ଆର୍ଥିକ ଅଭାବରୁ ବଢୁଛି ଶିଶୁ ବିକ୍ରି: ରାଜଧାନୀରୁ ୭ ବର୍ଷ ଭିତରେ ଉଦ୍ଧାର ହେଲେଣି ୫୨୯ ଶିଶୁ

ଭୁବନେଶ୍ୱର: ରାଜଧାନୀରେ ଏବେ ଶିଶୁ ବିକ୍ରି ବଢ଼଼ିବାରେ ଲାଗିଛି। ଦାରିଦ୍ର୍ୟର ତାଡ଼ନା ପାଇଁ ହେଉ ଅବା ଟଙ୍କା ରୋଜଗାର ଆଶାରେ ଶିଶୁମାନଙ୍କୁ ଅନ୍ୟର ହାତକୁ ଟେକି ଦେଉଛନ୍ତି। ଅନୈତିକ ମାତୃତ୍ୱ ଯୋଗୁଁ ବି ଅଧିକାଂଶ ସମୟରେ ଶିଶୁ ବିକ୍ରିର ଘଟଣା ସାମ୍ନାକୁ ଆସୁଛି। ଏହି ଶିଶୁ ବିକ୍ରିର ସଂଖ୍ୟା ମହାମାରୀ କରୋନା ସମୟରେ ବୃଦ୍ଧି ହୋଇଛି। ପିଲାର ବୋଝ ନେବାକୁ ସାମର୍ଥ୍ୟ ନ ଥିବା ଅଭିଭାବକମାନେ ବି ଶିଶୁ ବିକ୍ରିରେ ଲିପ୍ତ ରହୁଛନ୍ତି। ଆଉ ଏଥିରେ କୁନି ନିରୀହ ଜୀବନ ବଞ୍ଚିବାର ରାହା ହରାଇବା ସହ ନିଜର ଅଧିକାର ସାବ୍ୟସ୍ତ କରିପାରୁନାହିଁ। ଅଭାବ ଅନାଟନରେ ଶିଶୁ ବିକ୍ରିକୁ ପ୍ରୋତ୍ସାହିତ କରିବା ପାଇଁ ଏବେ ଦଲାଲମାନେ ବି ବେଶ୍‍ ସକ୍ରିୟ ରହିଛନ୍ତି। ରାଜଧାନୀରେ ଏଭଳି ୩ ଘଟଣା ସାମ୍‍ନାକୁ ଆସିଲାଣି।

ଶୁକ୍ରବାର ନୂଆପଲ୍ଲୀ ଥାନା ଅଧୀନ ସାଲିଆସାହିରୁ ୬୫୦୦ ଟଙ୍କାରେ ବିକ୍ରି କରିଦେଇଥିବା ଏକ ୩ ମାସର ଶିଶୁପୁତ୍ର ଉଦ୍ଧାର କରାଯାଇଥିଲା। ସାଲିଆସାହି ଗଣପତିନଗର ବସ୍ତିରେ ରହୁଥିବା ଶିଶୁପୁତ୍ରର ମାଆ ବିଧବା। ସେ ପର ଘରେ କାମ କରି ଚଳନ୍ତି। ପୂର୍ବରୁ ଏକ କୁନି ଝିଅ ରହିଛି। ତେଣୁ ଅଭାବ ଓ ଅନାଟନ ଦୂର ହେବା ସହ ବିଧବା ମହିଳାଙ୍କୁ ଦିଲ୍ଲୀର ଜଣେ ବ୍ୟବସାୟୀଙ୍କୁ ବିବାହ କରାଇଦେବାର ପ୍ରଲୋଭନ ଦେଖାଇଥିଲେ। ତେବେ ଚାଇଲ୍ଡଲାଇନ୍‍ ଓ ପୁଲିସ ଶିଶୁପୁତ୍ରକୁ ଉଦ୍ଧାର କରିବା ସହ ଘଟଣାର ଅନୁସନ୍ଧାନ କରୁଛି। ଗତ ଜୁନ୍‍ ୧୯ରେ ଖାରବେଳନଗର ଥାନା ଅଞ୍ଚଳରେ ୧୦ ହଜାର ଟଙ୍କାରେ ଶିଶୁପୁତ୍ରକୁ ବିକ୍ରି କରିଦେଇଥିଲେ। ମାଳିସାହିରୁ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଥିଲା। ୬ ଦିନର ଶିଶୁପୁତ୍ରକୁ ୧୦ ହଜାର ଟଙ୍କାରେ ଯାଯାବର ଶ୍ରେଣୀର ଜଣେ ବ୍ୟକ୍ତି ବିକ୍ରି କରିଦଇଥିଲେ। ସେହିପରି ଖାରବେଳନଗର ଥାନା ଅଞ୍ଚଳରେ ୨ ବର୍ଷର ଶିଶୁପୁତ୍ରକୁ ୧୦ ହଜାର ଟଙ୍କାରେ ବିକ୍ରି କରିଦିଆଯାଇଥିଲା। ଉକ୍ତ ଶିଶୁର ବାପା ଚୋରି ମାମଲାରେ ଗିରଫ ହୋଇ ଜେଲ୍‍ରେ ଥିବା ସମୟରେ ସ୍ତ୍ରୀ ପଶ୍ଚିମବଙ୍ଗର ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ଶିଶୁ ପୁତ୍ରକୁ ବିକ୍ରି କରି ଦେଇଥିଲେ। ପୁଲିସ ଏହି ଘଟଣାକୁ ଗୁରୁତର ସହ ନେଇ ଶିଶୁପୁତ୍ରକୁ ପଶ୍ଚିମବଙ୍ଗରୁ ଉଦ୍ଧାର କରିଥିଲା।

