କରି ରଖିଛୁ।’

ଗ୍ଲୋବାଲ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଚୀନ୍‌ର ବୈଦେଶିକ ମନ୍ତ୍ରଣାଳୟ କହିଛି, ବେଲୁନକୁ ଟାର୍ଗେଟ କରି ଆମେରିକା ଆନ୍ତରାଷ୍ଟ୍ରୀୟ ନିୟମର ଉଲ୍ଲଂଘନ କରିଛି। ଆମେରିକା ଏହି ଘଟଣାକୁ ଶାନ୍ତ, ବୃତ୍ତିଗତ ଏବଂ ସଂଯମ ଢଙ୍ଗରେ ପରିଚାଳନ କରିବ ବୋଲି ଚୀନ୍‌ ସ୍ପଷ୍ଟ ଭାବେ ଚାହୁଁଛି । ସେ ତା’ର ସ୍ୱାର୍ଥକୁ ଦୃଢତାର ସହ ରକ୍ଷା କରିବ ବୋଲି ଚୀନ୍‌ ଆମେରିକାକୁ ଚେତାବନୀ ଦେଇ କହିଛି।

ଆମେରିକା ଆକାଶରେ ଦେଖା ଦେଇଥିବା ଏହି ପର୍ଯ୍ୟବେକ୍ଷଣକାରୀ ବେଲୁନ୍‌ଟି ସମଗ୍ର ଉତ୍ତର ଆମେରିକାରେ ଥିବା ଗୁରୁତ୍ବପୂର୍ଣ୍ଣ ସାମରିକସ୍ଥଳୀଗୁଡ଼ିକୁ ପର୍ଯ୍ୟବେକ୍ଷଣ କରୁଥିଲା ବୋଲି ଆମେରିକା ଅଭିଯୋଗ କହିଛି। ଗ୍ଲୋବାଲ ଟାଇମ୍ସର ରିପୋର୍ଟରେ କୁହାଯାଇଛି, ସିଭିଲ ବେଲୁନକୁ ନଷ୍ଟ କରିବାକୁ ଆମେରିକା ପକ୍ଷରୁ ସେନାର ବ୍ୟବହାର କରାଯାଇଥିଲା। ଗୁଇନ୍ଦା ବେଲୁନକୁ ଆମେରିକା ଫଟାଇଦେବା ପରେ ଏବେ ଚୀନ୍‌ ବିଚଳିତ ହୋଇପଡିଛି। ସେପଟେ ଆମେରିକାର ପ୍ରତିରକ୍ଷା ସଚିବ ଲଏଡ ଅଷ୍ଟିନ୍‌ ଏହି ଅପରେସନକୁ ଏକ ଯୋଜନାବଦ୍ଧ ତଥା ଆଇନଗତ କାର୍ଯ୍ୟ ବୋଲି କହିଛନ୍ତି।

Leave a comment