ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୩୭୮ ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ: ତୃଣମୂଳସ୍ତରରେ ସରକାରୀ ଯୋଜନା ପହଞ୍ଚିବା ଜରୁରୀ- ମୁଖ୍ୟମନ୍ତ୍ରୀ

ଲକ୍ଷ୍ୟ ହେଉ ଓଡ଼ିଶାର ସାମଗ୍ରିକ ବିକାଶ

ଭୁବନେଶ୍ୱର: ଓଡ଼ିଶାର ସାମଗ୍ରିକ ବିକାଶ ହେଉଛି ରାଜ୍ୟ ସରକାରଙ୍କ ପ୍ରମୁଖ ଉଦ୍ଦେଶ୍ୟ । ଟିମ୍‌ ୱାର୍କ, ଟେକ୍‌ନୋଲୋଜି, ଟାଇମ୍‌, ଟ୍ରାନ୍ସପରେନ୍ସି, ଟ୍ରାନ୍ସଫରମେସନ ଆଦି ‘୫-ଟି’ ଏହାର ପ୍ରମୁଖ ମାଧ୍ୟମ । ଏହାକୁ ଆଧାର କରି ଓଡ଼ିଶାର ଶାସନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଅଣାଯାଇଛି । ଓଡ଼ିଶାରେ ନବ ରୂପାନ୍ତରଣ ସୃଷ୍ଟି ହୋଇଛି । ସାମଗ୍ରିକ ବିକାଶ ଉଦ୍ଦେଶ୍ୟକୁ ସୁନିଶ୍ଚିିତିକରଣ କରାଯାଉଛି । ତେଣୁ ୫-ଟିକୁ ନିଜ କାର୍ଯ୍ୟକ୍ଷେତ୍ରରେ ସୁନିଶ୍ଚିତ କରିବା ଓ ଏହାର ସଫଳ କାର୍ଯ୍ୟାନ୍ୱୟନ କରି ରାଜ୍ୟ ଓ ରାଜ୍ୟବାସୀଙ୍କ ଉନ୍ନତିକଳ୍ପେ କାର୍ଯ୍ୟ କରିବାକୁ ନବନିଯୁକ୍ତ ପ୍ରଶାସନିକ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସ୍ଥାନୀୟ ଲୋକସେବା ଭବନରେ ଅନୁଷ୍ଠିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ୨୦୨୦ ବର୍ଷରେ ନିଯୁକ୍ତି ପାଇଥିବା ବିଭିନ୍ନ ବର୍ଗର ୩୭୮ଜଣ ଅଧିକାରୀଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ସମାଜର ଅନଗ୍ରସର ବର୍ଗ ଓ ସାଧାରଣ ଲୋକଙ୍କ ସେବା ପାଇଁ ସରକାରୀ ଚାକିରି ଏକ ସ୍ୱର୍ଣ୍ଣିମ ଅବସର । ଅଧିକାରୀଙ୍କ ଉପରେ ସାଧାରଣ ଲୋକଙ୍କ ଅନେକ ଆଶା ଓ ଭରସା ଥାଏ । ତେଣୁ ନିଷ୍ଠାର ସହ ସେମାନଙ୍କ ଆଶା ପୂରଣ ପାଇଁ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଯୁବ, ଦକ୍ଷ ଓ ବୈଷୟିକ କ୍ଷେତ୍ରରେ ଉକ୍ରର୍ଷତା ରଖିଥିବା ଅଧିକାରୀଙ୍କ ଦ୍ୱାରା ନୂଆ ଓ ସଶକ୍ତ ଓଡ଼ିଶାର ସ୍ୱପ୍ନ ପୂରଣ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖକରି କହିଛନ୍ତି ଯେ ଗଣତନ୍ତ୍ରରେ ସାଧାରଣ ଲୋକମାନେ ହେଉଛନ୍ତି ପ୍ରକୃତ ମାଲିକ, ସେମାନଙ୍କୁ ସର୍ବୋତ୍‌କୃଷ୍ଟ ସେବା ଯୋଗାଇବା ପାଇଁ ଆମେ ଏହି ସ୍ଥାନରେ ରହିଛନ୍ତି । ତେଣୁ ସେବା ପ୍ରତି ସର୍ବଦା ବ୍ରତୀ ହେବା ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଅଭିନବ ଯୋଜନା ଉକ୍ରର୍ଷତା ହାସଲ କରିଛି। ବିପର୍ଯ୍ୟୟ ପରିଚାଳନା ଓ ଏ କ୍ଷେତ୍ରରେ ରାଜ୍ୟର ଭିତ୍ତିଭୂମି ବିକାଶ, ଓଡ଼ିଶାକୁ ଖାଦ୍ୟ ବଳକା ରାଜ୍ୟର ମାନ୍ୟତା , ବିଶ୍ୱର କ୍ରୀଡ଼ା ହବ୍‌ ଭାବେ ରାଜ୍ୟକୁ ପରିଣତ କରିବା, ଓଡ଼ିଶାରେ ନିବେଶ ପାଇଁ ଜାତୀୟ ତଥା ଅନ୍ତର୍ଜାତୀୟ ବିନିଯୋଗକାରୀଙ୍କୁ ଆକର୍ଷିତ କରିବା ଏବଂ ଭିତ୍ତିଭୂମି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ରୂପାନ୍ତରଣ ପ୍ରକ୍ରିୟା ଓଡ଼ିଶାକୁ ଦେଶର ଅଗ୍ରଣୀ ରାଜ୍ୟର ମାନ୍ୟତା ଦେଇଛି । କଲ୍ୟାଣକାରୀ ମଡେଲରେ ରାଜ୍ୟ କାର୍ଯ୍ୟ କରୁଥିବାବେଳେ ସମାଜର ପ୍ରତ୍ୟେକ ବର୍ଗଙ୍କ ନିକଟରେ ସେବା ଓ ନ୍ୟାୟ ପ୍ରଦାନ କରିବା ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ । ସର୍ବୋପରି ମହିଳାଙ୍କ ସଶକ୍ତିକରଣ ହିଁ ରାଜ୍ୟକୁ ପ୍ରକୃତ ପରିବର୍ତ୍ତନର ରୂପ ଦେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପେନ୍‌ସନ୍‌ ଅଦାଲତ ଏବଂ ପଦୋନ୍ନତି ଅଦାଲତର ଅନଲାଇନ୍‌ ପଞ୍ଜୀକରଣ ବ୍ୟବସ୍ଥାକୁ ଶୁଭାରମ୍ଭ କରିଛନ୍ତି । ଯାହାକି ପେନସନ୍‌ ଓ ପଦୋନ୍ନତି ସଂକ୍ରାନ୍ତ ସମସ୍ୟାଗୁଡ଼ିକର ସମାଧାନ କରିବାରେ ବିଶେଷ ସହାୟକ ହେବ ।