ଏନେଇ ଚାଇଲ୍ଡଲାଇନ୍‍ ନିର୍ଦ୍ଦେଶକ ବେଣୁଧର ସେନାପତି କହିଛନ୍ତି, ରାଜ୍ୟ ସରକାର ସନ୍ତାନ ଗ୍ରହଣ କରିବା ଲାଗି ଯୋଜନା କରିଛନ୍ତି। କିନ୍ତୁ ପ୍ରଚାର ଓ ପ୍ରସାର ଅଭାବ ଯୋଗୁଁ ବେଆଇନ୍‍ ଭାବେ ଶିଶୁଙ୍କୁ ପୌଷ୍ୟ ଭାବେ ହସ୍ତାନ୍ତର କରାଯାଉଛି। ବିଶେଷକରି କରୋନା ସମୟରେ ଗରିବ ଲୋକ ଦାରିଦ୍ର୍ୟତା ଭିତରେ ବଞ୍ଚିଛନ୍ତି। ସେମାନେ ପିଲାଙ୍କୁ ବିକ୍ରି କରି ଅର୍ଥ ଆଣୁଛନ୍ତି। କିନ୍ତୁ କିଶୋର ନ୍ୟାୟ ଆଇନ୍‍ ୮୦ ଅନୁସାରେ ବେଆଇନ୍‍ ପୋଷ୍ୟ ସନ୍ତାନ ଗ୍ରହଣ ଏକ ଧର୍ତ୍ତବ୍ୟ ଅପରାଧ। ଯଦି ସାଧାରଣଲୋକ ପିଲାଙ୍କୁ ହସ୍ତାନ୍ତର କରିବାକୁ ଚାହାନ୍ତି; ସେମାନେ ନିକଟସ୍ଥ ଚାଇଲ୍ଡଲାଇନ୍‍ କିମ୍ବା ୧୦୯୮କୁ ଫୋନ୍‍ କରି ପିଲାଙ୍କୁ ହସ୍ତାନ୍ତର କରିପାରିବେ ବୋଲି ସେ ସୂଚନା ଦେଇଛନ୍ତି।

୧୧୧୪ ଶିଶୁ ନିଖୋଜ; ୫୨୯ ଉଦ୍ଧାର
ରାଜଧାନୀରେ ୨୦୧୪ରୁ ଏବେ ଯାଏଁ ଅର୍ଥାତ୍‍ ୭ ବର୍ଷ ଭିତରେ ୧୧୧୪ ଶିଶୁ ନିଖୋଜ ଥିବା ଚାଇଲ୍ଡଲାଇନ୍‍ ପୋର୍ଟାଲରେ ପଞ୍ଜିକୃତ ହୋଇଛି। ସେଥିମଧ୍ୟରୁ ୫୨୯ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର କରାଯାଇଥିବା ୫୨୯ ଜଣ ଶିଶୁଙ୍କ ମଧ୍ୟରୁ ୪୨୨ ଜଣ ଶିଶୁ ଚାଇଲ୍ଡଲାଇନ୍‍ ପୋର୍ଟାଲରେ ପଞ୍ଜିକୃତ ହୋଇଥିଲେ। ଆଉ ବଳକା ଶିଶୁ ବିଭିନ୍ନ ସମୟରେ ନିଖୋଜ ହୋଇଥିଲେ ମଧ୍ୟ ସେମାନଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରି ନ ଥିଲେ।

Leave a comment