ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବନ୍ୟା ସ୍ଥିତି ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା : ଆଗାମୀ ଲଘୁଚାପ ବର୍ଷା ପରିପ୍ରେକ୍ଷୀରେ ହୀରାକୁଦ ଜଳଭଣ୍ଡାର ପରିଚାଳନା ପାଇଁ ନିଷ୍ପତ୍ତି

ଭୁବନେଶ୍ୱର : ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ରାଜ୍ୟର ବନ୍ୟା ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା, ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟର ନଦୀଗୁଡ଼ିକର ଜଳପ୍ରବାହର ସ୍ଥିତି ସଂପର୍କରେ ଜଳସଂପଦ ବିଭାଗର ବରିଷ୍ଠ ଯନ୍ତ୍ରୀମାନଙ୍କ ସହ ଶ୍ରୀ ମହାପାତ୍ର ଆଲୋଚନା କରିଥିଲେ ଏବଂ ଆଗମୀ ଲଘୁଚାପ ବର୍ଷାକୁ ଆଖି ଆଗରେ ରଖି ହୀରାକୁଦର ଗେଟ୍‌ ପରିଚାଳନା କରିବା ନିମନ୍ତେ ପରାମର୍ଶ ଦେଇଥିଲେ ।

ଚଳିତ ବନ୍ୟା ସମ୍ପର୍କରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା କହିଥିଲେ ଯେ ମହାନଦୀର ବନ୍ୟା ଜଳସ୍ତର ଗତକାଲିଠାରୁ କ୍ରମଶଃ ହ୍ରାସ ପାଉଅଛି । ହୀରାକୁଦରେ ଏବେ ୨୮ଟି ଗେଟ୍‌ ଖୋଲା ରହିଛି । ଆଜି ଅପରାହ୍ନ ସୁଦ୍ଧା ହୀରାକୁଦର ଜଳସ୍ତର ବର୍ତ୍ତମାନ ୬୨୩.୯୧ ଫୁଟ୍‌ ରହିଥିଲା।  ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୨୪ ହଜାର ୭୮୬ କ୍ୟୂସେକ୍‌ ଜଳ ପ୍ରବେଶ କରୁଅଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୫ ଲକ୍ଷ ୪୫ ହଜାର ୪୭୧ କ୍ୟୂସେକ୍‌ ଜଳ ନିଷ୍କାସିିତ ହେଉଅଛି । ଖଇରମାଳଠାରେ ୮ ଲକ୍ଷ ୬୦ ହଜାର କ୍ୟୂସେକ୍‌ ଜଳ ପ୍ରବାହିତ ହେଉଅଛି । ବଡମୂଳଠାରେ ୮ ଲକ୍ଷ ୬୭ ହଜାର ୫୦୦ କ୍ୟୂସେକ୍‌ ଜଳ ପ୍ରବାହିତ ହେଉଅଛି । ମୁଣ୍ଡଳୀଠାରେ ୧୦ ଲକ୍ଷ ୧୦ ହଜାର ୫୨୫ କ୍ୟୂସେକ୍‌ ଜଳ ପ୍ରବାହିତ ହେଉଅଛି । ମୁଣ୍ଡଳୀଠାରେ ଜଳସ୍ତର କ୍ରମଶଃ ହ୍ରାସ ପାଉଅଛି ।

ଆଗାମୀ ୧୯ ଓ ୨୦ ତାରିଖରେ ହେବାକୁ ଥିବା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛନ୍ତି । ଏହି ଲଘୁଚାପର ପ୍ରଭାବରେ ସମ୍ଭାବ୍ୟ ବୃଷ୍ଟିପାତକୁ ନଜରରେ ରଖି ହୀରାକୁଦ ଜଳଭଣ୍ଡାରରୁ ପର୍ଯ୍ୟାୟକ୍ରମେ ଗେଟ୍‌ ବନ୍ଦ କରାଯିବ ।

ପ୍ରାଥମିକ ସୂଚନା ଅନୁଯାୟୀ ବନ୍ୟା ଯୋଗୁଁ ୧୩ଟି ଜିଲ୍ଲାର ୭୧ଟି ବ୍ଲକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଥିରେ ୨୦୬୬ଟି ଗ୍ରାମ ପ୍ରଭାବିତ ହୋଇଛି । ବନ୍ୟାରେ ୪୭୦ ଟି ଗ୍ରାମ ଜଳଘେରରେ ରହିଥିବାବେଳେ ୨ ଲକ୍ଷ ୫୫ ହଜାର ୩୨୫ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ଏବଂ ପ୍ରାୟ ୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଏହି ସବୁ ଅଞ୍ଚଳରେ ୧୯୦ ଟି ରିଲିଫ୍‌ କେନ୍ଦ୍ରରେ ୧ ଲକ୍ଷ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ୯୦ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ବନ୍ୟା ଓ ପ୍ରବଳ ବୃଷ୍ଟିପାତ ଦ୍ୱାରା ଅନେକ ବାସଗୃହ କ୍ଷତିଗ୍ରସ୍ତ ହେବା ସହିତ ବହୁତ ଚାଷ ଜମି ଜଳମଗ୍ନ ହୋଇଅଛି ।

