‘ମିଶନ ଶକ୍ତି’ ବିଭାଗକୁ ଶକ୍ତିଶାଳୀ କରିଛି ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନ, ଏକ ବିଶାଳ ବୃକ୍ଷରେ ପରିଣତ ହୋଇଛି କ୍ଷୁଦ୍ର ଚାରା : ସୁଜାତା ଆର.କାର୍ତ୍ତିକେୟନ

୫ ବର୍ଷରେ ପୂରଣ ହେବ ୫୦୦୦ କୋଟି କାରବାର ଲକ୍ଷ୍ୟ

ଭୁବନେଶ୍ୱର : ଦିନ ଥିଲା ମହିଳାମାନେ କାହାର ଝିଅ, କାହାର ଭଉଣୀ, କାହାର ପତ୍ନୀ ଏବଂ କାହାର ମାଆ ପରିଚୟରେ ପରିଚିତି ପାଉଥିଲେ। ମାତ୍ର ସାମ୍ପ୍ରତିକ ସମୟରେ ରାଜ୍ୟର ମହିଳାମାନେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ଏହା ପଛରେ ରହିଛି ‘ମିଶନ ଶକ୍ତି’ର ଗୁରୁତ୍ୱପୂର୍ଣ୍ଣ ଭୂମିକା। ୨୦୦୧ ମାର୍ଚ୍ଚ ୮ ତାରିଖରେ ରୋପଣ ହୋଇଥିବା ଏହି କ୍ଷୁଦ୍ର ଚାରା ଏବେ ଏକ ବିଶାଳ ବୃକ୍ଷରେ ପରିଣତ ହୋଇଛି । ଏହାର ସଫଳତା ଏବେ ଆକାଶଛୁଆଁ ହୋଇଛି । ନେଟୱର୍କ୧୮ ଓଡ଼ିଆ ଦ୍ୱାରା ଆୟୋଜିତ ‘ଆତ୍ମ ନିର୍ଭର ଓଡ଼ିଶା’- ‘ବିଜନେସ୍ ଲିଡରସିପ୍ ଆୱାର୍ଡ’ରେ ଏହା କହିଛନ୍ତି ରାଜ୍ୟ ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ସୁଜାତା ଆର.କାର୍ତ୍ତିକେୟନ।

ଶ୍ରୀମତୀ କାର୍ତ୍ତିକେୟନ କହିଛନ୍ତି ଯେ ଅନ୍ୟ ରାଜ୍ୟରେ ସ୍ୱୟଂ ସହାୟିକା ଗୋଷ୍ଠୀ କାର୍ଯ୍ୟ କରୁଛି। ମାତ୍ର ସମ୍ପୃକ୍ତ ରାଜ୍ୟ ତଥା ଦେଶ ପାଇଁ ‘ମିଶନ ଶକ୍ତି’ କେବଳ ଏକ ଯୋଜନା । ଏ କ୍ଷେତ୍ରରେ ଓଡ଼ିଶା ଭିନ୍ନ, ଏଠାରେ ସ୍ୱୟଂ ସହାୟିକା ଗୋଷ୍ଠୀ ପାଇଁ ସ୍ୱତନ୍ତ୍ର ଭାବରେ ଗଠିତ ମିଶନଶକ୍ତି ବିଭାଗ ଗଠନ ହୋଇଛି। ଏହି ବିଭାଗ ପାଇଁ ସ୍ୱତନ୍ତ୍ର ବଜେଟ୍ ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଗଦର୍ଶନ ଏବଂ ପ୍ରଶାସନିକ ସହାୟତା ବିଭାଗକୁ ଆହୁରି ଶକ୍ତିଶାଳୀ କରିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ମିଶନ ଶକ୍ତି ତଥା ମା’ ମାନଙ୍କ କାର୍ଯ୍ୟ ବଡ଼ି, ପାମ୍ପଡ ଓ ଆଚାରରେ ସୀମିତ ବୋଲି ମନେ କରାଯାଉଥିଲା। ଏବେ ଏମିତି କୌଣସି କ୍ଷେତ୍ର ନାହିଁ, ଯେଉଁଥିରେ ମିଶନ୍ ଶକ୍ତି ମା’ମାନଙ୍କ ସକ୍ରିୟ ଅଂଶଗ୍ରହଣ ରହିନାହିଁ। ପ୍ରତି ଗାଁ, ପଡ଼ା, ପଞ୍ଚାୟତ ଓ ପୁରପଲ୍ଲୀରେ ଜଣେ ଏସ୍ଏଚ୍ଜି ସହାୟିକାଙ୍କୁ ଦେଖିବାକୁ ମିଳୁଛି। ପ୍ରତ୍ୟେକ ପରିବାରରେ ମିଶନଶକ୍ତିର ସଦସ୍ୟା ଅଛନ୍ତି। ମୟୂରଭଞ୍ଜ, କେନ୍ଦୁଝର ଜଙ୍ଗଲ, ଗଞ୍ଜାମର ଆଭ୍ୟନ୍ତର, ମାଲକାନଗିରିର ସ୍ୱାଭିମାନ ଅଞ୍ଚଳ କିମ୍ବା ସୁନ୍ଦରଗଡ଼ର କୋଇଡ଼ା ବ୍ଲକ ଅଞ୍ଚଳରେ ଏସଏଚଜିର ଉପସ୍ଥିତି ରହିଛି। ଏକଦା ଘରେ ରହୁଥିବା ମହିଳାମାନେ ଏବେ ମିଶନଶକ୍ତି ଆନ୍ଦୋଳନର ସ୍ୱର ପାଲଟିଛନ୍ତି ଓ ଅନ୍ୟମାନଙ୍କୁ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଉଛନ୍ତି ବୋଲି ଶ୍ରୀମତୀ କାର୍ତିକେୟନ କହିଛନ୍ତି।

