ଆଜି ସନ୍ଧ୍ୟାରେ କୋଭିଡ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ, ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ କରିବେ ଆଲୋଚନା

ଭୁବନେଶ୍ବର : ରାଜ୍ୟରେ କୋଭିଡ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସନ୍ଧ୍ୟା ୫ଟାରେ ରାଜ୍ୟରେ କୋଭିଡ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ବର୍ତ୍ତମାନ ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ରୁ ୧୧ ହଜାର ଉପରେ ରହୁଛି। ଯାହାକି ଚିନ୍ତାର ବିଷୟ ପାଲଟିଛି। ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ ମଧ୍ୟ ଆକଳନ କରି କହିଛନ୍ତି ରାଜ୍ୟର ଦୈନିକ ସଂକ୍ରମଣ ଆହୁରି ବଢିବ। ତେବେ କରୋନା ସଂକ୍ରମଣ ଗ୍ରାଫକୁ କମ୍ କରିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ କିଛି ଦିନ ତଳେ ରାଜ୍ୟର କୋଭିଡ ସ୍ଥିତିର ସମୀକ୍ଷା କରିଥିବା ବେଳେ ଆଜି ପୁଣିଥରେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସହ ଅଲୋଚନା କରିବେ। ରାଜ୍ୟରେ କରୋନାର ବର୍ତ୍ତମାନର ସ୍ଥିତି ଏବଂ ଆଗକୁ କଣ ରହିବ ସ୍ଥିତି ସେସବୁ ବିଷୟରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ ।

ସୂଚନାଯୋଗ୍ୟ  ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧୦୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ଏବେ ଯାଏଁ ମୋଟ୍ ୧୧୫୫୪୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୦୯୧୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୬୬୦୩୨ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୬୭୭୨୫୬୧ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Leave a comment