ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ

ଭୁବନେଶ୍ୱର/ବରଗଡ଼/ପଦ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ପ୍ରତିଶ୍ରୁତି ଦିଅନ୍ତି, ତାହାକୁ ଅଚିରେ ପୂରଣ କରନ୍ତି। ପଦମ୍‌‌ପୁର ଉପନିର୍ବାଚନ ସମୟରେ ୩ଟି ସମାବେଶରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ ଓ ପଦମ୍‌‌ପୁର ଜନସାଧାରଣଙ୍କ ସମସ୍ତ ଦାବି ପୂରଣ କରିବେ ବୋଲି ଘୋଷଣା କରିଥିଲେ। ୨୦୨୪ ନିର୍ବାଚନ ପୂର୍ବରୁ କରାଯାଇଥିବା କାର୍ଯ୍ୟର ତାଲିକା ଧରି ଆସିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ନିର୍ବାଚନର କେଇମାସ ମଧ୍ୟରେ ପଦମ୍‌‌ପୁରବାସୀଙ୍କ ପାଇଁ ଉନ୍ନୟନମୂଳକ କାର୍ଯ୍ୟର ପସରା ଧରି ଆଜି ବରଗଡ଼ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଝାରବନ୍ଧର ଚକ୍ରଧର ଡ଼୍ୟାମ ପୁନରୁଦ୍ଧାର, ୧୩୩/୧୧ ସବ ଷ୍ଟେସନ, ପାଇକମାଳ ଏନ୍‌‌ଏସି, କମ୍ୟୁନିଟି ହେଲ୍‌‌ଥ ସେଣ୍ଟର ଆଦି ବିଭିନ୍ନ ଦାବି ମଧ୍ୟରୁ କିଛି ଇତିମଧ୍ୟରେ ପୂରଣ ହୋଇ ସାରିଛି। ଅବଶିଷ୍ଟ କାର୍ଯ୍ୟଗୁଡ଼ିକ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରାଯାଇଛି।

ଏହି କ୍ରମରେ ପଶ୍ଚିମ ଓଡ଼ିଶାର ବିକାଶକୁ ଅଗ୍ରାଧିକାର ଦେଉଥିବା ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଭେଟିଦେବେ ଓ ଏସ୍‌‌ଏଚ୍‌‌ଜି ସଦସ୍ୟାଙ୍କୁ ସହାୟତା ରାଶି ବଣ୍ଟନ କରିବେ ବୋଲି ସୂଚନା ମିଳିଛି। ଏହା ସହିତ କିଛି ବଡ଼ ଘୋଷଣା ମୁଖ୍ୟମନ୍ତ୍ରୀ ଏହି ଅବସରରେ କରିପାରନ୍ତି ବୋଲି ମଧ୍ୟ କୁହାଯାଉଛି। ପଦମ୍‌‌ପୁର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନିଜେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରିବା ପାଇଁ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଶ୍ରଦ୍ଧା ଉପହାର ସ୍ୱରୂପ ପଦମ୍‌‌ପୁରବାସୀ ବର୍ଷା ସିଂହଙ୍କୁ ବିପୁଳ ଭୋଟରେ ବିଜୟୀ କରିଥିଲେ। ପଦମପୁରବାସୀଙ୍କ ଏହି ଶ୍ରଦ୍ଧାକୁ ମୁଖ୍ୟମନ୍ତ୍ରୀ ଭୂଲି ନାହାନ୍ତି। ପଦମ୍‌‌ପୁରବାସୀଙ୍କୁ କୃତଜ୍ଞତା ଜଣାଇବାକୁ ସେ ସେଠାକୁ ଯିବେ ବୋଲି ଯେଉଁ ଘୋଷଣା କରିଥିଲେ ତାହା ସେ ପୂରଣ କରିବାକୁ ଯାଉଛନ୍ତି।

