ଆଇନକୁ ହାତକୁ ନିଅନ୍ତୁ ନାହିଁ, ଧାରଣାରୁ କ୍ଷାନ୍ତ ରୁହନ୍ତୁ: ଆନ୍ଦୋଳନରୁ ଓହରିବା ପାଇଁ ଡ୍ରାଇଭର ସଂଘକୁ ମୁଖ୍ୟ ଶାସନ ସଚିବଙ୍କ ଅପିଲ୍

ଭୁବନେଶ୍ୱର: ଆଇନକୁ ହାତକୁ ନିଅନ୍ତୁ ନାହିଁ, ଧାରଣାରୁ କ୍ଷାନ୍ତ ରୁହନ୍ତୁ । ଆନ୍ଦୋଳନରୁ ଓହରିବା ପାଇଁ ଡ୍ରାଇଭର ସଂଘକୁ ଏପରି ଅପିଲ୍ କରିଛନ୍ତି ମୁଖ୍ୟ ଶାସନ ସଚିବ । ଡ୍ରାଇଭରମାନଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟବାସୀ ଅସୁବିଧା ଭୋଗିଛନ୍ତି । ଆନ୍ଦୋଳନ ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ତାଙ୍କର କର୍ମକର୍ତ୍ତାଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ହୋଇଛି । ଡ୍ରାଇଭରମାନଙ୍କ ଦାବି ସମ୍ପର୍କରେ ବିଚାର କରାଯିବା ପାଇଁ ସହୃଦୟତାର ସହିତ ପ୍ରତିଶ୍ରୁତି ଦିଆଯାଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଡ୍ରାଇଭର ସଂଘକୁ ନିବେଦନ କରି କହିଛନ୍ତି ଯେ ଆଇନକୁ ହାତକୁ ନିଅନ୍ତୁ ନାହିଁ, ଧାରଣାରୁ କ୍ଷାନ୍ତ ରୁହନ୍ତୁ ।
ପ୍ରଦୀପ ଜେନା ଆହୁରି ମଧ୍ୟ କହିଛନ୍ତି କି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟକ୍ରମେ ଆମେ କହିଥିଲୁ ଯେ, ୩ ମାସ ମଧ୍ୟରେ ସମାଧାନ କରିବୁ । ଏ ସମ୍ପର୍କରେ ଲିଖିତ ପ୍ରତିଶ୍ରୁତି ମଧ୍ୟ ଦିଆଯାଇଛି । ଏହାପରେ ଡ୍ରାଇଭର ମହାସଂଘ ପକ୍ଷରୁ ଆମକୁ ପ୍ରତିଶ୍ରୁତି ଦିଆଯାଇଥିଲା ଯେ ୧ ଘଣ୍ଟା ମଧ୍ୟରେ ସକରାତ୍ମକ ନିଷ୍ପତ୍ତି ଜଣାଇବେ । କିନ୍ତୁ ଆଜି ମଧ୍ୟ କିଛି ସ୍ଥାନରେ ଧର୍ମଘଟ ଚାଲୁ ରହିଛି । ଆଲୋଚନା ସକରାତ୍ମକ ପରେ ବି ଧାରଣା ଦେବା ଠିକ୍ ନୁହେଁ ।
ଡିଜିପି ସୁନୀଲ ବଂଶଲଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି ଯେ, ଆନ୍ଦୋଳନରେ ଏବେ ଅଣଡ୍ରାଇଭର ପଶି ହିଂସା ପ୍ରଦର୍ଶନ କରୁଛନ୍ତି । ଏଥିପ୍ରତି ଡ୍ରାଇଭର ମହାସଂଘ ଦୃଷ୍ଟି ଦେବା ଦରକାର । ଦେଶର ୩ଟି ରାଜ୍ୟ ଡ୍ରାଇଭରଙ୍କ ପାଇଁ କିଛି ବ୍ୟବସ୍ଥା କରିଛନ୍ତି । ଓଡ଼ିଶା ସରକାର ମଧ୍ୟ ଦାବି ପୂରଣର ପ୍ରତିଶ୍ରୁତି ଦେଇଛନ୍ତି । ଡ୍ରାଇଭରମାନେ ଧର୍ମଘଟରୁ ଓହରି ଯାଆନ୍ତୁ ବୋଲି ଅପିଲ କରିଛନ୍ତି ମୁଖ୍ୟ ଶାସନ ସଚିବ ।