କରୋନା ମୁକାବିଲାରେ ମା’ ମାନଙ୍କ ଭୂମିକାକୁ ଅତ୍ୟନ୍ତ ଭାବପ୍ରବଣତାର ସହ ବର୍ଣ୍ଣନା କରିଛନ୍ତି ସୁଜାତା । ସେ କହିଛନ୍ତି ଯେ ଲକ୍ଡାଉନ୍ ସମୟରେ ନିଜ ସ୍ୱାସ୍ଥ୍ୟ ଓ ନିଜ ପରିବାରର ସ୍ୱାସ୍ଥ୍ୟକୁ ବିଚାର ନ କରି ନିଜ ଗୋଷ୍ଠୀର ଉନ୍ନୟନ କରିବା ପାଇଁ ଏସଏଚଜି ମହିଳାମାନେ ଆଗେଇ ଆସିଥିଲେ। ଘର ଘର ବୁଲି ମାକ୍ସ, ସାନିଟାଇଜର ବାଣ୍ଟିଥିଲେ। ମାଗଣା ରୋଷେଇଶାଳା ଦ୍ୱାରା ଆହାର ପ୍ରଦାନ କରିଥିଲେ। ରାଜ୍ୟ ଫେରନ୍ତା ପ୍ରବାସୀମାନଙ୍କର ଯତ୍ନ ନେଇଥିଲେ। ମା’ମାନଙ୍କ ଏହି ଅବଦାନ ପାଇଁ କୋଭିଡ ପରିଚାଳନାରେ ଓଡ଼ିଶା ପରବର୍ତ୍ତୀ ସମୟରେ ବିଭିନ୍ନ ଫୋରମରେ ଉଚ୍ଚ ପ୍ରଶଂସିତ ହୋଇଥିଲା। ନିକଟରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମିଶନ ଶକ୍ତି ମା’ମାନଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ୩୦ ଲକ୍ଷ ପତାକା ପ୍ରସ୍ତୁତ କରି ସ୍ଥାନୀୟ ଜିଲ୍ଲାପାଳଙ୍କ ଅଫିସରେ ଦାଖଲ କରିଥିଲେ।

ନଭେମ୍ବରରେ ରାଜଧାନୀ ଭୁବନେଶ୍ୱରରେ ମିଶନ୍ ଶକ୍ତି ବଜାର ଖୋଲିବାକୁ ଯାଉଛି। ଏହା ସବୁ ସମୟରେ ସବୁ ପ୍ରକାର ଦ୍ରବ୍ୟ ଉପଲବ୍ଧ କରାଇବ। ତୃଣମୂଳ ସ୍ତରରେ ଯେପରି ମିଶନ୍ ଶକ୍ତି ଫେଡେରେସନ କାର୍ଯ୍ୟ କରୁଛି। ରାଜ୍ୟସ୍ତରରେ ମଧ୍ୟ ସେହିପରି ଫେଡେରେସନ ହେବାକୁ ଯାଉଛି। ମୟୂରଭଞ୍ଜର ମା’ ମାନଙ୍କ ଦ୍ୱାରା ପ୍ରସ୍ତୁତ ସବାଇ ଘାସ ସାମଗ୍ରୀ କିପରି ଭାବେ ବ୍ୟବସ୍ଥିତ ଢଙ୍ଗରେ ଲଣ୍ଡନ, ଟୋକିଓ ଆଦିରେ ବିକ୍ରି ହୋଇପାରିବ ତାହାର ବ୍ୟବସ୍ଥା କରାଯାଉଛି। ୫ ବର୍ଷରେ ୫୦୦୦ କୋଟିର ଯେଉଁ କାରବାର ଲକ୍ଷ୍ୟ ରଖାଯାଇଛି, ତାହା ନିଶ୍ଚୟ ପୂରଣ ହେବ।

ଛତୁଆ ଓ ଅନ୍ୟାନ୍ୟ ଦ୍ରବ୍ୟ ପ୍ରସ୍ତୁତି, ବିଜୁଳି ଦେୟ ଆଦାୟ, ବ୍ୟାଙ୍କିଙ୍ଗ୍ ସହାୟତା, ମଧ୍ୟାହ୍ନ ଭୋଜନ ଆଦି ଯୋଜନାରେ ଏସଏଚଜି ମହିଳାଙ୍କ ସକ୍ରିୟ ଅଂଶଗ୍ରହଣ ଉପରୋକ୍ତ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ । ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ଯୋଜନା , ମମତା ହେଉ କି ସୁଦକ୍ଷା ସବୁ ଯୋଜନାରେ ମହିଳାଙ୍କ ସକ୍ରିୟ ଅଂଶଗ୍ରହଣ ରହିଛି। ପଞ୍ଚାୟତ ପୋଖରୀ ପରିଚାଳନା, ଧାନମଣ୍ଡି ପରିଚାଳନା ମଧ୍ୟ ଦକ୍ଷତାର ସହ ମହିଳାମାନେ ସମ୍ପାଦନ କରି ପାରୁଛନ୍ତି ବୋଲି ଶ୍ରୀମତୀ କାର୍ତ୍ତିକେୟନ କହିଛନ୍ତି ।

Leave a comment