ଏହି ଅବସରରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ ଯେ ରାଜ୍ୟ ସରକାର ଓଡ଼ିଶାର ରୂପାନ୍ତରଣକୁ ବିଶେଷ ଗୁରୁତ୍ୱ ଦେଉଛନ୍ତି । ତେଣୁ ସାଧାରଣ ଲୋକଙ୍କ ବିଶ୍ୱାସଭାଜନ ହେବା ଆବଶ୍ୟକ । ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ପ୍ରମିଳା ମଲ୍ଲିକ ରାଜ୍ୟ ସରକାରଙ୍କ ନିରନ୍ତର ନିଯୁକ୍ତି ପ୍ରକ୍ରିୟା ସମ୍ପର୍କରେ ମତ ରଖିବା ସହ ପ୍ରଶାସନିକ ସେବା କ୍ଷେତ୍ରରେ ନିଜର ଉକ୍ରର୍ଷତା ପ୍ରତିପାଦନ ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ୪ ଜଣ ନବ ନିଯୁକ୍ତ ଅଧିକାରୀ କସ୍ତୁରୀ ପଣ୍ଡା, ଭାନୁମତୀ ସେଠୀ, ଅନିମା ସୋରେନ ଓ ସୌମ୍ୟ ରଞ୍ଜନ ଭୋଇ ନିଜର ଅନୁଭୂତି ମୁଖ୍ୟମନ୍ତ୍ରୀଙ୍କ ସହ ବାଣ୍ଟିଥିଲେ । କାର୍ଯ୍ୟକ୍ରମକୁ ୫-ଟି ସଚିବ ଭି.କେ. ପାଣ୍ଡିଆନ ପରିଚାଳନା କରିବା ସହ ନିଯୁକ୍ତି ପାଇଥିବା ପ୍ରଶାସନିକ ଅଧିକାରୀଙ୍କୁ ‘୫-ଟି’ ଓ ମୋ ସରକାର ଯୋଜନାର ସଫଳତା ସମ୍ପର୍କରେ ବିଭିନ୍ନ ଉଦାହରଣ ଦେଇ ଆଲୋଚନା କରିଥିଲେ । ଶ୍ରୀ ପାଣ୍ଡିଆନ୍‌ ଆହୁରି ମଧ୍ୟ କହିଥିଲେ ଯେ, ‘ମୋ ସରକାର’ ହେଉଛି ଏକ ମତାମତ ପ୍ରଣାଳୀ ଯେଉଁଠାରେ ସରକାର ଲୋକମାନଙ୍କୁ ଗଣତନ୍ତ୍ରର ପ୍ରକୃତ ଗୁରୁ ଭାବରେ ବିବେଚନା କରନ୍ତି । ଲୋକଙ୍କ ମତାମତକୁ ମୁଖ୍ୟମନ୍ତ୍ରୀ ମଧ୍ୟ ସର୍ବାଧିକ ଗୁରୁତ୍ୱ ଦିଅନ୍ତି । ତେଣୁ ସେବା କ୍ଷେତ୍ରରେ ସର୍ବଦା ସ୍ୱଚ୍ଛତା ପନ୍ଥା ଅବଲମ୍ବନ ପାଇଁ ସେ ପରାମର୍ଶ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ସଚିବ ସତ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ସଚିବ ସୁରେନ୍ଦ୍ର କୁମାର ସ୍ୱାଗତ ଅଭିଭାଷଣ ରଖିଥିବାବେଳେ ଅର୍ଥ ବିଭାଗ ସଚିବ ବିଶାଲ ଦେବ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.