ପୈତୃକ ସଂପତ୍ତି ଉପରେ ରହିବ ଲିଭ୍ ଇନ ରିଲେସନଶିପରେ ଜନ୍ମିତ ସନ୍ତାନର ଅଧିକାର, ମହିଳା-ପୁରୁଷ ଏକାଠି ରହିଲେ ଏହା ବିବାହ ଭଳି ଅଟେ

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଜଣେ ପୁଅ ଓ ଝିଅ ନିଜ ପସନ୍ଦର ପିଲାଙ୍କ ସହ ଏକାଠି ରହିବା ପାଇଁ ପସନ୍ଦ କରୁଛନ୍ତି । ବିବାହ ପୂର୍ବରୁ ଉଭୟ ‘ଲିଭ୍‌ ଇନ୍‌’ ରେ ରହୁଛନ୍ତି । ତେବେ ଏହା ଆଜିକା ସମୟରେ ଏକ ପ୍ରକାରର ଫ୍ୟାସନ ହୋଇପଡିଥିବା ବେଳେ, ଏହାକୁ ନେଇ ମାନ୍ୟବର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଯଦି ଜଣେ ପୁରୁଷ ଏବଂ ଜଣେ ମହିଳା ଦୀର୍ଘ ସମୟ ଧରି ଏକାଠି ରୁହନ୍ତି, ତେବେ ଆଇନ ଅନୁଯାୟୀ ଏହାକୁ ବିବାହ ଭଳି ଧରାଯିବ ଏବଂ ସେମାନଙ୍କଠୁ ଜନ୍ମିତ ସନ୍ତାନ ପୈତୃକ ସମ୍ପତ୍ତିରେ ଭାଗରୁ ବଞ୍ଚିତ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଆଜି ସୁପ୍ରିମକୋର୍ଟ କେରଳ ହାଇକୋର୍ଟର ଏକ ରାୟକୁ ଖାରଜ କରିବା ସହ ଏହି ରାୟ ଦେଇଛନ୍ତି। ନିକଟରେ ବିବାହ ନକରି ଦୀର୍ଘ ଦିନ ଏକାଠି ରହୁଥିବା ଜଣେ ପୁରୁଷ ଓ ମହିଳାଙ୍କ ସନ୍ତାନ ପୈତୃକ ସମ୍ପତ୍ତିରେ ଅଂଶୀଦାର ହେବାର ଅଧିକାର ନାହିଁ ବୋଲି କେରଳ ହାଇକୋର୍ଟ ରାୟ ଶୁଣାଇଥିଲେ। କେରଳ ହାଇକୋର୍ଟ ତାଙ୍କ ଆଦେଶରେ କହିଥିଲେ ଯେ ବିବାହର ପ୍ରମାଣ ଅଭାବରୁ ଦୀର୍ଘ ଦିନ ଧରି ଏକାଠି ରହୁଥିବା ଜଣେ ପୁରୁଷ ଓ ମହିଳାଙ୍କ ଅବୈଧ ପୁତ୍ର ପୈତୃକ ସମ୍ପତ୍ତି ଅଧିକାର ପାଇବାକୁ ଯୋଗ୍ୟ ନୁହଁନ୍ତି। ତେବେ ଏହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଜଣେ ପୁରୁଷ ଏବଂ ସ୍ତ୍ରୀ ଦୀର୍ଘ ଦିନ ଧରି ସ୍ୱାମୀ-ସ୍ତ୍ରୀ ଭାବରେ ଏକାଠି ରହିଥା’ନ୍ତି, ତେବେ ସେମାନେ ବିବାହିତ ବୋଲି ଧରାଯିବ ।

ଜଷ୍ଟିସ ଏସ ଅବଦୁଲ ନାଜିର ଏବଂ ଜଷ୍ଟିସ ବିକ୍ରମ ନାଥଙ୍କ ଏକ ବେଞ୍ଚ କହିଛନ୍ତି, ଯଦି ଜଣେ ପୁରୁଷ ଏବଂ ମହିଳା ଦୀର୍ଘ ଦିନ ଧରି ସ୍ବାମୀ-ସ୍ତ୍ରୀ ଭାବରେ ଏକାଠି ରହନ୍ତି। ତେବେ ଏହାକୁ ବିବାହ ଭଳି ବିବେଚନା କରାଯିବ। ଏହି ଆଧାରରେ ତାଙ୍କ ପିଲାଙ୍କ ପୈତୃକ ସଂପତ୍ତି ଉପରେ ଅଧିକାର ରହିବ । ଆଇନର ଧାରା ୧୧୪ ଅନୁଯାୟୀ ଏଭଳି ସୂଚନା ଦିଆଯାଇପାରିବ। କୋର୍ଟ ଏହା ମଧ୍ୟ କହିଛନ୍ତି, ଏହି ଅନୁମାନକୁ ଖଣ୍ଡନ କରାଯାଇ ପାରିବ, ମାତ୍ର ଏଥିପାଇଁ ପ୍ରମାଣିତ କରିବାକୁ ହେବ ଯେ, ଦୁହେଁ ଦୀର୍ଘ ସମୟ ଏକାଠି ରହିଥିଲେ ବି ପରସ୍ପରକୁ ବିବାହ କରି ନାହାନ୍ତି ।

ସୂଚନାଯୋଗ୍ୟ  କେରଳର ଏର୍ଣ୍ଣାକୁଲମରେ ଏକ ମାମଲାକୁ ନେଇ କେରଳ ହାଇକୋର୍ଟର ୨୦୦୯ ର ଏକ ରାୟ ବିରୁଦ୍ଧରେ ନିଷ୍ପତ୍ତି ନିଆଯାଇଛି । ଯାହା ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ଦୀର୍ଘ ସମ୍ପର୍କ ମଧ୍ୟରେ ଜନ୍ମିତ ଉତ୍ତରାଧିକାରୀଙ୍କୁ ପୈତୃକ ସମ୍ପତ୍ତି ମିଳିବ ନାହିଁ ବୋଲି କୁହାଯାଇଥିଲା । ହାଇକୋର୍ଟଙ୍କ ମତରେ ଯେ ଯଦି ମହିଳା-ପୁରୁଷ ଜଣେ ଅବୈଧ ସନ୍ତାନକୁ ଜନ୍ମ କରନ୍ତି, ତେବେ ତାଙ୍କର ସେହି ସନ୍ତାନ ପୈତୃକ ସମ୍ପତ୍ତିରେ ଅଧିକାର ପାଇବେ ନାହିଁ। ୨୦୦୯ କେରଳ ହାଇକୋର୍ଟ ଦେଇଥିବା ଫଇସଲାକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ଶୁଣାଣି କରି ଏପରି ନିଷ୍ପତ୍ତି ଶୁଣାଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ।

Leave a comment