ପ୍ରଭାବିତ ଲୋକମାନଙ୍କୁ ଆବଶ୍ୟକୟ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଅଛି । ୧୧ ଟି ଏନ୍‌ଡିଆର୍‌ଏଫ୍‌, ୧୨ ଟି ଓଡ୍ରାଫ୍‌ ଏବଂ ୫୨ ଟି ଅତିରିକ୍ତ ଅଗ୍ନିଶମ ସେବା ବାହିନୀ ରିଲିଫ୍‌ ଓ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହୋଇଛନ୍ତି । ପ୍ରଭାବିତ ଅଞ୍ଚଳରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ୧୦ ଟି ଭ୍ରାମ୍ୟମାଣ ଆର୍‌ଓ ୱାଟର ପ୍ଲାଣ୍ଟ ଜରିଆରେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯାଉଅଛି । ସେହିପରି ପ୍ରଭାବିତ ଗୋରୁଗାଈମାନଙ୍କୁ ଆବଶ୍ୟକୀୟ ଗୋଖାଦ୍ୟ ଯୋଗାଇ ଦିଆଯାଉଅଛି ।

ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଓ ପଶୁଚିକିତ୍ସାକୁ ତ୍ୱରାନ୍ୱିତ କରାଯାଇଛି । ଜଳସଂପଦ ବିଭାଗର ମୁଖ୍ୟଯନ୍ତ୍ରୀମାନେ ପ୍ରଭାବିତ ଅଞ୍ଚଳରେ ଅବସ୍ଥାନ କରି ନଦୀ ବନ୍ଧର ସୁରକ୍ଷା ତଥା ମରାମତି କାର୍ୟ୍ୟ ତ୍ୱରାନ୍ୱିତ କରୁଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ, ନିୟମିତ ଭାବେ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ସହ ଯୋଗାଯୋଗ କରି ବନ୍ୟା ପରିସ୍ଥିତି ସମୀକ୍ଷା କରୁଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାକୁ ବନ୍ୟା ପରିଚାଳନାରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ପାଇଁ ପଠାଇଛନ୍ତି ।

ଏସ୍‌ଡିଆର୍‌ଏଫ୍‌ ଗାଇଡଲାଇନ୍‌ ଅନୁସାରେ ଜିଲ୍ଲାପାଳମାନେ ଘରୋଇ ଡଙ୍ଗା ଭଡାରେ ନେଇ ଜଳ ଘେରରେ ଥିବା ଲୋକମାନଙ୍କୁ ଉଦ୍ଧାର କରିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଗାମୀ ଲଘୁଚାପ ପ୍ରଭାବରେ ବର୍ଷା ହେବାକୁ ଥିବାବେଳେ ଲୋକମାନଙ୍କୁ ପଲିଥିନ ଯୋଗାଇଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଆଜି ଆକାଶ ମାର୍ଗରୁ କେନ୍ଦ୍ରାପଡା ଜିଲ୍ଲାର ଲୁଣା, ଚିତ୍ରୋତ୍ପଳା ନଦୀର ଦ୍ୱୀପାଞ୍ଚଳ, ମହାନଦୀର ଶାଖା ପାଇକା ନଦୀର ଦ୍ୱୀପାଞ୍ଚଳ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ନାଉଗାଁ ଓ ପୁରୀ ଜିଲ୍ଲାର ଗୋପ, ନିମାପଡା, ଅସ୍ତରଙ୍ଗ, ଡେଲାଙ୍ଗ, ପିପିଲି, କଣାସର ତଳିଆ ଅଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ବନ୍ୟାଞ୍ଚଳରେ ୧୩ ଟି ଜିଲ୍ଲାର ୬୪ ଟି ଭ୍ରାମ୍ୟମାଣ ଡାକ୍ତରୀ ଦଳ ମୁତୟନ କରାଯାଇଥିବାବେଳେ ୨୦୦୦୦ ଓଆର୍‌ଏସ୍‌ ପ୍ୟାକେଟ ଓ ୧ ଲକ୍ଷ ୪୨ ହଜାର ହାଲୋଜିନ୍‌ ବଟିକା ବଣ୍ଟନ କରାଯାଇଛି ।

Leave A Reply

Your email address will not be published.