ଗତ ଅକ୍ଟୋବର ମାସରେ ପଦ୍ମପୁର ନିର୍ବାଚନମଣ୍ଡଳୀକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୪୮୮ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଥିଲେ। ପଦ୍ମପୁର ନିର୍ବାଚନମଣ୍ଡଳୀ ବିଶେଷକରି ବରଗଡ଼ ଜିଲ୍ଲା ତାଙ୍କର ଅତି ନିକଟତର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ନିର୍ବାଚନମଣ୍ଡଳୀରେ ସଡ଼କ, ଯୋଗାଯୋଗ, ପାନୀୟ ଜଳ, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରର ବିକାଶରେ ରାଜ୍ୟ ସରକାର ଅବହେଳା କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ପଦ୍ମପୁରକୁ ରାଜ୍ୟର ଭାତ ହାଣ୍ଡି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଏହି ଅଞ୍ଚଳର ବିକାଶ ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ସେହିପରି ପଦ୍ମପୁର ଜନସାଧାରଣଙ୍କ ଦୀର୍ଘ ଦିନର ଦାବି ଜିଲ୍ଲା ମାନ୍ୟତା ପ୍ରଦାନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏଥିପାଇଁ ସରକାରୀ ପ୍ରକ୍ରିୟା ଚୂଡ଼ାନ୍ତ ହୋଇସାରିଛି।

ପଶ୍ଚିମ ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ଅର୍ଥ ପ୍ରଦାନରେ ଅବହେଳା କରାଯାଉ ନାହିଁ। ଆଉ ଏହି କ୍ରମରେ ଏବେ ବରଗଡ଼ ଜିଲ୍ଲା ସାମିଲ ହୋଇଛି। ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ପୂର୍ବାହ୍ନରେ ପଦ୍ମପୁର ନିର୍ବାଚନମଣ୍ଡଳୀ ଗସ୍ତ କରିବେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ପୂର୍ବାହ୍ନ ୧୧ଟା ସମୟରେ ପଦ୍ମପୁର ସତୀଭଟା ଏୟାରଷ୍ଟ୍ରିପ୍‌‌ରେ ଅବତରଣ ପରେ ଝାରବନ୍ଧ ବ୍ଲକକୁ ଯିବେ। ସେଠାରେ ଶକ୍ତି ଛକରେ ସାଧାରଣ ସଭାରେ ଉଦ୍‌‌ବୋଧନ ଦେବେ। ଏହା ପରେ ମୁଖ୍ୟମନ୍ତ୍ରୀ ଅପରାହ୍ନ ୧୨.୩୦ରେ ପାଇକମାଳ ଏବଂ ୩.୫୫ରେ ପଦ୍ମପୁରରେ ସାଧାରଣ ସଭାରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ମିଶନ୍‌‌ ଶକ୍ତିର ମହିଳାମାନଙ୍କୁ ସହାୟତା ରାଶି ବଣ୍ଟନ କରିବେ।

କାର୍ଯ୍ୟକ୍ରମରେ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆ, ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ରୀତା ସାହୁ, ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମନ୍ତ୍ରୀ ନିରଞ୍ଜନ ପୁଜାରୀ, ଭଟଲି ବିଧାୟକ ସୁଶାନ୍ତ ସିଂ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ଅତାବିରା ବିଧାୟିକା ସ୍ନେହାଙ୍ଗିନି ଛୁରିଆ, ବିଧାୟକ ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ୨୫ ପ୍ଲାଟୁନ୍‌‌ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏଥିସହ ୫ ଜଣ ଏଏସ୍‌‌ଏପି, ୧୬ ଜଣ ଡିଏସ୍‌‌ପି, ୩୨ ଜଣ ଇନ୍ସପେକ୍ଟର, ଶହେ ଏଏସ୍‌‌ଆଇ/ଏସ୍‌‌ଆଇ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବେ ବୋଲି ଏସପି ପ୍ରହଲ୍ଲାଦ ମୀନା ସୂଚନା ଦେଇଛନ୍ତି।

Leave A Reply

Your email address will not be published.