ପୁରୀରେ ମୁଖ୍ୟମନ୍ତ୍ରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ବୁଲି ଦେଖିବା ସହ, ରଥଯାତ୍ରାରେ ହେବେ ସାମିଲ

ଭୁବନେଶ୍ୱର: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଭକ୍ତିମୟ ବଡଦାଣ୍ଡ । ଜଗାପ୍ରେମରେ ପାଗଳ ଶ୍ରଦ୍ଧାଳୁ । ଘଣ୍ଟ, ଶଙ୍ଖ, ମୃଦଙ୍ଗ ତାଳରେ ମୁଖରିତ ଶରଧାବାଲି । ଦୁଇ ବର୍ଷ ପରେ ବଡଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମିଳନ ହେଉଥିବାରୁ ପ୍ରବଳ ଗହଳି ହୋଇଛି। ଏହାରି ମଧ୍ୟରେ ପୁରୀରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।


ଗୋଟିଏ ପଟେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଅନ୍ୟପକ୍ଷରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଜୋର୍‌ସୋର୍‌ରେ ଆଗେଇ ଚାଲିଛି । ଦକ୍ଷିଣ ଦ୍ୱାର ପଞ୍ଜାବୀ ମଠ ନିକଟରେ ପ୍ରକଳ୍ପର କିଛି ଅଂଶ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ନିର୍ମାଣ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଆଜି ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି । ଏନେଇ ସେ ପ୍ରକଳ୍ପ ଅଧିକାରୀଙ୍କ ସହ ଆଲୋଚନା କରିବାର ସୂଚନା ଦିଆଯାଇଛି । ପ୍ରକଳ୍ପ ଅଞ୍ଚଳକୁ ରଙ୍ଗ ବେରଙ୍ଗ ଗଛରେ ସଜାଯାଇଥିବାବେଳେ ଆଲୋକୀକରଣ ମଧ୍ୟ କରାଯାଇଛି । ସମ୍ପୂର୍ଣ୍ଣ ଉକ୍ରଳୀୟ ଢାଞ୍ଚାରେ ଖଣ୍ଡୋଲାଇଟ୍‌ ପଥରରେ କାମ କରାଯାଇଛି । ଏହା ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଉଥିବାରୁ ଏହି ସ୍ଥାନ ସମସ୍ତଙ୍କୁ ବିମୋହିତ କରୁଛି । ଦକ୍ଷିଣ ଦ୍ୱାର ପଞ୍ଜାବୀ ମଠ ନିକଟରେ ପ୍ରକଳ୍ପ କାର୍ଯ୍ୟ ଦେଖିବା ପରେ ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କ ରଥଯାତ୍ରା ଦେଖିବେ।

Leave a comment